ତୃତୀୟ ପଜେଟିଭ୍‌ ପରେ… ଆଜି ଘରେ ରହିବାକୁ ପସନ୍ଦ କରିଛନ୍ତି ରାଜଧାନୀବାସୀ

ଆଜି ରାଜ୍ୟ ସରକାରଙ୍କ ଲକ୍‌ଡାଉନ୍‌ର ଷଷ୍ଠ ଏବଂ ଦେଶ ଲକ୍‌ଡାଉନ୍‌ର ଚତୁର୍ଥ ଦିନ । ତେବେ ଅଚାନକ ଆଜି ରାଜଧାନୀର ରାଜରାସ୍ତା ଠାରୁ ଆରମ୍ଭ କରି ଗଳିକନ୍ଦିରେ ମଧ୍ୟ ପୂର୍ବ ଅପେକ୍ଷା ଲୋକଙ୍କ ଚଳପ୍ରଚଳ ବହୁଗୁଣରେ କମ୍‌ ଥିଲା । ଏମିତିକି ଗ୍ରୋସରୀ ହେଉ କି ପରିବା ଦୋକାନ ସବୁଠି ଭିଡ଼ କମ୍‌ ଥିବା ପରିଲକ୍ଷିତ ହୋଇଥିଲା । ତେଣୁ ବାଟଘାଟରେ ଜଗିଥିବା ପୋଲିସ୍‌ ଓ ଟ୍ରାଫିକ୍‌ କର୍ମଚାରୀଙ୍କୁ ବେଶି ପରିଶ୍ରମ କରିବାକୁ ପଡ଼ି ନଥିଲା । ଅବଶ୍ୟ ଆଜି ତାତି ବି କିଛି କମ୍‌ ନଥିଲା । ତାପମାତ୍ରା ଥିଲା ୩୮ ଡିଗ୍ରୀ ଉପରେ ।
ଆପଣମାନେ ଭାବୁଥିବେ ବୋଧହୁଏ ଲୋକେ ଏତେ କହିବା ପରେ ସଚେତନ ହୋଇଗଲେ । ଅବଶ୍ୟ ଏକଥାଟି କିଛି ପରିମାଣରେ ସତ । ହେଲେ ଆଉ ଗୋଟିଏ କାରଣ ରହିଛି ଏହା ପଛରେ । ଭୁବନେଶ୍ୱରରେ ତୃତୀୟ କରୋନା ପଜେଟିଭ ଚିହ୍ନଟ ହେବା ପରେ ଏବେ କେବଳ ତାକୁ ହିଁ ନେଇ ଚର୍ଚ୍ଚା । ମନ ଭିତରେ ଛନକା ବି ପଶିଛି । ଆମେ କିଛି ଜାଗା ବୁଲିବା ଭିତରେ ଏସବୁ ଦେଖିଲୁ ଏବଂ ଅନୁଭବ କଲୁ ସତଟା ହେଉଛି ଏଇଆ । ରୁଚିକା ମାର୍କେଟ୍‌ରେ ପରିବା କିଣିବାକୁ ଆସିଥିବା ଜଣେ ବ୍ୟକ୍ତିଙ୍କ ରାଗ ଦେଖି ଆମେ ବି ତାଙ୍କ ସଚେତନତାକୁ ଧନ୍ୟବାଦ ଜଣାଇଲୁ । କାରଣ ଟ୍ରଲିରେ ଜିନିଷପତ୍ର ବୋହି ମାର୍କେଟ୍‌ର ଏକ ଦୋକାନକୁ ଆସିଥିବା ବ୍ୟକ୍ତିଟି ପୁଚ୍‌ କରି ତେବେଳେ ମେଞ୍ଚାଏ ପାନଛେପ ପକାଇ ଦେଲା ଭଦ୍ରବ୍ୟକ୍ତି ଜଣକ ରାଗି ଯାଇ ତାକୁ ଗାଳି କରିବା ଆରମ୍ଭ କରି ଦେଲେ । ପୁଣି କରୋନା ବିଷୟରେ କହିଲେ । ଲୋକଟି ମୁହଁରେ ନା ମାସ୍କ ଥିଲା ନା କରୋନା ଡର । ହେଲେ ଭଦ୍ରବ୍ୟକ୍ତିଙ୍କ ଠାରୁ ବାଣୀ ଶୁଣିବା ପରେ ଶଙ୍କିଗଲା ।

ODISHA_COVIDସେହିଭଳି ପରିବା କିଣିବା ବେଳେ ଆଗରୁ ଯେଉଁ ଲୋକମାନେ ଦୂରତା ରଖିବାକୁ ଏତେ ଗୁରୁତ୍ୱ ଦେଉନଥିଲେ ସେମାନେ ଗୋଟିଏ ମିଟର ଦୂରରେ ଠିଆ ହେବାର ଦେଖା ଯାଇଥିଲା । ଗ୍ରୋସରୀ ଦୋକାନ ଗୋଲେଇ ଚିହ୍ନରେ ଠିଆ ହୋଇ ଲୋକେ କିଣାକିଣି କରୁଥିଲେ ।
ତଥାପି କିଛି ଅମାନିଆ ପିଲା ଗୋଟିଏ ଗାଡ଼ିରେ ତିନି ଜଣ ଲେଖାଏଁ ବସି ପୋଲିସ୍‌ ଜଗିଥିବା ରାସ୍ତାକୁ ଏଡ଼ାଇ ଯିବା ଆସିବା କରୁଥିଲେ । ହେଲେ ଅନେକ ଘରେ ବସି କରୋନା ଖବରରୁ ବୋର୍‌ ହୋଇଗଲେଣି । ସେମାନେ ସିନେମା ଚ୍ୟାନେଲ ଲଗାଇ ଦେଖୁଥିଲେ । ତଥାପି ମଝିରେ ମଝିରେ ରିମୋଟ୍‌ ବୁଲି ଆସୁଥିଲା ରାଜ୍ୟ ଖବର ଉପରେ ।
ଏଇ ସଂକଟ ସମୟରେ ଧୈର୍ଯ୍ୟ ରଖି ନିଜ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ଛଡ଼ା ଆଉ କିଛି ବାଟ ନାହିଁ । ତେଣୁ ଲକ୍‌ଡାଉନ୍‌ର ଦିନ ନଗଣି ଘରେ ରହି ଅଲଗା କିଛି କରିବାକୁ ଚେଷ୍ଟା କଲେ ଭଲ ହେବ ।

Leave A Reply

Your email address will not be published.