ଅମିତାଭ ବଚ୍ଚନ କହିଲେ ଚୀନ୍‌ରୁ ଆସିଛି ଚମକାଇ ଦେଲା ଭଳି ତଥ୍ୟ, ଏମିତି ବି ସଂକ୍ରମିତ ହୋଇପାରେ କରୋନା; ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଖଣ୍ଡନ

କରୋନା ସଂକ୍ରମଣ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ପ୍ରକାଶ ପାଉଛି । ଏଥିରୁ ମୁକୁଳିବା ପାଇଁ ପ୍ରତ୍ୟେକ ଦେଶ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି । ପୂର୍ବରୁ ଆମେ ମାସ୍କ ବ୍ୟବହାର ସହ କ୍ୱାରେଣ୍ଟାଇନ୍‌ରେ ରହିଲେ କରୋନା ସଂକ୍ରମଣରୁ ବର୍ତ୍ତିବା ବୋଲି ଆଶା କରୁଥିଲେ ।

ମାତ୍ର ଏବେ ପ୍ରତ୍ୟେକ ଦେଶରୁ କରୋନା ସମ୍ପର୍କୀତ ନୂଆ ତଥ୍ୟମାନ ଆସୁଛି । ନିକଟରେ ଚୀନ୍‌ରୁ ଆସିଥିବା ଏଭଳି କିଛି ନୂଆ ତଥ୍ୟ ସମ୍ପର୍କରେ ବଲିଉଡ଼୍‍ ଅଭିନେତା ଅମିତାଭ ବଚ୍ଚନ ପ୍ରକାଶ କରିଛନ୍ତି । ଯାହାକୁ ଶୁଣିଲା ପରେ ଯେ କେହି ଚମକି ପଡ଼ିବେ । ଏହି ନୂଆ ତଥ୍ୟ ସମ୍ପର୍କରେ ଅମିତାଭ ତାଙ୍କ ଟ୍ଵିଟରରେ ଜାରି କରିଛନ୍ତି ।

ଚୀନ୍‌ରୁ ସଦ୍ୟ ମିଳିଥିବା ତଥ୍ୟ ଅନୁଯାୟୀ ଜଣେ କରୋନା ରୋଗୀ ଭଲ ହୋଇଗଲେ ମଧ୍ୟ କିଛି ଦିନ ଧରି ତାଙ୍କ ମଳରେ କରୋନା ଭୁତାଣୁ ଜିବୀତ ରହିଥାଏ । ଏହି ରୋଗୀଙ୍କ ମଳ ଉପରେ ବସୁଥିବା ମାଛି ଯଦି ଦୁର୍ଭାଗ୍ୟକୁ ଫଳ ଓ ଖାଦ୍ୟ ଉପରେ ବସେ ତେବେ ଉକ୍ତ ବ୍ୟକ୍ତିକୁ କରୋନା ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।

ତେଣୁ ସମସ୍ତେ ନିଜର ଶୈାଚାଳୟ ବ୍ୟବହାର କରିବାକୁ ଅମିତାଭ କହିଛନ୍ତି । ଅମିତାଭଙ୍କ ଏହି ଭିଡିଓକୁ ମଧ୍ୟ ପ୍ରଧାନମନ୍ତ୍ରୀ ତାଙ୍କ ଟ୍ଵିଟରରେ ସେୟାର କରିଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଖଣ୍ଡନ

ତେବେ ମାଛି ଦ୍ୱାରା କରୋନା ବ୍ୟାପିବା ଆଶଙ୍କାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । କରୋନା ଭାଇରସ୍‌ ବ୍ୟାପିବାରେ ମାଛି ଏକ ବାହକ ନୁହେଁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଏହା କୁହାଯାଇଛି ।

Leave A Reply

Your email address will not be published.