କରୋନା ଅନ୍ଧକାର ଭିତରେ ଆଲୋକ ବର୍ତ୍ତିକା, ଆମେରିକା ବୈଜ୍ଞାନିକଙ୍କ ଗବେଷଣାରୁ ଜଣାପଡ଼ିଛି କିଛି ଏଭଳି କଥା

ନୂଆଦିଲ୍ଲୀ : କରୋନାର ଭୟାବହ ଆକ୍ରମଣରେ ଏକପ୍ରକାର ଅନ୍ଧ ଓ ମୁକ ହୋଇଯାଇଥିବା ବୈଜ୍ଞାନିକଙ୍କ ପାଇଁ ଆଲୋକାର ଶିଖା ପାଲଟିଛି ବିସିଜି ଟିକା । ନ୍ୟୁୟର୍କ ଇନଷ୍ଟିଚ୍ୟାଟ୍‌ ଅଫ୍‌ ଟେକନୋଲୋଜି (ଏନ୍‌ଓ୍ଵାଇଆଇଟି)ର ବୈଜ୍ଞାନିକଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ବିସିଜି ଟିକା କରୋନା ଲଢ଼େଇରେ ଏକ ‘ଗେମ୍‌ ଚେଞ୍ଜର’ ଭାବେ କାମ କରିପାରେ । ଅବଶ୍ୟ ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନଥିଲେ ମଧ୍ୟ ସେମାନଙ୍କ ଗବେଷଣାରୁ ବିସିଜିରେ କରୋନା ସହ ଲଢ଼ିବାର ଶକ୍ତି ଥିବା ସୂଚନା ମିଳିଛି ।
ଭାରତରେ ପିଲାମାନଙ୍କୁ ବିଭିନ୍ନ ରୋଗ ସଂକ୍ରମଣରୁ ରକ୍ଷା କରିବା ପାଇଁ ଟିକା ଦିଆଯାଇଥାଏ । ତା ଭିତରେ ଟିବି ବା ଯକ୍ଷ୍ମା ରୋଗରୁ ସୁସ୍ଥ ରହିବା ପାଇଁ ବିସିଜି ବା Bacillus Calmette-Guerin ଟିକା ଦିଆଯାଏ । ଏକ ଗବେଷଣାରୁ ଜଣାପଡ଼ିଛି ଯେ ନିୟମିତ ଭାବେ ଏହି ଟିକା ଦିଆଯାଉଥିବା ଦେଶରେ କରୋନାର ପ୍ରକୋପ ଅଧିକ ନାହିଁ । ଯେମିତିକି ଭାରତ । ତେବେ ବିସିଜି ଟିକା ଦିଆଯାଉନଥିବା ଦେଶରେ କରୋନାର ପ୍ରକୋପ ସବୁଠାରୁ ଅଧିକ ରହିଛି । ଏଥିରେ ଆସୁଛନ୍ତି ଆମେରିକା, ଇଟାଲୀ ଓ ନେଦରଲାଣ୍ଡସ୍‌ ।

BCG VACCIN

ଏନ୍‌ଓ୍ଵାଇଆଇଟିର ବାୟୋମେଡିକାଲ ସାଇନ୍ସ ଆସିଷ୍ଟାଣ୍ଟ ପ୍ରଫେସର୍‌ ଗୋଞ୍ଜାଲୋ ଓଟାଜୁ ଏହି ଗବେଷଣାର ମୁଖ୍ୟ ଅଛନ୍ତି । ଯେଉଁ ଦେଶ ତାଙ୍କର ଜାତୀୟ ସ୍ୱାସ୍ଥ୍ୟ ନୀତିରେ ଦୀର୍ଘ ବର୍ଷ ହେଲା ବିସିଜି ଟିକାକୁ ସାମିଲ କରିଛନ୍ତି ସେହି ସବୁ ଦେଶରେ କରୋନାର ଭୟାବହତା ଦେଖିବାକୁ ମିଳିନାହିଁ ବୋଲି ତାଙ୍କ ଗବେଷଣାରୁ ଜଣାପଡ଼ିଛି ।
ଭାରତରେ ଟିବି ବା ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ବହୁତ ଅଧିକ ରହୁଥିବାରୁ ୧୯୪୮ ମସିହାରୁ ବିସିଜି ଟିକା ଦିଆଯିବା ଆରମ୍ଭ ହୋଇଥିଲା । ସେଥିପାଇଁ ଏହି ରୋଗ ଆମ ଦେଶରେ ପ୍ରାୟ ମୂଳପୋଛ ବୋଲି କହିହେବ । ତେବେ ବିସିଜି ଟିକା କେତେଦୂର ମହାମାରୀ କରୋନା ବିରୋଧରେ ଲଢ଼ି ପାରିବ ସେ ବିଷୟରେ ଏବେ ଠାରୁ କିଛି କହିବା ଉଚିତ ହେବ ନାହିଁ ବୋଲି ଭାରତୀୟ ବୈଜ୍ଞାନିକମାନେ କହିଛନ୍ତି । ଅବଶ୍ୟ ସମ୍ପୂର୍ଣ୍ଣ ଅନ୍ଧକାର ଭିତରେ ଏହା ଏକ ଆଶାର କିରଣ ବୋଲି ସେମାନେ ଆଶା କରୁଛନ୍ତି ।

Leave A Reply

Your email address will not be published.