କରୋନା ଟିକା ପାଇଁ ବଳି ପଡ଼ିବ ୫ ଲକ୍ଷ ସାର୍କଙ୍କ ଜୀବନ !

ନୂଆଦିଲ୍ଲୀ : କରୋନା ଟିକାର ବିକାଶ ପାଇଁ ବିଶ୍ୱର ଅଧିକାଂଶ ଦେଶ ସେମାନଙ୍କର ଗବେଷଣା ଜାରି ରଖିଛନ୍ତି । ତେବେ କରୋନା ଟିକାର ପ୍ରସ୍ତୁତି ନେଇ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେବା ଭଳି । ବିଶେଷଜ୍ଞଙ୍କ ମତରେ ସାର୍କ ଯକୃତରେ ଥିବା ତେଲ କରୋନା ଟିକା ପ୍ରସ୍ତୁତିରେ ଲାଗିଥାଏ । ଯାହା ଟିକାକୁ ଅଧିକ ପ୍ରଭାବି କରିଥାଏ ।

ବିଶ୍ୱର ଲୋକଙ୍କୁ କରୋନା ଟିକା ଦେବା ପାଇଁ ଯେତିକି ଟିକାର ଆବଶ୍ୟକ ହେବ ସେଥିରେ ପ୍ରାୟ ୫ ଲକ୍ଷ ସାର୍କଙ୍କୁ ହତ୍ୟା କରିବାକୁ ପଡ଼ିବ ବୋଲି ଗବେଷକମାନେ କହିଛନ୍ତି । ଗବେଷକଙ୍କ କହିବା ଅନୁଯାୟୀ ସାର୍କ ଯକୃତରେ ସ୍କ୍ଵାଲେନ୍‌ ନାମକ ଏକ ପଦାର୍ଥ ଥାଏ । ଯାହାକି କରୋନା ଟିକା ପ୍ରସ୍ତୁତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

shark-1

ଯଦି ବିଶ୍ୱର ଲୋକଙ୍କୁ କରୋନାର ଗୋଟିଏ ଡୋଜ୍‌ ଦିଆଯାଏ ତେବେ ସେଥିପାଇଁ ୨.୫ ଲକ୍ଷ ସାର୍କଙ୍କୁ ମାରିବାକୁ ପଡ଼ିବ । କରୋନା ପାଇଁ ସାଧାରଣତଃ ଟିକାର ଦୁଇଟି ଡୋଜ୍‌ ନେବାକୁ ପଡ଼ିଥାଏ । ଏହି ହିସାବରେ ଟିକା ପାଇଁ ୫ ଲକ୍ଷ ସାର୍କଙ୍କୁ ମାରିବାକୁ ପଡ଼ିବ ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି ।

ବ୍ରିଟିସ୍‌ ଔଷଧ କମ୍ପାନୀ ଗ୍ଲାସ୍କୋ ସ୍ମିଥ୍‌କ୍ଲିନ୍‌ ଏବେ ଫ୍ଲୁ ଟିକା ପାଇଁ ସାର୍କ ଦେହରୁ ମିଳୁଥିବା ‘ସ୍କୁଆଲେନ୍‌’ ବ୍ୟବହାର କରୁଛି । ଆଗାମୀ ମଇ ମାସ ସୁଦ୍ଧା ପ୍ରାୟ କୋଟିଏ ଡୋଜ୍‌ ପ୍ରସ୍ତୁତ କରିବ ବୋଲି କମ୍ପାନୀ କହିଛି ।

ତେବେ କରୋନା ପାଇଁ ଏତେ ସଂଖ୍ୟକ ଜୀବଜନ୍ତୁଙ୍କୁ ମାରିବା ଠିକ୍‌ ହେବନାହିଁ ବୋଲି ସାର୍କ ଅଲାଇଜ୍ ଦଳର ପ୍ରତିଷ୍ଠାତା ଷ୍ଟିଫନ ବ୍ରେଣ୍ଡଲ୍ କହିଛନ୍ତି । ତେଣୁ ଟିକା ପ୍ରକ୍ରିୟାରେ ବିଳମ୍ବ ନକରି କରୋନା ଟିକା ପାଇଁ ଅନ୍ୟ ସାଧନର ବ୍ୟବସ୍ଥା ବିଷୟରେ ଚିନ୍ତା କରିବା ଆବଶ୍ୟକ ବୋଲି ଷ୍ଟିଫନ ବ୍ରେଣ୍ଡଲ୍ କହିଛନ୍ତି ।