ଟିକାକରଣ ପୂର୍ବରୁ ଚୂଡ଼ାନ୍ତ ରିହାରସାଲ୍: ଆଜି ଦେଶବ୍ୟାପୀ ଚାଲିଛି ଡ୍ରାଏ ରନ୍

ନୂଆଦିଲ୍ଲୀ: ଟିକାକରଣ ପୂର୍ବରୁ ଚୂଡ଼ାନ୍ତ ରିହାରସାଲ୍‌ । ଆଜି ଦେଶବ୍ୟାପୀ ଡ୍ରାଏ ରନ୍‌ । ଟିକା ଦିଆଯିବନି, କିନ୍ତୁ ଟିକା ଦିଆଯିବାର ସମସ୍ତ ପ୍ରକ୍ରିୟା ପରିଚାଳିତ ହେବ । ଗୋଟିଏ ଦିନରେ ସବୁ ରାଜ୍ୟ ଓ କନ୍ଦ୍ର ଶାସିତ ଅଞ୍ଚଳରେ ଡ୍ରାଏ ରନ୍‌ ହେଉଛି । ଓଡ଼ିଶାର ୩୧ଟି ସ୍ଥାନରେ ଡ୍ରାଏ ରନ କରାଯାଉଛି । ୩୦ଟି ଜିଲ୍ଲା ମୁଖ୍ୟାଳୟ ଓ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଡ୍ରାଏ ରନ୍‌ ହେଉଛି । ଗୋଟିଏ କେନ୍ଦ୍ରରେ ୨୫ ଜଣଙ୍କୁ ନେଇ ଡ୍ରାଏ ରନ କରାଯିବ । ପ୍ରତ୍ୟେକ କେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମଚାରୀ ଉପସ୍ଥିତ ରହିବେ । ଟିକାଦାନ କିପରି କରାଯିବ, କିପରି ପଞ୍ଜୀକରଣ କରାଯିବ, ତା ଉପରେ ନଜର ରଖାଯିବ ।

ପ୍ରତ୍ୟେକ ଟିକାଦାନ କେନ୍ଦ୍ରରେ ତିନିଟି ରୁମ୍‌ ରହିବ । ଗୋଟିଏ ଟିକାକରଣ ରୁମ୍‌, ଗୋଟିଏ େଓ୍ଵଟିଂ ରୁମ ଓ ଗୋଟିଏ ପର୍ଯ୍ୟବେକ୍ଷଣ ରୁମ୍‌ ରହିବ । ୪ ଜଣିଆ ଏକ ଟିମ୍‌ ମଧ୍ୟ ରହିବ । ଏମାନଙ୍କ ମଧ୍ୟରୁ ଜଣେ ଡକ୍ୟୁମେଣ୍ଟ ଯାଞ୍ଚ କରିବେ, ଅନ୍ୟ ଜଣେ ହିତାଧିକାରୀଙ୍କ ପଞ୍ଜୀକରଣ କରିବେ । ସେହିପରି ଜଣେ ଲୋକଙ୍କ ଉପରେ ନଜର ରଖିବେ ଓ ଅନ୍ୟ ଜଣେ ଭିଡ଼ ନିୟନ୍ତ୍ରଣ ପାଇଁ ଉପସ୍ଥିତ ରହିବେ । ଟିକା ପରିବହନ ପାଇଁ ଏକ ଟିମ୍‌ ରହିବ ।

ଏହି ଟିମ୍‌ କୋଲଡ୍‌ ବକ୍ସକୁ ସ୍ୱତନ୍ତ୍ର ଗାଡ଼ିରେ ନେଇ ଟିକାକରଣ କେନ୍ଦ୍ରକୁ ଯିବ । ଡ୍ରାଏ ରନ୍‌ ବେଳେ କୋ ଓ୍ଵିନ୍‌ ଆପ୍‌କୁ ଡାଟା ଦିଆଯିବ । ଟିକାକରଣ ସମୟରେ ଯେପରି ଡାଟା ଦିଆଯିବ, ଠିକ୍‌ ସେହିପରି ଡ୍ରାଏ ରନ୍‌ ବେଳେ ହେବ । ଟିକାକରଣ ବେଳେ କେତେ ସ୍ଥାନ ଆବଶ୍ୟକ, ବିଦ୍ୟୁତ ଓ ଯୋଗଯୋଗ ସୁବିଧା ବିଷୟରେ ତଥ୍ୟ ନିଆଯିବ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷ ୫୦ ହଜାର ଟିକାକରଣକାରୀଙ୍କୁ ତାଲିମ ଦିଆଯାଇଛି । ଏଥିରେ ୭୦୦ରୁ ଅଧିକ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.