କୋଭିଡର ନୂଆ ଭେରିଆଣ୍ଟ B.1.617 ଭାରି ମାରାତ୍ମକ, ଭ୍ୟାକ୍ସିନକୁ ବି ମାତ୍ ଦେଉଛି

କେନ୍ୟୁଜ୍(ବ୍ୟୁରୋ): କୋଭିଡର ନୂଆ ଭେରିଆଣ୍ଟ B.1.617 ଭାରି ମାରାତ୍ମକ । କ୍ଷୀପ୍ର ଗତିରେ କରୁଛି ସଂକ୍ରମଣ । ଏପରିକି ଭ୍ୟାକ୍ସିନକୁ ବି ମାତ୍ ଦେଉଛି ଏହି ବିପଜ୍ଜନକ ଭେରିଆଣ୍ଟ । ଏଥିଯୋଗୁ ଦେଶରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା କହିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHOର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ । ଗତ ବର୍ଷ ଅକ୍ଟୋବରରେ B.1.617 ଭେରିଆଣ୍ଟ ଚିହ୍ନଟ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଭେରିଆଣ୍ଟ ଅଫ କନସର୍ନ ତାଲିକାରେ ରଖିଛି । ଏହି ଷ୍ଟ୍ରେନରେ ବିଭିନ୍ନ ମ୍ୟୁଟେସନ ହୋଇଥିବାରୁ ଭ୍ୟାକ୍ସିନ ଯୋଗୁ ଶରୀରରେ ସୃଷ୍ଟି ହେଉଥିବା ଆଣ୍ଟିବଡିକୁ ପ୍ରତିହତ କରୁଥିବା ଜଣାପଡିଛି । କରୋନା ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ନଥିବାରୁ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିଛି ।
ଅନେକ ମାସ୍କ ପିନ୍ଧୁ ନଥିବା ବେଳେ କରୋନା କଟକଣା ମାନୁନାହାନ୍ତି । ସେହିପରି ନିକଟରେ ଅନୁଷ୍ଠିତ ୫ ଟି ରାଜ୍ୟ ବିଧାନସଭା ନିର୍ବାଚନରେ ରାଲି ଓ ଧାର୍ମିକ ସମାବେଶକୁ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇଁ ଦାୟୀ କରିଛନ୍ତି ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ । ସେ କହିଛନ୍ତି ଏଯାଏ ଭାରତରେ କେବଳ ୨ ପ୍ରତିଶତ ଲୋକଙ୍କୁ ସଂପୂର୍ଣ୍ଣ ଟିକାକରଣ କରାଯାଇଛି । ୭୦ରୁ ୮୦ ପ୍ରତିଶତ ଲୋକଙ୍କୁ ଭ୍ୟାକ୍ସିନେସନ ପାଇଁ ମାସ ମାସ ସମୟ ଲାଗିବ ।