କେନ୍ୟୁଜ (ବ୍ୟୁରୋ): କରୋନା ସଂକଟ ଓ ଚିକିତ୍ସା ଭିତରେ ଆଉ ଏକ ଭଲ ଖବର ଦେଲା ଆଇଆଇଟି ଦିଲ୍ଲୀ । ଗବେଷଣାରୁ ସାମନାକୁ ଆସିଛି ଆଉ ଏକ ଔଷଧର ଉପାଦେୟତା । କରୋନା ଚିକିତ୍ସାରେ ବେଶ ଫଳପ୍ରଦ ହେଉଛି ଟେଇକୋପ୍ଲାନିନ୍ ଡ୍ରଗ୍ସ । ଏବେ କୋଭିଡ୍ ଚିକିତ୍ସାରେ ବ୍ୟବହୃତ ଅନ୍ୟ ଔଷଧ ତୁଳନାରେ ୧୦ ଗୁଣା ଅଧିକ ଫଳପ୍ରଦ ହେଉଛି । ଏନେଇ ଟ୍ଵିଟ୍ କରି ସୂଚନା ଦେଇଛି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ । ଆଇଆଇଟି ଦିଲ୍ଲୀର କୁସୁମ ସ୍କୁଲ ଅଫ ବାୟୋଲୋଜିକାଲ୍ ସାଇନ୍ସ କରୋନା ଚିକିତ୍ସାରେ ବ୍ୟବହୃତ ୨୩ଟି ଔଷଧକୁ ନେଇ ଗବେଷଣା କରିଥିଲା ।
ତୁଳନାତ୍ମକ ଅନୁଧ୍ୟାନରୁ ଜଣା ପଡ଼ିଛି ଯେ, ଟେଇକୋପ୍ଲାନିନ୍ ଅଧିକ ଫଳପ୍ରଦ ହେଉଛି । ଏପରିକି କରୋନାର ଚିକିତ୍ସାରେ ବ୍ୟବହୃତ ଲୋପିନାଭିର୍ ଓ ହାଇଡ୍ରୋକ୍ସି କ୍ଲୋରୋକୁଇନଠାକୁ ୧୦-୨୦ ଗୁଣା ଅଧିକ ଉପାଦେୟ । ଟେଇକୋପ୍ଲାନିନକୁ ଏଫଡିଏ ଅନୁମତି ମିଳିଛି । ଏହା ଏକ ଆଣ୍ଟିବାୟୋଟିକ୍ । ମଣିଷ ଶରୀରରେ ଗ୍ରାମ ପଜିଟିଭ୍ ବ୍ୟାକ୍ଟେରିୟା ସଂକ୍ରମଣରୁ ଆରୋଗ୍ୟ ପାଇଁ ସାଧାରଣତଃ ଏହି ଔଷଧକୁ ବ୍ୟବହାର କରାଯାଇଥାଏ । ତେବେ ସାମାନ୍ୟ, ମଧ୍ୟମ ଓ ଗୁରୁତର ସଂକ୍ରମିତ କରୋନା ରୋଗୀଙ୍କ କ୍ଷେତ୍ରରେ ଏହି ଔଷଧର ବ୍ୟବହାର ନେଇ ଅଧିକ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଥିବା କହିଛି ଆଇଆଇଟି ଦିଲ୍ଲୀ ।