ଗୋଟିଏ ଦିନରେ ଦେଶରେ ୮୧ ହଜାର ୪୬୬ ନୂଆ ପଜିଟିଭ୍‌ ଚିହ୍ନଟ, ଗଲା ୪୬୯ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦୈନିକ ସଂକ୍ରମଣରେ କରୋନାର ବଡ ବଡ଼ ଲମ୍ଫ । ପ୍ରତ୍ୟେକ ଦିନ ଭାଙ୍ଗୁଛି ରେକର୍ଡ । ଏପ୍ରିଲରେ ଗତ ବର୍ଷ ସେପ୍ଟେମ୍ବର ଅକ୍ଟୋବର ମାସ ପରି ସ୍ଥିତି । ଗତକାଲି ୭୨ ହଜାର, ଆଜି ୮୧ ହଜାର ପାର । ଗୋଟିଏ ଦିନରେ ଦେଶରେ ୮୧ ହଜାର ୪୬୬ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗତ ୬ ମାସ ପରେ ପ୍ରଥମ ଥର ଦେଶରେ ୮୧ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ବର୍ଷ ଅକ୍ଟୋବର ୧ ତାରିଖରେ ୮୧ ହଜାର ୪୮୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ମାର୍ଚ୍ଚ ୨୪ ତାରିଖରୁ ଲଗାତର ଦେଶରେ ୫୦ ହଜାରରୁ ଅଧିକ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୪୬୯ ଜଣଙ୍କ ଜୀବନ ଯାଇଛି । ଦେଶରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨୩ ଲକ୍ଷ ୩ ହଜାର ୧୩୧ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୩ ହଜାର ୩୯୬ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ ସ୍ଥିତି ସଂଗୀନ ହେବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୪୩ ହଜାର ୧୮୩ ନୂଆ କେସ୍‌ ଆସିଛି । ଏହା ପୂର୍ବରୁ ମାର୍ଚ୍ଚ ୨୮ରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାର ୪୧୪ ହୋଇଥିଲା ।

Leave A Reply

Your email address will not be published.