୯ମାସରେ ରେକର୍ଡ : ଆଜି ଦେଶରେ ୧୦୦କୋଟି ଟପିବ ଟିକାକରଣ

ନୂଆଦିଲ୍ଲୀ: ଆଜି ଦେଶରେ ୧୦୦କୋଟି ଟପିବକୁ ଯାଉଛି ଟିକାକରଣ। ଜାନୁଆରୀ ଆରମ୍ଭ ହୋଇଥିବା ଏହି କୋଭିଡ୍‌ ଟିକାକରଣ ନୂଆ ମାଇଲଖୁଣ୍ଟ ଛୁଇଁବ। ଏହି ଅଭିଯାନ ଆରମ୍ଭ ହେବାର ୯ମାସ ପରେ ଭାରତ ପ୍ରଥମ ଥର ପାଇଁ ୧୦୦କୋଟି ଟିକାର ମାଇଲ ଖୁଣ୍ଟ ହାସଲ କରିବ। ଗତକାଲି ଅପରାହ୍ନ ସୁଦ୍ଧା ଦେଶରେ ପ୍ରାୟ ୯୯.୪କୋଟି ଟିକା ଲୋକଙ୍କୁ ଦିଆଯାଇଛି।

ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଦେଶର ଟ୍ରେନ, ବିମାନ, ଜାହାଜରେ ମାଇକ ଯୋଗେ ଏନେଇ ଘୋଷଣା କରାଯିବ। ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଯିବ। ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ୧୦୦ଟି ଐତିହ୍ୟ ସ୍ଥଳୀକୁ ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯିବ। ଡାକ୍ତର, ନର୍ସ, ସଫେଇ କାର୍ଯ୍ୟକ୍ରମ, ଭ୍ୟାକ୍ସିନ ନିର୍ମାତା, ବୈଜ୍ଞାନିକଙ୍କୁ ସମ୍ମାନିତ କରାଯିବ। ୧୦୦ କୋଟିର ସଫଳତା ପରିପ୍ରେକ୍ଷୀରେ ସରକାର ଉତ୍ସବ ମନାଇବା କାର୍ଯ୍ୟକ୍ରମ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ନେତାମାନେ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଟିକାକରଣ କେନ୍ଦ୍ରକୁ ଯିବେ। ଦଳର ସାଧାରଣ ସଂପାଦକ ଅରୁଣ ସିଂ ଏବଂ ଡି. ଗୌତମ ଯଥାକ୍ରମେ ତାମିଲନାଡ଼ୁର କୋଏମ୍ବାଟୁର ଏବଂ ଉତ୍ତର ପ୍ରଦେଶର ଲ‌କ୍ଷ୍ନୌ ଗସ୍ତ କରିବେ।

ଜାନୁୟାରୀ ୧୬ରୁ ଦେଶରେ ଆରମ୍ଭ ହୋଇଥିଲା ଟିକାକରଣ। ପ୍ରଥମ ପର୍ଯ୍ୟାୟରେ କୋଭିଡ୍‌ ଯୋଦ୍ଧାକୁ ଟିକା ଦିଆଯାଇଥିଲା। ଏବେ ସୁଦ୍ଧା ଦେଶ ଜନସଂଖ୍ୟାର ୭୫ପ୍ରତିଶତ ଗୋଟିଏ ଡୋଜ ଭ୍ୟାକ୍ସିନ ନେଇସାରିଥିବାବେଳେ ୩୧ ପ୍ରତିଶତ ଉଭୟ ଡୋଜ ନେଇଛନ୍ତି। ସୂଚନା ଥାଉକି, ଗତମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ଅବସରରେ ଗୋଟିଏ ଦିନରେ ଦେଶରେ ୨.୫ କୋଟିରୁ ଅଧିକ ଟିକା ଦିଆଯାଇଥିଲା। ଦୈନିକ ଟିକାକରଣରେ ଚୀନ୍‌ର ରେକର୍ଡ ରହିଥିଲା । ଚୀନ୍‌ ଗୋଟିଏ ଦିନରେ ୨ କୋଟି ୪୭ ଏଲକ୍ଷ ଲୋକଙ୍କୁ ଟିକା ଦେଇଥିଲା । ଭାତରେ ଏହା ପୂର୍ବରୁ ୩ ଥର ୧ କୋଟି ଟପିଥିଲା ଟିକାକରଣ । ପ୍ରଥମ ଥର ପାଇଁ ୨ କୋଟି ଟପିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.