କଣ ରହିବ ମୁକାବିଲା ରୂପରେଖ ? କରୋନା ମହାମାରୀକୁ ନେଇ ଆଜି ଆସିବ ଜୁଲାଇ ଗାଇଡଲାଇନ୍

ଭୁବନେଶ୍ବର(କେନ୍ଯୁଜ୍): ଆଜି ଆସିବ ଜୁଲାଇ ଗାଇଡଲାଇନ୍ । କରୋନା ମାନଚିତ୍ରରେ ବଦଳିଛି ଓଡ଼ିଶାର ରଙ୍ଗ । ଗ୍ରୀନ୍ ଜୋନ୍ ଜିଲ୍ଲା ବଢ଼ିଛି । ତଥାପି ରେଡ୍ ଜୋନରେ ଅଛନ୍ତି ଉପକୂଳର କିଛି ଜିଲ୍ଲା । ଆଂଶିକ ଲକଡାଉନ୍ ଅବଧି ଦୁଇ ଦିନ ପରେ ସରୁଥିବାରୁ ଜୁଲାଇ ଗାଇଡଲାଇନ୍ ନେଇ ବଢୁଛି ଉତ୍କଣ୍ଠା । କଣ ରହିବ ମୁକାବିଲା ରୂପରେଖ ? ସଂକ୍ରମଣ ହାରକୁ ଦେଖି ବିଚାରବିମର୍ଶ ଚାଲିଛି । ରାଜ୍ୟରେ ସ୍ଥିର ରହିଛି ଦୈନିକ ସଂକ୍ରମଣ । ଗତ ସପ୍ତାହେ ହେବ ୩-୪ ହଜାର ଭିତରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ଟିଭ୍ କେସ୍ ଗ୍ରୀନ୍ ଜୋନ୍ରେ ଅଛି ୨୧ ଜିଲ୍ଲା । ରେଡ୍ ଜୋନ୍ରେ ଖୋର୍ଦ୍ଧା, କଟକ, ଯାଜପୁର ଓ ବାଲେଶ୍ୱର ଅଛି । ପଜିଟିଭିଟି ରେଡ୍ ଜୋନରେ ଆସୁଛି ପୁରୀ, ଖୋର୍ଦ୍ଧା, କଟକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲା ।
ଆଜି କଟକ ଓ ବାଲେଶ୍ୱରରେ ପଜିଟିଭ୍ ହାର ୧୦ ପ୍ରତିଶତ ଉପରେ ଅଛି । ପୁରୀରେ ୭.୯, ଖୋର୍ଦ୍ଧାରେ ୮.୩ ଓ ମୟୂରଭଞ୍ଜରେ ୮.୭ ପ୍ରତିଶତ ଅଛି ପଜିଟିଭିଟି । ୧୦ ପ୍ରତିଶତ ଉପରେ ସଂକ୍ରମଣ ହାର ଥିବା ଜିଲ୍ଲାରେ କଟକଣା ପୂର୍ବଭଳି ବଳବତ୍ତର ରହିପାରେ । କଟକ ସେସବୁ ଜିଲ୍ଲାରେ ଲାଗୁ ହୋଇପାରେ କଣ୍ଟେନମେଣ୍ଟ କଟକଣା ।
ପୁରା ଜିଲ୍ଲାରେ ଲାଗୁ ହେବ ନା ଅଧିକ ସଂକ୍ରମିତ ଚିହ୍ନଟ ଅଞ୍ଚଳରେ କାର୍ଯ୍ୟକାରୀ ହେବ ? କରୋନା ମୁକାବିଲାରେ ଜୀବନ ଜୀବିକାକୁ ସରକାର ଗୁରୁତ୍ୱ ଦେଉଛନ୍ତି । ଏଭଳି ସ୍ଥିତିରେ ପୂରା ଜିଲ୍ଲାକୁ କଣ୍ଟେନମେଣ୍ଟ କରିବା ସମ୍ଭବ ନୁହେଁ । ନିର୍ଦ୍ଦିଷ୍ଟ ଭାବେ ଅଧିକ ପଜିଟିଭ୍ ବାହାରୁଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ କରିପାରନ୍ତି ସରକାର । ଆଉ କେଉଁ ସବୁ ଜିଲ୍ଲା କାଟାଗୋରୀ-Aକୁ ଯିବ ? ଜିମ୍, ଯୋଗ ସେଣ୍ଟର ଖୋଲିବା ଓ ବାହାଘର, ବ୍ରତଘର କ୍ଷେତ୍ରରେ କଣ ଆସୁଛି ନିଷ୍ପତ୍ତି, ତାଉପରେ ନଜର ରହିଛି ।