କରୋନା ସଂକ୍ରମିତଙ୍କ ପାଇଁ ନୂଆ ନିୟମ, ହସପିଟାଲରୁ ଡିସଚାର୍ଜ ପରେ ଘରେ ୧୪ ଦିନ କ୍ୱାରେଣ୍ଟିନ୍‌ରେ ରହିବେ

ଭୁବନେଶ୍ୱର (କେ ନ୍ୟୁଜ୍‌) : କେନ୍ଦ୍ର ସରକାରଙ୍କ କରୋନା ରୋଗୀଙ୍କ ଡିସଚାର୍ଜ ନୀତିରେ ସାମାନ୍ୟ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ଅପରହ୍ନରେ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି, ଲଗାତର ତିନି ଦିନ ଜ୍ୱର ନଥିଲେ ରୋଗୀଙ୍କୁ ହସପିଟାଲରୁ ଡିସଚାର୍ଜ କରିଦିଆଯିବ । ଆଦୌ ଲକ୍ଷଣ ନଥିଲେ ମଧ୍ୟ ତିନି ଦିନରେ ଡିସଚାର୍ଜ ହେବେ ।

ତେବେ ଓଡ଼ିଶାରେ ୯୦ ପ୍ରତିଶତ ରୋଗୀଙ୍କ ଠାରେ ଲକ୍ଷଣ ନଥିବା ଦେଖାଯାଇଛି । ତେଣୁ କେନ୍ଦ୍ର ସରକାରଙ୍କ ନୀତିରେ ସାମାନ୍ୟ ସଂଶୋଧନ କରି ରାଜ୍ୟ ସରକାର ନିୟମକୁ ଆଉ ଟିକେ କଠିନ କରିଛନ୍ତି । ଡାକ୍ତରଖାନାରୁ ଡିସଚାର୍ଜ ହେଲା ପରେ ଆକ୍ରାନ୍ତ ବ୍ୟକ୍ତି ୧୪ ଦିନ ପର‌୍ୟ୍ୟନ୍ତ ହୋମ୍ କ୍ୱାରେଣ୍ଟିନ୍‌ରେ ରହିବେ । ଏହି ସମୟରେ ସେ ଦୈନନ୍ଦିନ ଡାକ୍ତରୀ ସର୍ଭିଲାନ୍ସରେ ରହିବେ । ତାଙ୍କ ହାତରେ ଷ୍ଟିକର ଓ ବ୍ୟାଣ୍ଡ ସହ ଘର ଆଗରେ ମଧ୍ୟ ଷ୍ଟିକର ଲଗାଯିବ । ତେବେ ଘରେ ସ୍ୱତନ୍ତ୍ର ଗୃହ ଥିଲେ ହିଁ ସେ ରହି ପାରିବେ । ନଚେତ ତାଙ୍କୁ ସରକାରୀ ହସପିଟାଲକୁ ପଠାଯିବ । ଏହା କେବଳ ସହରାଞ୍ଚଳରେ ଲାଗୁ ହେବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ଅଳ୍ପ ଲକ୍ଷଣ, ଆଦୌ ଲକ୍ଷଣ ନଥିବା ଲୋକଙ୍କ ପାଇଁ ଏହି ନିୟମ ଲାଗୁ ହେବ ।

ଗର୍ଭବତୀ ମହିଳା, ଶିଶୁ ଏବଂ ଦିବ୍ୟାଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି

ଅସ୍ଥାୟୀ ମେଡିକାଲ କ୍ୟାମ୍ପ କେବଳ ଓଡ଼ିଶାରେ କରାଯାଇଛି । ଅନ୍ୟ କୌଣସି ରାଜ୍ୟରେ ହୋଇ ନାହିଁ । ରାଜ୍ୟର ୬୭୮୫ ପଞ୍ଚାୟତରେ ଏଭଳି ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ରହୁଛନ୍ତି । ଏହି ଶିବିର ସରପଞ୍ଚଙ୍କ ଦାୟିତ୍ୱରେ ରହିଛି । ଶିବିରରେ କାହାର କୌଣସି ଲକ୍ଷଣ ଦେଖ ।ଦେଲେ ସେ ତୁରନ୍ତ ଡାକ୍ତରଙ୍କୁ ଜଣାଇବେ । ସେହିପରି ଗର୍ଭବତୀ ମହିଳା, ୫ ବର୍ଷରୁ କମ୍ ଶିଶୁ ଏବଂ ଦିବ୍ୟାଙ୍ଗମାନ ପ୍ରତି ସ୍ୱତନ୍ତ୍ର ନଜର ଦିଆଯିବ । ସେମାନେ ନେଗେଟିଭ୍ କିମ୍ବା ଅଳ୍ପ ଲକ୍ଷଣ ଥିଲେ ସେମାନଙ୍କୁ ନିଜ ଘରକୁ ପଠାଇ ଦିଆଯିବ ।
ବାଗଚୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ମହାପାତ୍ର କହିଛନ୍ତି ଯେ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ଥିବା ଲୋକଙ୍କର ପ୍ରଥମେ ନମୂନା ପରୀକ୍ଷା ହେବ ଏବଂ ଏହା ପରେ ପ୍ରଶାସନ ଜଣାଇବ କି ସେ କ୍ୟାମ୍ପରେ ରହିବେ କିମ୍ବା ଘରେ ରହିବେ ।

 

 

Leave A Reply

Your email address will not be published.