କରୋନା ଲଢ଼େଇରେ କାହିଁକି ଆଗୁଆ ଓଡ଼ିଶା ? କେନ୍ଦ୍ରର ନିଷ୍ପତ୍ତି ପୂର୍ବରୁ ପ୍ରଥମେ ପଦକ୍ଷେପ ନେଉଛନ୍ତି ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ସମୟସୀମା ବଢ଼ାଇଛନ୍ତି । ଭାରତରେ କରୋନା ପରିସ୍ଥିତି ଅନ୍ୟ ଦେଶ ତୁଳନାରେ ଭଲ ଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ରିସ୍କ ନେବାକୁ ଚାହିଁ ନାହାନ୍ତି । ସେ କହିଛନ୍ତି ମଣିଷ ଜୀବନର ମୂଲ୍ୟ ଲକ୍‌ଡାଉନ୍‌ କଷ୍ଟ ଠାରୁ ବହୁତ ଅଧିକ । ତେଣୁ କିଛି ଦିନ କଷ୍ଟ ସହି ଆମେ କରୋନାକୁ ଦୂରେଇ ଦେଇ ପାରିବା । ଦେଶରେ କରୋନା ବିରୋଧ ଲଢ଼େଇରେ କେନ୍ଦ୍ର ସରକାର ଅନେକ ଭଲ ଭଲ ପଦକ୍ଷେପ ନେଇଛନ୍ତି । ଯାହାଫଳରେ ମହାରାଷ୍ଟ୍ର ଓ ଦିଲ୍ଲୀ ଭଳି କେତୋଟି ରାଜ୍ୟକୁ ବାଦ୍‌ ଦେଲେ ଅନ୍ୟ ସବୁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା କମ୍‌ । ଯାହା ସରକାରଙ୍କ ସଠିକ୍‌ ପଦକ୍ଷେପକୁ ସୂଚାଉଛି ।

SANITIZETIONତେବେ କେନ୍ଦ୍ର ସରକାରଙ୍କ ପଦକ୍ଷେପ ପୂର୍ବରୁ ଓଡ଼ିଶା ସରକାର ସବୁ ବେଳେ ଆଗୁଆ ପଦକ୍ଷେପ ନେଇଛନ୍ତି । ସେ ଲକ୍‌ଡାଉନ୍‌ ନିଷ୍ପତ୍ତି ହେଉ କି କଣ୍ଟେନମେଣ୍ଟ ଜୋନ୍‌ କଥା ହେଉ । କରୋନା ପରୀକ୍ଷା କ୍ଷେତ୍ରର କଥା ହେଉ କି ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ ଏବଂ କ୍ୱାରେଣ୍ଟାଇନ୍‌ କରିବା ସହ ସଚେତନତାର କଥା ହେଉ । ସବୁଠି ଓଡ଼ିଶା ଆଗରେ । ସ୍ୱତନ୍ତ୍ର କୋଭିଡ୍‌ ହସପିଟାଲ ପ୍ରସ୍ତୁତ କରିବାରେ ମଧ୍ୟ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । ପ୍ରଥମେ ଲକ୍‌ଡାଉନ୍‌ ଘୋଷଣା କରିବା ଏବଂ ପରେ ଏହାକୁ ବଢ଼ାଇବାରେ ମଧ୍ୟ ଓଡ଼ିଶା ସରକାର ପ୍ରଥମେ ନିଷ୍ପତ୍ତି ନେଇଥିଲେ ।
କରୋନା ଲଢ଼େଇରେ ପ୍ରତ୍ୟେକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତ୍ତିକୁ ଓଡ଼ିଶା ପାଳନ କରୁଛି । ହେଲେ ସେଥିରୁ ଅଧିକାଂଶ ନିଷ୍ପତ୍ତି ନବୀନ ସରକାର ଆଗୁଆ କାର୍ଯ୍ୟକାରୀ କରିଛନ୍ତି । ଯେଉଁଥି ପାଇଁ ଆଜି ଅନ୍ୟ କରୋନା ଆକ୍ରାନ୍ତ ରାଜ୍ୟ ତୁଳନାରେ ଓଡ଼ିଶା ରହିଛି ଖୁବ୍‌ ଭଲ ସ୍ଥିତିରେ । ଆଜି ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହଜାର ୪୩୯ରେ ପହଞ୍ଚିଥିବା ବେଳେ ୧୩୦୬ ଜଣ ସୁସ୍ଥ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ହେଉଛି ୩୭୭ । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ରରେ ଆକାନ୍ତ ୨୬୮୭ ଜଣ ଥିବା ବେଳେ ୨୫୯ ଜଣ ସୁସ୍ଥ ହୋଇଛନ୍ତି ଓ ମୃତ୍ୟୁ ବରଣ କରିଛନ୍ତି ୧୭୮ ଜଣ । ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟ ୧୫୬୧, ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମାତ୍ର ୩୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୧୨୦୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୪୭ ଜଣ ସୁସ୍ଥ ହୋଇଛନ୍ତି । ମଧ୍ୟପ୍ରଦେଶରେ ଆକ୍ରାନ୍ତ ହୋଇଛନ୍ତି ୭୩୦ ଜଣ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେେ ୫୧ ଜଣ ସୁସ୍ଥତା ଲାଭ କରିଛନ୍ତି ।

TABLE-1ଉତ୍ତର ପ୍ରଦେଶ, ଗୁଜରାଟ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କେରଳ, ଜମ୍ମୁ କଶ୍ମୀର, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ହରିଆଣା ଓ ପଞ୍ଜାବ ଆଦି ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି । ତେବେ ଏହି ତାଲିକାରେ ଓଡ଼ିଶା ରହିଛି ବିହାର ପଛକୁ ୧୭ ନମ୍ବର ସ୍ଥାନରେ । ଓଡ଼ିଶାରେ ଆଜି ଯାଏ ସଂକ୍ରମିତଙ୍କ ସଂଖ୍ୟା ହେଉଛି ୬୦ । ଏମାନଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇଥିବା ବେଳେ ମାତ୍ର ଜଣଙ୍କର ମୃତ୍ୟୁ ଘଟିଛି । ଏହି ମୃତକ ଜଣକର କିନ୍ତୁ କରୋନା ପଜେଟିଭ୍‌ ବୋଲି ମୃତ୍ୟୁ ପରେ ହିଁ ଜଣାପଡ଼ିଥିଲା ।

TABLE-2କେବଳ କରୋନା ବିରୋଧୀ ଲଢ଼େଇ ନୁହେଁ ଏହା ସହିତ ଯୋଡ଼ି ହୋଇ ରହିଥିବା ଅନ୍ୟ ଦିଗଗୁଡ଼ିକ ପ୍ରତି ମଧ୍ୟ ରାଜ୍ୟ ସରକାର ବେଶ୍‌ ଭଲ ଭାବେ ଧ୍ୟାନ ଦେଇଛନ୍ତି । ବାହାର ରାଜ୍ୟରୁ ଆସିଥିବା ଓଡ଼ିଆ ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଣ, ଆମ ରାଜ୍ୟରେ ରହିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ପାଇଁ ଦୈନିକ ଖାଦ୍ୟ ବ୍ୟବସ୍ଥା, ଅତ୍ୟାବଶ୍ୟକ କ୍ଷେତ୍ରଗୁଡ଼ିକ ଉପରୁ ଲକ୍‌ଡାଉନ୍‌ ନିୟମ କୋହଳ କରିବା ଆଦି ଅନେକ ଜନମଙ୍ଗଳକାରୀ କାର୍ଯ୍ୟ କରାଯାଇଛି । ପ୍ରତିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋଭିଡ୍‌-୧୯ ସ୍ଥିତିର ସମୀକ୍ଷା କରିବା ସହ ପ୍ରଶାସକମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଉଛନ୍ତି । ତାଙ୍କର ବାର୍ତ୍ତା ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଛି । ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଅର୍ଥନୀତି ଉଜୁଡ଼ିଯିବା ବଡ଼କଥା ନୁହେଁ, ମଣିଷ ଜୀବନ ବଞ୍ଚାଇବା ଆମର ପରମ କର୍ତ୍ତବ୍ୟ ଓ ପ୍ରମୁଖ କାର୍ଯ୍ୟ । ସେଥିଲାଗି ସେ ସ୍ୱାସ୍ଥ୍ୟ ବିଭାଗରୁ ଆରମ୍ଭ କରି ପୋଲିସ୍‌ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଲୋକଙ୍କ ଅସୁବିଧାକୁ ଭଲ ଭାବେ ବୁଝିବା ଏବଂ ମାନବିକତା ଦୃଷ୍ଟିରୁ ସେମାନଙ୍କ ସହାୟତା କରିବା ଲାଗି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।

NAVEENପୂର୍ବରୁ ବାତ୍ୟା ଓ ବନ୍ୟା ସମୟରେ ସାଧାରଣ ଲୋକଙ୍କ ପାଇଁ ପ୍ରାକ୍‌ ପ୍ରସ୍ତୁତି କରି ଓଡ଼ିଶା ବିଶ୍ୱସ୍ତରରେ ଖୁବ୍‌ ପ୍ରଶଂସା ସାଉଁଟିଛି । ଯାହାଫଳରେ କମ୍‌ରୁ କମ୍‌ ଧନଜୀବନ ହାନି ଘଟିଥିଲା । ଏବେ କରୋନା ଯୁଦ୍ଧରେ ମଧ୍ୟ ଓଡ଼ିଶା ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି । ଏକ ସର୍ଭେ ଅନୁଯାୟୀ, ଓଡ଼ିଶା ସରକାରଙ୍କ କରୋନା ଜନିତ ପଦକ୍ଷେପକୁ ୮୫ ପ୍ରତିଶତ ଲୋକ ସମର୍ଥନ କରିଛନ୍ତି । ଯାହା ଏକ ବହୁତ ବଡ଼ ସଫଳତା ବୋଲି କହି ହେବ । ତେବେ ସରକାରଙ୍କ ପଦକ୍ଷେପ ସେତେବେଳେ ଶତପ୍ରତିଶତ ସଫଳ ହେବ ଯେତେବେଳେ ଜନସାଧାରଣ ମଧ୍ୟ ଶତପ୍ରତିଶତ ସହଯୋଗ କରିବେ ।

corona fighter

ମାର୍ଚ୍ଚ ୧୫ରେ ରାଜ୍ୟରେ ପ୍ରଥମ କୋଭିଡ୍‌ ପଜେଟିଭ୍‌ ଚିହ୍ନଟ ହୋଇଥିଲା । ଆଜି ଏପ୍ରିଲ ୧୫ ତାରିଖ । ଠିକ୍‌ ମାସେ ପରେ ଯଦି ଦେଶ, ବିଶ୍ୱ ଓ ଅନ୍ୟ ରାଜ୍ୟ ସହିତ ତୁଳନା କରାଯାଏ ତେବେ ଆମେ କେତେ ଭଲରେ ଅଛୁ ସେ କଥା ସ୍ପଷ୍ଟ ହୋଇଯିବ ।

POLICE-1

‘କଥାରେ ଅଛି ବୁଦ୍ଧି ବିଚାରି କାମ କଲେ, ବିପଦ ନପଡ଼ଇ ଭଲେ’ । ସରକାର ବିଚାର କରି ଆମ ଠାରୁ କରୋନା ବିପଦକୁ ଦୂରେଇ ରଖିବା ଲାଗି ସବୁ ବ୍ୟବସ୍ଥା କରିଛନ୍ତି । ଖାଲି ଆମକୁ ସେସବୁକୁ ସ୍ୱୀକାର କରିବାକୁ ପଡ଼ିବ । ଆମ ଜୀବନ, ଆମ ପରିବାର, ଆମ ସରକାର, ଆମ ଓଡ଼ିଶା । ଏଇ ମନୋଭାବ ରଖି ଏହି ପ୍ରତିକୂଳ ପରିସ୍ଥିତିକୁ ସାମନା କଲେ ପୁଣି ହସି ଉଠିବ ଓଡ଼ିଶା ଆଗ ଭଳି । ଖୁବ୍‌ ଶୀଘ୍ର ସ୍ୱାଭାବିକ ହୋଇଯିବ ସବୁ କିଛି ।

LOCKDOWN

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.