ଓମିକ୍ରନ କାଟିବ ସାଂଘାତିକ ଡେଲ୍ଟା ସଂକ୍ରମଣକୁ, ଏମିତି କହିଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ଓମିକ୍ରନ ସଂକ୍ରମଣ ଡେଲ୍ଟା ଷ୍ଟ୍ରେନ ପ୍ରତିରୋଧୀ ଇମ୍ୟୁନିଟି ବଢ଼ାଇବା ସହ ମାରାତ୍ମକ ରୋଗ ହେବାର ଆଶଙ୍କାକୁ କମାଇବ ବୋଲି ଦକ୍ଷିଣ ଆଫ୍ରିକା ବୈଜ୍ଞାନିକଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।
ଓମିକ୍ରନ ଦ୍ରୁତ ଗତିରେ ସଂକ୍ରମଣ ହେଉଥିବାରୁ ମାତ୍ର ୨ ସପ୍ତାହରେ ଏହାଦ୍ୱାରା ସୃଷ୍ଟ ଆଣ୍ଟିବଡ଼ି ୧୪ ଗୁଣ ହୋଇଯିବ ବୋଲି ଦକ୍ଷିଣ ଆଫ୍ରିକା ହେଲଥ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ର ବୈଜ୍ଞାନିକ ଆଲେକ୍ସ ସିଗଲ ଓ ଖାଦିଜା ଖାନ ପ୍ରକାଶ କରିଛନ୍ତି ।

ଏହାଦ୍ୱାରା ସୃଷ୍ଟି ହେଉଥିବା ଆଣ୍ଟିବଡ଼ି ଡେଲ୍‌ଟା ସଂକ୍ରମଣ ଅପେକ୍ଷା ୪.୪ ଗୁଣ ଅଧିକ ହୋଇଥାଏ । ଯଦି ଆମେ ଫାଇଜର କିମ୍ବା ବାୟୋଟେକ୍‌ ଟିକାର ଦୁଇଟି ଡୋଜ୍‌ ନେଇଥାଉ ତେବେ ଓମିକ୍ରନ ଆମର ବିଶେଷ କ୍ଷତି କରିବ ନାହିଁ ବରଂ ଏହା ଆମକୁ ସହାୟତା କରିବ । ଯଦି ଆମେ ପୂର୍ବରୁ ସଂକ୍ରମିତ ହୋଇଥାଉ ତେବେ ଏହା ଓମିକ୍ରନ ବିରୋଧରେ ଭଲ କାମ କରିବ । ସର୍ବଶେଷ ଗବେଷଣାରୁ ଏହା ଜଣାପଡ଼ିଛି ଯେ ଯେଉଁ ବ୍ୟକ୍ତି ଥରେ ଓମିକ୍ରନ ଦ୍ୱାରା ସଂକ୍ରମିତ ହୋଇଛନ୍ତି ସେହି ବ୍ୟକ୍ତି ଡେଲ୍ଟା ଭାଇରସ ଦ୍ୱାରା ସଂକ୍ରମଣ ହେବା କ୍ୱଚିତ ଦେଖାଯାଇଛି ।

ଦକ୍ଷିଣ ଆଫ୍ରିକାରେ ଆରମ୍ଭ ହୋଇଥିବା ସଂକ୍ରମଣର ୪ର୍ଥ ଲହରରେ ଓମିକ୍ରନ ଶକ୍ତିଶାଳୀ ଭାଇରସ ଭାବେ ଦଣ୍ଡାୟମାନ ହୋଇଛି । ତେବେ ଓମିକ୍ରନ ଏଯାଏ ସ୍ୱାସ୍ଥ୍ୟ ସେବା ଉପରେ ଏତେଟା ପ୍ରଭାବ ପକାଇ ନାହିଁ ଯାହା ଡେଲଟା ଓ ଅନ୍ୟ ଭାଇରସ ପକାଇଥିଲେ । ଏହା ଉପରେ ଅଧିକ ଗବେଷଣା ଜାରି ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Leave A Reply

Your email address will not be published.