ସରପଞ୍ଚମାନଙ୍କ ଦକ୍ଷତା ଉପରେ ଭରସା କଲେ ନବୀନ : ବାହାର ରାଜ୍ୟରେ ଥିବା ଓଡ଼ିଆଙ୍କୁ ତାଗିଦ, ଫେରିବା ପୂର୍ବରୁ ରେଜିଷ୍ଟ୍ରେସନ୍‌ କର

ଭୁବନେଶ୍ୱର (କେ ନ୍ୟୁଜ୍‌) : ନବୀନଙ୍କ ମିଶନ ଗାଁ ସୁରକ୍ଷା। ଲକଡାଉନ୍‌ ଖୋଲିଲେ ଓଡ଼ିଶା ଫେରିବେ ପ୍ରାୟ ୫ ଲକ୍ଷ। ଏଥିପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ। ଏହାକୁ ନେଇ ସରପଞ୍ଚଙ୍କ ସହ କଥା ହୋଇଇନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ପରେ ଆଜି ସେମାନଙ୍କୁ ଦାୟିତ୍ୱର ଶପଥ ପାଠ କରାଇଥିଲେ ନବୀନ ।

ମୁଁ ଶପଥ କରି କହୁଅଛି ଯେ….

ଭିଡିଓ କନଫରେନସିଂ ଜରିଆରେ ୬୭୯୮ ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ଶପଥ ପତ୍ର ପାଠ କରାଇଥିଲେ । ‘ମୁଁ ଶପଥ କରି କହୁଅଛି ଯେ ମୋ ପଞ୍ଚାୟତରେ, କରୋନାକୁ ରୋକିବା ପାଇଁ ମୋତେ ଦିଆଯାଇଥିବା ଦାୟିତ୍ୱ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବି। ଅନ୍ୟ ରାଜ୍ୟରୁ, ଗାଁକୁ ଆସୁଥିବା ଲୋକମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବି। ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରିବି। କରୋନାକୁ ରୋକିବା ପାଇଁ, ସରକାରଙ୍କ ସବୁ ପଦକ୍ଷେପକୁ ମୋ ପଞ୍ଚାୟତର ଭାଇଭଉଣୀମାନଙ୍କ ମଙ୍ଗଳ ପାଇଁ କଡ଼ାକଡ଼ି ଭାବେ ପାଳନ କରିବି। ମୋ ପଞ୍ଚାୟତରେ କରୋନାକୁ ପଶିବାକୁ ଦେବି ନାହିଁ।’

ସବୁ ବ୍ୟବସ୍ଥା କରିବେ ସରପଞ୍ଚ

ପୂର୍ବରୁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିଲା। ଆଜି ଦାୟିତ୍ୱର ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ। ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବା। ସେମାନଙ୍କ ରହିବା ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରି ଗାଁରେ କରୋନାକୁ ପଶିବାକୁ ନ ଦେବାକୁ ଶପଥ ପାଠ କରାଇଥିଲେ। ଏହା ସହ ମୁଖ୍ୟମନ୍ତ୍ରୀ କହିଥିଲେ, ସରପଞ୍ଚମାନଙ୍କ ଦକ୍ଷତା ଉପରେ ତାଙ୍କର ଭରସା ରହିଛି। ସରକାରଙ୍କ ପଦକ୍ଷେପକୁ ସରପଞ୍ଚମାନେ କଡାକଡି ପାଳନ କଲେ ଗାଁରେ କରୋନା ପଶିବ ପାରିବ ନାହିଁ। ପୂୁରା ସରକାରୀ କଳ ସରପଞ୍ଚଙ୍କ ସହ ଅଛି ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉତ୍ସାହିତ କରି କହିଛନ୍ତି। …

ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ପ୍ରଶଂସା

ଭିଡିଓ କନ୍‌ଫରେନ୍‌ସରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ, କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବାସ୍ତବ ପଦକ୍ଷେପକୁ ସବୁ ସ୍ତରରୁ ପ୍ରଶଂସା ମିଳୁଛି। ଏଥିପାଇଁ ଓଡ଼ିଶାବାସୀ ଗର୍ବିତ। ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ ଏକ ଉଲ୍ଲେଖନୀୟ ପଦକ୍ଷେପ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ପଦକ୍ଷେପ ଯୋଗୁଁ ଆମେ କରୋନା ମୁକାବିଲାରେ ଏ ପର୍ଯ୍ୟନ୍ତ ଆଗରେ ରହିଛୁ। ପଞ୍ଚାୟତ ଉପରେ ସରକାରଙ୍କ ଭରସା ରହିଛି।
ସେହିପରି ମୁଖ୍ୟମନ୍ତ୍ରୀଙ୍କ ଫାଇଭ ଟି ସଚିବ ଭି.କେ ପାଣ୍ଡିଆନ, ସରପଞ୍ଚଙ୍କ ସହ ଆଲୋଚନା କରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ରୋକିବା ପାଇଁ କେତେକ ସୁଚିନ୍ତିତ ଓ ବାସ୍ତବବାଦୀ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଭାଗ ନେଇ ସରପଞ୍ଚମାନେ ଖୁବ୍‌ ଉତ୍ସାହିତ ଥିଲେ।

ଫେରିବେ ୫ ଲକ୍ଷ ଓଡ଼ିଆ

ଆଗାମୀ ଦିନରେ ଓଡ଼ିଶା ବାହାରୁ ପ୍ରାୟ ୫ ଲକ୍ଷ ଓଡ଼ିଆ ନିଜ ଗାଁକୁ ଫେରିବା ସମ୍ଭାବନା ରହିଛି। ରାଜ୍ୟ ସରକାର ଏପ୍ରିଲ ୨୪ ତାରିଖ ଦିନ ଏକ ପୋର୍ଟାଲ ଖୋଲିବେ। ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ପରିବାର ଲୋକେ ଯେପରି ପୋର୍ଟଲରେ ପଞ୍ଜୀକରଣ କରିବେ ତାହା ସୁନିଶ୍ଚିତ କରିବା ଦାୟିତ୍ୱ ସରପଞ୍ଚମାନଙ୍କ ହାତରେ ରହିଛି।
ଆଜି ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ, ପଞ୍ଚାୟତିରାଜ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ଲୋକସେବା ଭବନରୁ ଏବଂ ସରପଞ୍ଚମାନେ ବ୍ଲକ ସ୍ତରରୁ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଡ଼ି ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.