ଚୀନରେ ସବୁଠୁ ବଡ଼ ଲକଡାଉନ୍‌: ଜିଆନ୍‌ର କୋଟିଏ ୩୦ ଲକ୍ଷ ଲୋକ ତାଲାବନ୍ଦୀ, ଆମେରିକାରେ ବି ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ପାର୍

ଆମେରିକା: ଆମେରିକାରେ ରେକର୍ଡ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୫ ହଜାର ୯୦୯ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୧ ହଜାର ୧୦୮ ଜଣ । ସେହିଭଳି ୟୁକେରେ ଅଣାୟତ୍ତ କରୋନା । ୨୪ ଘଣ୍ଟାରେ ୧ ଲକ୍ଷ ୧୯ ହଜାର ୭୮୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି ।

ଫ୍ରାନ୍ସରେ ୯୧ ହଜାର ୬୦୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ସ୍ପେନରେ ଗୋଟିଏ ଦିନରେ ୭୨ ହଜାର ୯୧୨ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଇଟାଲିରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୪୪ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହେବା ପରେ ଇଟାଲିରେ ପୁଣି କଟକଣା ଲଗାଯାଇଛି । ସମସ୍ତ ନୂଆବର୍ଷ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ବାହାରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି ।

ଚୀନରେ ସବୁଠୁ ବଡ଼ ଲକଡାଉନ୍‌:

ଚୀନରେ ସବୁଠୁ ବଡ଼ ଲକଡାଉନ୍‌ । ଚୀନରେ କୋଭିଡ ସଂକ୍ରମଣ ରୋକିବାକୁ ସବୁଠୁ ବଡ ଲକଡାଉନ୍‌ । ଚୀନ୍‌ ଏହାର ଜିଆନ୍‌ ସହରର କୋଟିଏ ୩୦ ଲକ୍ଷ ଲୋକଙ୍କୁ ତାଲାବନ୍ଦୀରେ ରଖାଯାଇଛି । ଚୀନରେ ଏହା ସବୁଠୁ ବଡ଼ ଲକଡାଉନ୍‌ ବୋଲି କୁହାଯାଉଛି । ଲୋକମାନଙ୍କୁ ଘରେ ରହିବାକୁ କହିଛି ଚୀନ ।

ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଦିନକୁ ଥରେ ବା ଦୁଇ ଦିନକୁ ଥରେ ବାହାରିବାକୁ ଅନୁମତି ରହିଛି। ନହେଲେ ଜରୁରୀ ଆବଶ୍ୟକ ହେଲେ ବାହାରକୁ ବାହାରି ହେବ । ଜିଆନ୍‌ରୁ ଯାତ୍ରା ଉପରେ କଡ଼ା ନଜର ରଖିବେ ସ୍ୱାସ୍ଥ୍ୟ ଅଧିକାରୀ। ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟ ସବୁ ବ୍ୟବସାୟ ବନ୍ଦ ରହିବ । ମହାମାରୀ ଆରମ୍ଭ ଦିନରୁ ଜିରୋ ଟଲେରାନ୍‌ସ ନୀତି ଗ୍ରହଣ କରିଛି ଚୀନ୍‌ । ଜିଆନରେ ୧୪ ଜିଲ୍ଲାରେ ୧୨୭ ସଂକ୍ରମିତ ମାମଲା ଚିହ୍ନଟ ହୋଇଥିଲା । ଫଳରେ ଚୀନ ଏହାର କଟକଣା କଡାକଡି କରିଛି ।