Sabuthi Sabubele Hata Muthare Khabar

ଶବରେ ଭରିଗଲା ସହର.. ଅନ୍ତିମ ସଂସ୍କାର ପାଇଁ ନାହିଁ ଅନୁମତି, କେବଳ ଖବରକାଗଜରେ ଦିଆଯାଉଛି ଶୋକ ସନ୍ଦେଶ

କରୋନା ପାଇଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଇଟାଲୀରେ ଗତ ତିନି ଦିନ ମଧ୍ୟରେ ଏହି ମହାମାରୀ ସଂକ୍ରମଣର ସଂଖ୍ୟା ଟିକିଏ ହ୍ରାସ ପାଇଛି । ରବିବାର ଦିନ ୩୯୫୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ସୋମବାର ୩୭୮୦ ଏବଂ ମଙ୍ଗଳବାର ୩୬୧୨ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ତେବେ ରୋଗୀଙ୍କ ସଂକ୍ରମଣ ହ୍ରାସ ପାଉଥିବା ଦେଖି ଏହାକୁ ରୋକିବା ପାଇଁ ପ୍ରୟାସ କରୁଥିବା ଇଟାଲି ଏବେ ପୁଣିଥରେ ଭାଙ୍ଗିପଡ଼ିଛି । କାରଣ ଗତକାଲି ଏଠାରେ କରୋନା ପାଇଁ ୭୪୩ ଜଣ ଲୋକ ପ୍ରାଣ ହରାଇଛନ୍ତି ଯଦିଓ ଏହା ପୂର୍ବରୁ ଶନିବାର ଦିନ ୭୯୩ ଜଣ ଏଥିରେ ମୃତ୍ୟୁବରଣ କରିଥିଲେ ।

ତେବେ ମୃତ୍ୟୁସଂଖ୍ୟା ବଢୁଥିବା ଦେଖି ବର୍ତ୍ତମାନ୍ ଇଟାଲି କରୋନା ରୋଗୀଙ୍କୁ ଚିକିତ୍ସା ପାଇଁ ଜର୍ମାନୀ ପଠାଉଛି । ଏଠାରେ ସଂକ୍ରମଣ ସଂଖ୍ୟା ୬୯,୧୭୬ ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୬,୮୨୦ ଛୁଇଁଛି ଯାହାକି ସାରା ଦେଶପାଇଁ ଏକ ଚିନ୍ତାଜନକ ବିଷୟ । ତେବେ ଏତେ ସଂଖ୍ୟକ ସଂକ୍ରମଣ ମଧ୍ୟରେ ମାତ୍ର ୮,୩୨୬ ଜଣ ଲୋକ ଠିକ୍ ହୋଇ ଘରକୁ ଫେରିଛନ୍ତି ।

ସୂଚନା ଅନୁଯାୟୀ କରୋନା ଭୟରେ ଏବେ ଇଟାଲୀ ଅନ୍ତିମ ସଂସ୍କାର ଉପରେ ମଧ୍ୟ ରୋକ ଲଗାଇ ଦେଇଛି । ଯାହାଦ୍ୱାରା କୌଣସି ବି ପରିବାର ନିଜର ପ୍ରିୟଜନଙ୍କୁ ଶେଷ ବିଦାୟ ମଧ୍ୟ ଦେଇ ପାରୁନାହାନ୍ତି । ମୃତ୍ୟୁସଂଖ୍ୟା ଏତେ ଅଧିକ ଯେ ଶବଗୁଡିକୁ ବର୍ତ୍ତମାନ୍ ଅନ୍ୟ ସହରରେ କବର ଦିଆଯାଉଛି । ଇଟାଲିର ଜନସଂଖ୍ୟାରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଥିବା କାରଣରୁ ଏହି ଲୋକମାନଙ୍କୁ ବଞ୍ଚାଇବା ବର୍ତ୍ତମାନ୍ ଏକ ବଡ଼ ଚ୍ୟାଲେଞ୍ଜ ହୋଇପଡିଛି । ସୂଚନା ଅନୁଯାୟୀ ବର୍ତ୍ତମାନ ସହରର କାନ୍ଥବାଡଠୁ ଆରମ୍ଭ କରି ଖବରକାଗଜ ପର୍ଯ୍ୟନ୍ତ ସବୁଆଡ଼େ କେବଳ ମୃତ୍ୟୁର ଶୋକ-ସନ୍ଦେଶ ଦିଆଯାଉଛି ।

Leave A Reply

Your email address will not be published.