ଜାଣନ୍ତୁ ସ୍ନାନବେଦୀରେ ମହାପ୍ରଭୁଙ୍କର କେମିତି ହୁଏ ସ୍ନାନ?

ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରିଥାନ୍ତି । ଏହା ପରେ ଦିଅଁମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ । ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି । ସେଥିପାଇଁ ଏହି ଦିନକୁ ଦେବସ୍ନାନ ବୋଲି କୁହାଯାଇଥାଏ । ଏହି ଅବସରରେ ଶ୍ରୀଜୀଉମାନଙ୍କର ଜନ୍ମ ଉତ୍ସବ ପାଳନ ବିଧି ରହିଥିବା ବେଳେ ଚତୁର୍ଦ୍ଧା ମୂରତି ଗଜାନନ ବେଶ ଧାରଣ କରିଥାଆନ୍ତି । ସ୍ନାନମଣ୍ଡପରେ ଦକ୍ଷିଣାଭିମୁଖି ଶ୍ରୀଜଗନ୍ନାଥାଦିଙ୍କୁ ଯେଉଁମାନେ ଭକ୍ତି ସହକାରେ ଦର୍ଶନ ବା ପୂଜାଅର୍ଚ୍ଚନା କରନ୍ତି ସେମାନେ ଅଶ୍ୱମେଧ ଯଜ୍ଞର ଫଳଲାଭ କରଥାନ୍ତି ।

ଜ୍ୟେଷ୍ଠ ପୂର୍ଣ୍ଣିମା ଦିବସରେ ମହାପ୍ରଭୁଙ୍କ ଆବିର୍ଭାବ

ବର୍ଷରେ ଥରୁଟିଏ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହିତ ଜଳସ୍ନାନ କରନ୍ତି, ଅନ୍ୟ ସମୟରେ ତାଙ୍କୁ ମନ୍ତ୍ରସ୍ନାନ କରାଯାଏ । ଏହା ରଥଯାତ୍ରା ଆଗରୁ ପାଳିତ ହେଉଥିବା ଏକ ପୂଜା ବିଧି । ଦାରୁବ୍ରହ୍ମଙ୍କ ଲୀଳାକ୍ଷେତ୍ର ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା ବୋଲି କୁହାଯାଏ । ମହାପ୍ରଭୁଙ୍କ ଆବିର୍ଭାବ ବେଳେ ପ୍ରଥମେ ଏହି ସ୍ନାନ ହୋଇଥିବାରୁ ଶ୍ରୀଦାରୁବ୍ରହ୍ମଙ୍କ ଆଦ୍ୟଲୀଳା ବୋଲି କୁହାଯାଏ । ମହାପ୍ରଭୁ ଦାରୁବ୍ରହ୍ମ ରୂପ ଧାରଣ କରିବା ପରେ ପ୍ରଥମ ମଙ୍ଗଳମୟ ମୁହୂର୍ତ୍ତରେ ଏହି ସ୍ନାନଲୀଳା କରାଇଥିଲେ ମହାରାଜା ଇନ୍ଦ୍ରଦ୍ୟୁମ । ଶାସ୍ତ୍ର ଅନୁସାରେ ୧୦୮ ସୁନା କଳସରେ ଅଭିମନ୍ତ୍ରିତ ପବିତ୍ର ଜଳରେ ଦାରୁବ୍ରହଙ୍କ ଆଦ୍ୟ ସ୍ଥାନଲୀଳା ସମାପନ ହୋଇଥିଲା । ସେହି ଶାସ୍ତ୍ରୀୟ ମତକୁ ଅନୁସରଣ କରି ଆଜି ବି ସେହିପରି ସ୍ନାନଯାତ୍ରା ଅନୁଷ୍ଠିତ ହେଉଅଛି ।  ସ୍ନାନ ପୂର୍ଣ୍ଣିମା ପୂର୍ବଦିନ ସାଧାରଣ ଦିନ ପରି ଶ୍ରୀମନ୍ଦିରରେ କବାଟ ଫିଟା, ପାହାନ୍ତିଆ ଅବକାଶ, ଗୋପାଳ ବଲ୍ଲଭ, ସକାଳଧୂପ, ଦ୍ଵିପ୍ରହର ଧୂପ ଆଦି ସମସ୍ତ ନୀତିର ସମାପନ ପରେ ସ୍ଵଳ୍ପସମୟ ପାଇଁ ପହୁଡ଼ ହୁଏ ଓ ପରେ ପରେ ସ୍ନାନ ପୂର୍ଣ୍ଣିମାର ବିଧି ଆରମ୍ଭ ହେଇଯାଏ । ଏହିଦିନ କୋଠ ସିଆଁସିଆ ମନ୍ଦିରରେ ପ୍ରବେଶ କରନ୍ତି ଓ ପହଣ୍ଡି ପାଇଁ ଚାରମାଳ ବାନ୍ଧନ୍ତି l ଏହା ପରେ ରତ୍ନ ସିଂହାସନ ଉପରେ ମଙ୍ଗଳାର୍ପଣ କରାଯାଏ ।

 

snana-purnima

ଶୀତଳା ଠାକୁରାଣୀଙ୍କ କୂଅରୁ ଆସେ ଶୀତଳ ଜଳ

ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦଇତାମାନେ ପହଣ୍ଡି କରାଉଥିବା ବେଳେ ମଦନମୋହନଙ୍କୁ କେବଳ ମହାଜନ ସେବକମାନେ ବିଜେ କରାଇଥାନ୍ତି । ପହଣ୍ଡି ବିଜେ ସମୟରେ ସାତ ପାହଚ ଉପରେ ଠାକୁରମାନେ ଚୂଳ ଓ ଟାହିଆ ଲାଗି ହୁଅନ୍ତି । ଏହି ସାତପାହଚ ଉପରେ ଟାହିଆ ନାଗି ହେବାପରେ ଦ୍ଵିତୀୟ ମଙ୍ଗଳାର୍ପଣ ହୁଏ । ତା ପରେ ବନ୍ଦାପନା ଓ ପରେ ପରେ ରାଘବଦାସ ମଠରୁ ଆସିଥିବା ଘଷା ନାଗି କରାଯାଏ । ତା ପରେ ପନ୍ତି ଖାଇ ଖାଇ ଠାକୁରମାନେ ସ୍ନାନବେଦିକୁ ଯାଇ ନିଜର ଆସ୍ଥାନ ଉପରେ ଅବସ୍ଥାନ କରନ୍ତି l ଗରାବଡୁ ସୁବର୍ଣ୍ଣକଳସ ଧରି ଶୀତଳାଦେବୀଙ୍କ ସମ୍ମୁଖସ୍ଥ ଓ ବର୍ଷତମାମ ଅପବ୍ୟବହୃତ ହୋଇ ରହିଥିବା ସ୍ଵର୍ଣ୍ଣକୂପରୁ ଜଳ ଆଣନ୍ତି । ଦେବସ୍ଥାନ ପୂର୍ଣ୍ଣିମାର ପୂର୍ବ ଦିନ ମହାପ୍ରଭୁଙ୍କ ପାଇଁ ଶ୍ରୀମନ୍ଦିରର ଦେବଯାନ ମାର୍ଗରେ ଅବା ସୁନା କୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଏ । ଏହି ସୁନା କୂଅଟି ଶୀତଳା ଠାକୁରାଣୀ ଓ ତାଙ୍କ ବାହାନ ସିଂହଙ୍କ ମଧ୍ୟରେ ଅବସ୍ଥିତ । ପରେ ଯେପରି ଏହି କୂଅକୁ ବର୍ଷସାରା ସିଂହ ହିଁ ସୁରକ୍ଷିତ ରଖିଥାଏ ।

gaja besa

୧୦୮ ଗରା ଜଳରେ ସ୍ନାନ କରନ୍ତି ଶ୍ରୀଜୀଉ

ସ୍ନାନ ପୂର୍ବରୁ ସୁନା ଗୋସାଇଁ ଓ ମୁଦିରସ୍ତଙ୍କଦ୍ୱାରା ସୁନା କୂଅରୁ ଅଣାଯାଇଥିବା ୧୦୮ ଗରା ଅଭିମନ୍ତ୍ରିତ ଜଳକୁ ଅଧିବାସ ଗୃହରୁ ମଣ୍ଡପକୁ ଅଣାଯାଏ । ସମସ୍ତ ଗରାରେ ଥିବା ଜଳରେ ଚନ୍ଦନ, କେଶର, କର୍ପୂର, ଚୁଆ, ହରିତାଳ, ବାହାଡ଼ା, ଅଗୁର, ଅଷ୍ଟଗନ୍ଧ ଇତ୍ୟାଦି ମିଶ୍ରିତ ହୋଇ ଯଥାବିଧି ପୂଜାକାର୍ଯ୍ୟ ହୋଇଥାଏ । ଠାକୁରମାନଙ୍କର ଷୋଡଶ ଉପଚାର ପୂଜା ବଢ଼ିବା ପରେ ଗରାବଡୁ ସେବକମାନେ ଜଳଗରାରେ ଜଳକୁ ନେଇ ପ୍ରତିବାଡର ମେକାପ ଧରିଥିବା ରୂପାପିଙ୍ଗଣରେ ଢାଳନ୍ତି । ପୂଜାପଣ୍ଡାମାନେ ସେହି ଜଳରେ ଠାକୁରମାନଙ୍କୁ ଜଳଲାଗି କରାନ୍ତି । ପୂଜା କରାଯାଇଥିବା ୧୦୮ ଗରା ଜଳମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ୩୫ ଗରା ଜଳ, ଶ୍ରୀବଳଭଦ୍ରଙ୍କୁ ୩୩ ଗରା, ଦେବୀ ସୁଭଦ୍ରାଙ୍କୁ ୨୨ ଗରା ଓ ଶ୍ରୀସୁଦର୍ଶନଙ୍କୁ ୧୮ ଗରା ଜଳରେ ସ୍ନାନ କରାଯାଇଥାଏ ସ୍ନାନ ପରେ ଗୋପାଳ ତୀର୍ଥମଠରୁ ଆସିଥିବା ଦୁଇ ବାଡ଼ ଓ ରାଘବ ଦାସ ମଠରୁ ଆସିଥିବା ଦୁଇ ବାଡ଼ ଉପକରଣରେ ଯଥାକ୍ରମେ ‘ବଳଭଦ୍ର ଓ ସୁଦର୍ଶନ’ ଓ ‘ଜଗନ୍ନାଥ ଓ ସୁଭଦ୍ରା’ଙ୍କୁ ଗଜାନନ ବେଶରେ ବିଭୂଷିତ କରାଯାଏ । ଏହି ବେଶରେ ଶ୍ରୀବଳଭଦ୍ର ଧବଳ ବେଶରେ ଓ ଶ୍ରୀଜଗନ୍ନାଥ କଳାଗଣେଶ ରୂପରେ ଶୋଭାପାଆନ୍ତି । ଏହାପରେ ରାତିରେ ଶ୍ରୀଜିଉମାନଙ୍କୁ ରତ୍ନସିଂହାସନକୁ ଅଧିଷ୍ଠିତ କରାନଯାଇ ଏକାନ୍ତ ଭାବେ ଅଣସର ଘରେ ୧୫ ଦିନ ରଖି ଗୁପ୍ତବିଧି ଅନୁଯାୟୀ ପୂଜା କରାଯାଏ । ଅଣସର ଦିନରେ ସର୍ବସାଧାରଣଙ୍କୁ ଦର୍ଶନ ନିଷେଧ କରାଯାଏ ।

 

 

Leave A Reply

Your email address will not be published.