ଗୁରୁ ପଦ୍ମସମ୍ଭବ ଅନ୍ତର୍ଜାତୀୟ ସମ୍ମିଳନୀରେ ଦେଶ ତଥା ଦେଶ ବାହାରୁ ଯୋଗଦେଲେ ୧୫ଶହ ବୌଦ୍ଧ ଧର୍ମାବଲମ୍ବୀ

ଯାଜପୁର: ପ୍ରସିଦ୍ଧ ବୌଦ୍ଧପୀଠ ଉଦୟଗିରି ଠାରେ ଭଗବାନ ବୁଦ୍ଧଙ୍କ ଦ୍ଵିତୀୟ ଅବତାର ତଥା ଆନ୍ତର୍ଜାତୀୟ ଗୁରୁ ପଦ୍ମସମ୍ଭବଙ୍କ ଦେହବସାନ ଘଟିଛି । ଏହାର ପ୍ରାମାଣିକ ତଥ୍ୟ ମିଳିବା ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ ଅଧିକ ଜାଣିବା ଏବଂ ଆଲୋଚନା ପାଇଁ ‘ଫାଷ୍ଟ ଗୁରୁ ପଦ୍ମସମ୍ଭବ କନକ୍ଳେଭ’ ଉଦଘାଟିତ ହୋଇଯାଇଛି । ୫ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଗୁରୁ ପଦ୍ମସମ୍ଭବ ଅନ୍ତର୍ଜାତୀୟ ସମ୍ମିଳନୀରେ ଦେଶ ତଥା ଦେଶ ବାହାରୁ ୧୫ଶହ ବୌଦ୍ଧ ଧର୍ମାବଲମ୍ବୀ ଯୋଗଦେଇଛନ୍ତି ।
ଏହି ଅବସରରେ ଉଦୟଗିରି ସ୍ଥିତ ପର୍ଯ୍ୟଟନ ବଙ୍ଗଳା ଠାରୁ ସମସ୍ତେ ଏକ ଶାନ୍ତି ଶୋଭାଯାତ୍ରାରେ ବୌଦ୍ଧ ପୀଠ ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ବିଭିନ୍ନ ଦେଶର ପ୍ରତିନିଧି ମାନେ ପରମ୍ପରିକ ପୋଷାକ ପରିଧାନ ସହ ମନ୍ତ୍ର ଉଚ୍ଚାରଣ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଉଦୟଗିରି ସ୍ଥିତ ଉପାସନା ସ୍ଥଳରେ ବୌଦ୍ଧ ସନ୍ୟାସୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିରେ ଧର୍ମଗୁରୁ ମାନେ ଯୋଗଦେଇ ଗୁରୁ ପଦ୍ମ ସମ୍ଭବଙ୍କ ସମ୍ପର୍କରେ ଆଲୋଚନା କରିବା ସହ ଜଗତର କଲ୍ୟାଣ ପାଇଁ ସମୂହ ପ୍ରାର୍ଥନା କରାଯାଇଥିଲା।
ଲାଇଟ ଅଫ ବୁଦ୍ଧ ଧର୍ମ ଫାଉଣ୍ଡେସନ ଇଣ୍ଟରନେସନାଲ ସହ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତର ବିଭିନ୍ନ ପ୍ରଦେଶ ଯେପରି ଥାଇଲାଣ୍ଡ, ନେପାଳ, ଭୁଟାନ, ଭିଏତନାମ, କାମ୍ବୋଡ଼ିଆ, ବ୍ରାଜିଲ, ଆମେରିକା, ଫ୍ରାନ୍ସ ଆଦି ଦେଶରୁ ବୌଦ୍ଧ ସନ୍ୟାସୀ ମାନେ ଯୋଗଦେଇଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମରେ ସିକିମର ମନ୍ତ୍ରୀ, ଫାଉଣ୍ଡେସନର ଅଧ୍ୟକ୍ଷା, ଯାଜପୁର ସାଂସଦ, ବଡ଼ଚଣା ବିଧାୟକ, ଯାଜପୁର ଜିଲ୍ଲାପାଳ ପ୍ରମୁଖ ଯୋଗଦେଇଥିଲେ ।
ସମ୍ମିଳନୀରେ ଯୋଗଦେଇଥିବା ବୌଦ୍ଧ ସନ୍ୟାସୀଙ୍କ ପାଇଁ ଉଦୟଗିରି, ରତ୍ନଗିରି ଓ ଲଳିତଗିରି ଠାରେ ରହଣୀ ସହ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଏହି ସମ୍ମିଳନୀରେ ବିଶ୍ୱ ଐତିହ୍ୟ ତାଲିକାରେ ହୀରକ ତ୍ରିଭୁଜକୁ ସାମିଲ କରିବା, ଅସିଆ ପର୍ବତମାଳାରେ ଗଢି ଉଠିଥିବା ପୁରାତନ ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ପୁନଃ ପ୍ରତିଷ୍ଠା ଓ ଗୁରୁ ପଦ୍ମ ସମ୍ଭବଙ୍କ ସମ୍ପର୍କରେ ଆଲୋଚନା ସଭାମାନ ଅନୁଷ୍ଠିତ ହେବ ସୂଚନା ମିଳିଛି । ପ୍ରଥମ ଥର ପାଇଁ ଗୁରୁ ପଦ୍ମସମ୍ଭବଙ୍କ ନାମରେ ଏହି ଆନ୍ତର୍ଜାତୀୟ ସମ୍ମିଳନୀକୁ ନେଇ ବୌଦ୍ଧ ପ୍ରେମୀ ଓ ଗବେଷକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଆସନ୍ତା ୧୬ତାରିଖ ପର୍ଯ୍ୟନ୍ତ ଏହା ଚାଲିବ ।