ଭଞ୍ଜନଗର: ଓଡ଼ିଶାରେ ଭିନ୍ନ ଭିନ୍ନ ପରମ୍ପରା ରୀତି ନୀତି ଦେଖିବାକୁ ମିଳିଥାଏ । ଆଉ ସବୁଠୁ ବଡ଼ କଥା ହେଉଛି ଗାଁ ମାନଙ୍କରେ ଦେଖାଯାଏ ଭିନ୍ନ ପୂଜା ପାଠ ହୋମ, ଯଜ୍ଞ ଇତ୍ୟାଦି । ତେବେ ଏହି ଅବସରରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଗହଳି ଭିତରେ ଏବେ ଚାଲିଛି ୨୧ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ଆୟୋଜିତ ହୋଇଛି ୨୧ କୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ । ମହାଯଜ୍ଞର ତୃତୀୟ ସନ୍ଧ୍ୟାରେ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହାସହ ନାମ ସଂକୀର୍ତ୍ତନ ସାଙ୍ଗକୁ ଘୃତ ଯଜ୍ଞ, ଏବଂ ଗୋ-ଯଜ୍ଞ ଆୟୋଜନ ହୋଇଥିଲା ।
ପ୍ରାୟ ୧୦ ହଜାରରୁ ଅଧିକ ଭକ୍ତ, ଅନ୍ନ-ଯଜ୍ଞରେ ସାମିଲ୍ ହୋଇଥିଲେ । ବିଶେଷ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ ପ୍ରଦର୍ଶନ ସବୁଠୁ ମୁଖ୍ୟ ଆକର୍ଷଣ ହୋଇଥିବାବେଳେ, ବହୁ ସଂଖ୍ୟକ ଶ୍ରଦ୍ଧାଳୁ ସାମିଲ୍ ହୋଇଥିଲେ । ପୋଲିସ୍ ପକ୍ଷରୁ ଟ୍ରାଫିକ ଏବଂ ଆଇନ୍ ଶୃଙ୍ଖଳା ପ୍ରତି ଦୃଷ୍ଟି ଦିଆଯିବା ସହ ଆୟୋଜିତ କମିଟି ପକ୍ଷରୁ ପରିଚାଳନା କରାଯାଇଥିଲା ।
ବିଶ୍ୱଶାନ୍ତି ମହାଯଜ୍ଞ । ଶାନ୍ତି ଯଜ୍ଞ ଅର୍ଥାତ୍ ଶାନ୍ତି, ସୁଖ, ସମୃଦ୍ଧି, ସୁସ୍ଥ ନିରାମୟ ଜୀବନ ପାଇଁ ଏହି ଯଜ୍ଞ କରାଯାଇ ଥାଏ । ସମାଜରେ ଶାନ୍ତି ପ୍ରତିଷ୍ଠା କରିବା ଏହି ଯଜ୍ଞର ମୂଳ ମନ୍ତ୍ର । ଆଉ ଏହି ଯଜ୍ଞକୁ ନେଇ ସମସ୍ତଙ୍କ ମନରେ ବେଶ୍ ଉତ୍ସାହ ରହିଥାଏ । ଯଜ୍ଞକୁ ଦେଖିବା ପାଇଁ କାହିଁ କେତେ ଦୁରରୁ ଧାଇଁ ଆସିଥାଆନ୍ତି ଲୋକେ । ଭକ୍ତିରେ ପ୍ରଭୁଙ୍କୁ କାମନା କରିଥାଆନ୍ତି ।