ଉମରକୋଟ: ଏବେ ପାର୍ବଣର ଋତୁ । ଚାରିଆଡ଼େ ପୂଜା ପାଉଛନ୍ତି ମା’ କାଳୀ । ରାଜ୍ୟର ବିଭିନ୍ନ ସ୍ଥାନରେ ମା’ଙ୍କ ପୂଜା ଚାଲିଥିବାବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବଡ଼କୁମାରୀ ଗାଁ ପୂଜା ମଣ୍ଡପର ପୂଜା କିଛି ସ୍ୱତନ୍ତ୍ର । ଏଠାରେ ଦଶଦିନ ଧରି ପୂଜା ପାଆନ୍ତି ମା’ । ଏଠାର ବିଶେଷ୍ୟତ ହେଲା ଏଠାର ବିଶାଳକାୟ ମୂର୍ତ୍ତି ।
ନବରଙ୍ଗପୁର ଜିଲ୍ଲାରେ ପ୍ରାୟ ୫୨ଗୋଟି ବେଙ୍ଗଲୀ ଗାଁ ରହିଥିବା ବେଳେ, ପ୍ରତି ଗାଁରେ ମା’ କାଳୀଙ୍କ ପୂଜା ହୋଇଥାଏ । କିନ୍ତୁ ଏହି ଅବସରରେ ଉମରକୋଟ ବଡ଼କୁମାରୀ ବଙ୍ଗୀୟ ଗ୍ରାମର ପୂଜା ମଣ୍ଡପରେ ପୂଜା ପାଉଛନ୍ତି ପ୍ରାୟ ୪୫ ଫୁଟ୍ ଉଚ୍ଚତାର ମା’ କାଳୀଙ୍କ ମୃଣ୍ମୟୀ ମୂର୍ତ୍ତି । ପ୍ରତି ବର୍ଷ ଗାଁରେ କାଳୀ ପୂଜା ହୋଇଥାଏ କିନ୍ତୁ ଚଳିତ ବର୍ଷ ୬୦ବର୍ଷ ପୂର୍ତ୍ତି ଅବସରରେ ୪୫ଫୁଟ୍ ଉଚ୍ଚତାର କାଳୀ ମୂର୍ତ୍ତି ସ୍ଥାପନ କରାଯାଇଛି ।
ଏହି ପୂଜାର ଅନ୍ୟ ଏକ ସ୍ୱତନ୍ତ୍ରତା ହେଲା ଏଠାରେ ୧୦ ଦିନ ଧରି ମା’ଙ୍କୁ ପୂଜା କରାଯାଇଥାଏ । ବଡ଼କୁମାରୀ ଗାଁରେ ବଙ୍ଗୀୟ ଓ ଅଧିବାସୀ ଲୋକ ବସବାସ କରନ୍ତି କିନ୍ତୁ ଏଠାରେ ସମ୍ପୂର୍ଣ୍ଣ ଭାଇଚାରା ପରମ୍ପରା ସହ ରୀତିନୀତିରେ ପୂଜା ହୁଏ । ଦ୍ଵୀପ ପ୍ରଜ୍ୱଳନ ସହ ଝୁଣା ଆଳତିର ଖେଳ ବି ହୋଇଥାଏ ଏବଂ ବିସର୍ଜନ ପୂର୍ବରୁ ସିନ୍ଦୂର ଖେଳ ବି ହୁଏ ।
୧୦ ଦିନ ଧରି ପୂଜା ହେଉଥିବାରୁ ଏହି ପୂଜାକୁ ବହୁ ଆଡମ୍ବର ସହକାରେ ପାଳନ କରିବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି । ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ୍ ବାହିନୀ ଓ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ଏଥିସହ କମିଟି ପକ୍ଷରୁ ୧୦୦ ଜଣ ସ୍ୱେଛସେବୀ ଭକ୍ତଙ୍କ ସୁରକ୍ଷା ପାଇଁ କାମ କରିବା ସହ ଭକ୍ତଙ୍କ ମନୋରଞ୍ଜନ ପାଇଁ ଏ ବର୍ଷ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରଖାଯାଇଛି ।
ତେବେ, ଏହି ବଡ଼କୁମାରୀ ଗ୍ରାମର ଏହି କାଳୀ ପୂଜା ଓଡ଼ିଶା ପ୍ରସିଦ୍ଧ । ଏହି ପୂଜା ଦେଖିବାକୁ ଜିଲ୍ଲା ତଥା ରାଜ୍ୟ ବାହାରୁ ଅନେକ ଶ୍ରଦ୍ଧାଳୁ ଆସନ୍ତି । ଏଥିସହ ଛତିଶଗଡ଼, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରୁ ମଧ୍ୟ ଅନେକ ଭକ୍ତ ଆସିଥାନ୍ତି ପୂଜା ଦେଖିବାକୁ । ମିନା ବଜାର ଓ ମେଳା ଲାଗିଥାଏ ଏହି କାଳୀ ପୂଜା ଉତ୍ସବରେ । ଏହି ପୂଜା ମାଧ୍ୟମରେ ସମ୍ପର୍କୀୟ ମାନଙ୍କ ସହ ମିଳନ ବି ହୁଏ ।