ବାର ମାସରେ ତେର ପୂଜା । ଏହି ଉକ୍ତି କେବଳ ଓଡିଆଙ୍କ ପାଇଁ ନୁହେଁ । ତେଲୁଗୁ ସମ୍ପ୍ରଦାୟରେ ମଧ୍ୟ ଦେଖାଯାଏ । ଅପଣମାନେ ତ ନିଶ୍ଚୟ ଜାଣିଥିବେ ଶ୍ରାବଣ ମାସ ପୂଜା ଏବଂ ପର୍ବ ପାଇଁ ଖୁବ ଜଣାଶୁଣା । ଏହି ଅବସରରେ ରାୟଗଡ଼ା ଜିଲ୍ଲା ସୀମାନ୍ତ ଗୁଣପୁରରେ ଶ୍ରାବଣ ମାସର ତୃତୀୟ ଶୁକ୍ରବାରରେ ତେଲୁଗୁ ସମ୍ପ୍ରଦାୟର ସମସ୍ତ ମହିଳା ଏକାଠି ହୋଇ କରିଛନ୍ତି ଏକ ସ୍ୱତନ୍ତ୍ର ପୂଜା । ତେବେ ଏହି ପୂଜା କେବଳ ବୈଶ୍ୟ ସମ୍ପ୍ରଦାୟ ମହିଳାମାନେ କରିଥାନ୍ତି ।
ବେଶ ଜାକଜମକରେ ଏହି ପୂଜା ହୋଇଥାଏ । ଏଠାରେ ପୂଜା କରିବା ପାଇଁ ଏକାଠି ହୋଇଛନ୍ତି ବୈଶ୍ୟ ସମ୍ପ୍ରଦାୟର ମହିଳାମାନେ । ନନା ମନ୍ତ୍ର ଏବଂ ଶ୍ଲୋକ ଉଚ୍ଚାରଣ କରୁଛନ୍ତି । ଆଉ ନନାଙ୍କ ଶ୍ଲୋକକୁ ତାଳ ଦେଇ ପୂଜାରେ ବ୍ୟସ୍ତ ମହିଳାମାନେ । ତେବେ ଦର୍ଶକବନ୍ଧୁ ଏ ହେଉଛି ରାୟଗଡା ଜିଲ୍ଲା ଗୁଣପୁର କନ୍ୟକା ପରମେଶ୍ଵରୀ ମନ୍ଦିରର ଦୃଶ୍ୟ । ଏଠାରେ ପୂଜା କରିବା ପାଇଁ କେବଳ ବୈଶ୍ୟ ସମ୍ପ୍ରଦାୟର ୧୦୦୦ ମହିଳା ଏକାଠି ହୋଇଥିଲେ ।
ଦେବୀ ମା’ଙ୍କୁ ଫୁଲ, ଫଳ, ଧୂପ, ଚନ୍ଦନ, ଚୁଡ଼ି, କୁଙ୍କୁମ ଦେଇ ଖୁବ ଧୂମଧାମରେ ପୂଜା କରିଥିଲେ ମହିଳାମାନେ । ତେବେ ମାନ୍ୟତା ରହିଛି ଏହି ପୂଜା କରିବା ଦ୍ୱାରା ଘରର ଉନ୍ନତି, ପରିବାରର ମଙ୍ଗଳ ହେବା ସହ ସ୍ଵାମୀ ଦୀର୍ଘଜୀବି ହୋଇଥାନ୍ତି ଏବଂ ରୋଗ ବ୍ୟାଧିରୁ ମୁକ୍ତି ମିଳିଥାଏ । କହିରଖୁଛୁ, ଶ୍ରାବଣ ମାସର ତୃତୀୟ ଶୁକ୍ରବାରରେ ଏହି କୁଙ୍କୁମ ପୂଜା କରାଯାଇଥାଏ । କାହିଁ କେଉଁ କାଳରୁ ବୈଶ୍ୟ ସମ୍ପ୍ରଦାୟର ଏହି ପୂଜା ହୋଇ ଆସୁଛି ।
ଏହି ପୂଜା ଦ୍ଵାରା ସମସ୍ତ ପରିବାର ଏକାଠି ହୋଇଥାନ୍ତି । ଆଉ ରାଗ ରୁଷା ମନୋମାଳିନ୍ୟ ଛାଡି କୁଙ୍କୁମ ପୂଜା ସମସ୍ତଙ୍କୁ ଏକାଠି କରିଥାଏ । ବୈଶ୍ୟ ସମ୍ପ୍ରଦାୟର ମହିଳା ପୁଣି ଆସନ୍ତା ବର୍ଷକୁ ଅପେକ୍ଷା କରି ରହିଥାନ୍ତି ଏହି କୁଙ୍କୁମ ପୂଜା ପାଳନ କରିବା ପାଇଁ । ଏହି ପର୍ବ ସମସ୍ତଙ୍କୁ ଏକାଠି କରିବାର ଏକ ମାଧ୍ୟମ ।