ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାଇଛି ଅଣସର ଫଳ ଭାର

କାକଟପୁର: କୋଟି କୋଟି ଓଡିଆଙ୍କ ମଉଡମଣି ମହାପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି । ସ୍ନାନ ପୁର୍ଣିମା ପରେ ମହାପ୍ରଭୁଙ୍କୁ ଜ୍ୱର ହୋଇଛି । ମହାପ୍ରଭୁଙ୍କ ନିକଟରେ ଷାଠିଏ ପଉଟି ଭୋଗ ବନ୍ଦ ରହିଛି । କାରଣ ଜ୍ୱରରେ ପୀଡିତ ହେବାପରେ ମହାପ୍ରଭୁଙ୍କୁ ଷାଠିଏ ପଉଟି ମଣୋହୀ ରୁଚୁ ନାହିଁ । ଅଣସର ପିଣ୍ଡିରେ ମହାପ୍ରଭୁଙ୍କୁ କେବଳ ବିଭିନ୍ନ ପ୍ରକାର ଫଳ ମୂଳ ଭୋଗ ଭାବରେ ଲାଗି କରାଯାଇଥାଏ । ତେଣୁ ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳରୁ ଶଗଡ ବଳଦ ଗାଡିରେ ଶ୍ରୀକ୍ଷେତ୍ର ଅଭିମୁଖେ ଅଣସର ଫଳଭାର ଯାଇଛି ।

ଏନ୍ତୁଡ଼ିଶାଳ ଭାବରେ ପରିଚିତ କାକଟପୁରର ଦେଉଳିମଠ । ଏହି ଦେଉଳିମଠ ନବକଳେବର ସମୟରେ ମହାପ୍ରଭୁଙ୍କ ଦାରୁ ଠିକଣା ପାଇବା ପାଇଁ ଦଇତାପତି ମାନଙ୍କର ସାଧନାର ପୀଠ ହୋଇଥାଏ । ମା’ ମଙ୍ଗଳାଙ୍କୁ ଆରାଧନା କରି ସ୍ୱପ୍ନାବତୀ ମନ୍ତ୍ର ଜପ କରି ଏହି ମଠରେ ଅଧିଆ ପଡିବା ପରେ ମା’ ମଙ୍ଗଳା ସ୍ୱପ୍ନାଦେଶ ମାଧ୍ୟମରେ ଦାରୁ ଠିକଣା ପ୍ରଦାନ କରିଥାନ୍ତି । ମହାପ୍ରଭୁଙ୍କ ଏନ୍ତୁଡ଼ି ଶାଳ ଦେଉଳିମଠ ପରିସରରୁ ପାରମ୍ପରିକ ଶଗଡ ବଳଦ ଗାଡିରେ ଶ୍ରୀକ୍ଷେତ୍ର ଅଭିମୁଖେ ଅଣସର ଫଳଭାର ଯାଇଛି । କାକଟପୁର ଅଞ୍ଚଳର କିଛି ଯୁବକ ଜଗନ୍ନାଥ ପ୍ରେମୀ ଏବଂ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ପ୍ରଚେଷ୍ଟାରେ ଏହି ଅଣସର ଫଳଭାର ଶ୍ରୀକ୍ଷେତ୍ରକୁ ପଠାଯାଇଛି ।

ବିଶ୍ୱାସ ଅନୁସାରେ ଅଣସର ସମୟରେ କାକଟପୁରର ପ୍ରାଚୀ ଅବବାହିକାରେ ରହିଥିବା ଏକାଧିକ ମଠ ମାନଙ୍କରୁ ଅଣସର ଏବଂ ପଦ୍ମବେଶ ପାଇଁ ଫଳ ମୂଳ, ତୁଳସୀ, ପଦ୍ମଫୁଲ ଭାର ହୋଇ ଶ୍ରୀକ୍ଷେତ୍ରକୁ ଯାଉଥିଲା ଏବଂ ମହାପ୍ରଭୁଙ୍କ ସେବାରେ ଏହାକୁ ଲାଗି କରାଯାଉଥିଲା । କାଳକ୍ରମେ ତାହା ବନ୍ଦ ହୋଇ ଯାଇଥିଲା କିନ୍ତୁ କାକଟପୁରର କେତେକ ଯୁବକ ,ଜଗନ୍ନାଥ ପ୍ରେମୀ ଏବଂ ଜଗନ୍ନାଥ ସଂସ୍କୃତି ଗବେଷକଙ୍କ ପ୍ରୟାସରେ ମହାପ୍ରଭୁଙ୍କ ଅଣସର ଫଳ ଭାର ଗତ କିଛି ବର୍ଷ ଧରି ଆରମ୍ଭ ହୋଇଛି । ପାରମ୍ପରିକ ରୀତିନୀତି ଅନୁଯାଇ ଦୁଇଟି ଶଗଡଗାଡିକୁ ପ୍ରସ୍ତୁତ କରାଯାଇ ସେଥିରେ ଭକ୍ତମାନେ ଦେଇଥିବା ଫଳ ,ତୁଳସୀ, ପଦ୍ମଫୁଲକୁ ରଖାଯାଇ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କରାଯାଏ । ପ୍ରଥମେ ଦୁଇଟି ଶଗଡକୁ ପ୍ରତିଷ୍ଠା କରାଯାଇ ସେଥିରେ ଭକ୍ତମାନଙ୍କ ବାଡିରୁ ସଂଗ୍ରହ କରାଯାଇଥିବା ବିଭିନ୍ନ ପ୍ରକାରର ଫଳ, ଫୁଲ, ତୁଳସୀକୁ ଶଗଡ ଗାଡିରେ ରଖାଯାଏ । ପରେ ବଳଦ ଯୋଡ଼ା ଯାଇଥିବା ଶଗଡ ଗାଡିରେ ଦେଉଳିମଠରୁ ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା ବାହାରିଥାଏ ।

ଅଣସର ଫଳଭାର ଶଗଡ ଗାଡି ବିଭିନ୍ନ ଗାଁ ଭିତରେ ଦେଇ ଯାତ୍ରା ଆରମ୍ଭ କରିଛି । ଏହି ସମୟରେ ଗାଁ ଲୋକମାନେ ସେମାନଙ୍କ ବାଡିର ଫଳ ମହାପ୍ରଭୁଙ୍କ ଉଦ୍ୟଶ୍ୟରେ ଅର୍ପଣ କରନ୍ତି । ଏହି ଫଳଭାର ଦେଉଳିମଠରୁ ବାହାରି ଯାତ୍ରା ଆରମ୍ଭ କରିଥିବା ବେଳେ ଆସନ୍ତାକାଲି ଶ୍ରୀକ୍ଷେତ୍ରରେ ପହଞ୍ଚିବ ଏବଂ ଫଳ ଗୁଡିକ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବେ ଏବଂ ଅଣସର ସେବାରେ ଲାଗି କରାଯିବ ।