ମଣିଭଦ୍ରା ପାହାଡ଼ରେ ଚାଲିଛି ବାର୍ଷିକ ବିଶ୍ବଶାନ୍ତି ଯଜ୍ଞ, ଲାଗିଛି ମେଳା

ନୟାଗଡ଼ : ପୁରାଣ ବର୍ଣ୍ଣିତ ମଣିଭଦ୍ରା ପାହାଡ଼ । ସେହି ପାହାଡ଼ର ପାଦଦେଶରେ ବିରାଜିତ ମା ” କଳାପାଟ ଠାକୁରାଣୀ । ମାଆଙ୍କ ପୀଠରେ ବୁଧବାର ଦିନ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି । ପ୍ରତିବର୍ଷ ଭଳି ଏହି ମେଳାରେ ଭିଡ଼ ଲାଗିଛି ଶ୍ରଦ୍ଧାଳୁଙ୍କର । ସିଦ୍ଧଯୋଗୀ ବାବା ରାମଦାସଙ୍କ ୭୪ତମ ଜନ୍ମଦିବସ ଉପଲକ୍ଷେ ଚଳିତ ବର୍ଷ ୩୨ତମ ବିଶ୍ଵଶାନ୍ତି ମହାଯଜ୍ଞର ଆରମ୍ଭ ହୋଇଛି ।୧୯୯୩ ମସିହା ଠାରୁ ଆରମ୍ଭ ହୋଇଥିବା ଏହି ବିଶ୍ଵଶାନ୍ତି ମହାଯଜ୍ଞ ୪ ଦିନ ବ୍ୟାପି ଚାଲୁଥାଏ । ଘୃତଯଜ୍ଞ ସହ ନାମ ସଙ୍କୀର୍ତ୍ତନ, ହନୁମାନ ଚାଳିଶା ପାଠ, ସାଧୁ ସମ୍ମିଳନୀ, ପ୍ରବଚନ, ଭଜନ ସମାରୋହ ଓ ଭାଗବତ ପାଠ ଆଦି କାର୍ଯ୍ୟକ୍ରମ କରାଯାଇଥାଏ । ରାଜ୍ୟର କୋଣ ଅନୁକୋଣରୁ ସାଧୁସନ୍ଥମାନେ ଆସି ଥାନ୍ତି ମେଳାକୁ ।

ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ୍ ଛାମୁଣ୍ଡିଆ ପଞ୍ଚାୟତରେ ରହିଛି ଏହି ମଣିଭଦ୍ରା ପାହାଡ଼ । ଅନେକ ପୌରାଣିକ କିମ୍ବଦନ୍ତୀ ଯୋଡ଼ି ହୋଇ ରହିଛି ଏହି ସ୍ଥାନ ସହିତ । ଏଠାରେ ବିଭିନ୍ନ ଗୁମ୍ଫାରେ ମୁନୀ ଋଷିମାନେ ତପସ୍ୟା କରୁଥିଲେ । ମଣିଭଦ୍ରା ପାହାଡ଼ରେ ମହାଭାରତର ୩ୟ ପାଣ୍ଡବ ଅର୍ଜୁନ ନିଜର ଗାଣ୍ଡିବ ଧନୁ ଧରି ଶୋଇଥିଲେ । ସତ୍ୟଭାମା ଅପହରଣ ବେଳେ ତାଙ୍କୁ ଉଦ୍ଧାର କରିଥିଲେ ଅର୍ଜୁନ । ଜଗନ୍ନାଥ ସଂସ୍କୃତି ସହ ଏହାର ସମ୍ପର୍କ ମଧ୍ୟ ରହିଛି । ଏମିତିକି ଏହି ମଣିଭଦ୍ରାରେ ଏକ ବିଶେଷ ମଣି ରହିଥିବାରୁ ଏହାର ନାଁ ମଣିଭଦ୍ରା ହୋଇଛି ବୋଲି ସାଧୁସନ୍ଥମାନେ କହିଛନ୍ତି ।

ପ୍ରତ୍ୟେକ ବର୍ଷ ୪ଦିନ ଧରି ରଙ୍ଗିନ୍ ଆଲୋକମାଳାରେ ଝଲସି ଉଠେ ମାଆଙ୍କ ପୀଠ । ଆସୁଥିବା ଦର୍ଶକ ଓ ଶ୍ରଦ୍ଧାଳୁମାନେ ପ୍ରଥମେ ମାଆଙ୍କୁ ଦର୍ଶନ କରିବା ପରେ ମେଳା ବୁଲିଥାନ୍ତି । ଯାତ୍ରାରେ ମୀନା ବଜାରର ଭରପୂର ମଜା ଉଠାନ୍ତି ଲୋକେ । ସେହିପରି କୁନିକୁନି ପିଲାଙ୍କ ମନୋରଞ୍ଜନ ପାଇଁ ମଧ୍ୟ ଦୋଳି ଓ ଚଟପଟି ଖାଦ୍ୟର ପସରା ମେଲିଥାଏ । ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଗଣିଆ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ବର୍ଷ ବ୍ୟାପକ ପ୍ରସ୍ତୁତି କରାଯାଇଥାଏ । ଚଳିତ ବର୍ଷ ଏହି ଯାତ୍ରାରେ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।