ବୌଦ୍ଧ ଜିଲ୍ଲାର ଏକ ଅନନ୍ୟ ଶୈବପୀଠ ହେଉଛି ବିରାମୁଣ୍ଡାର ବାବା ବିଶେଶ୍ୱର ମନ୍ଦିର । ବଣ ପାହାଡ଼ ଉପରେ ଦେଢ଼ କିମି ଉଚ୍ଚତାରେ ପୂଜା ପାଉଛନ୍ତି ବାବା ବିଶେଶ୍ୱର । ମନ୍ଦିର ନିକଟରେ ପାହାଡ଼ଦେଇ ବହି ଯାଇଥିବା କୁଳୁକୁଳୁ ଝରଣା ସହିତ ସବୁଜ ବନାନୀ ଭରା ଜଙ୍ଗଲର ମନୋରମ ଦୃଶ୍ୟ ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ବେଶ ଆକୃଷ୍ଟ କରେ । ସେଥିପାଇଁ ତ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ଭକ୍ତ ବର୍ଷସାରା ଏହି ସ୍ଥାନକୁ ଆସିଥାନ୍ତି । ହେଲେ ଏହି ସ୍ଥାନଟି ପ୍ରଶାସନର ଦୃଷ୍ଟି ଆଢୁଆଳ ରହିଯାଇଛି ।
ପାହାଡ଼ ଶିଖରରୁ କୁଳୁକୁଳୁ ନାଦରେ ବହିଆସିଛି ଝରଣା ସବୁଜ ବାନାନି ଭିତରେ ରହିଛି ସୁନ୍ଦର ମନ୍ଦିରଟିଏ । ସେଥିପାଇଁ ତ ଏଠି ଲାଗିଛି ପର୍ଯ୍ୟଟକ ଏବଂ ଭକ୍ତଙ୍କ ଭିଡ଼ । ପାହାଡ଼ ଉପରେ ଦେଢ଼କିମି ଉଚ୍ଚତାରେ ଶୋଭା ପାଉଛନ୍ତି ବାବା ବିଶେଶ୍ୱର । ଆଉ ମନ୍ଦିର ନିକଟରେ ବହି ଯାଉଛି ଏହି ଝରଣା । ମନ୍ଦିର ଯିବାକୁ ଉଠାଣି ରାସ୍ତା ଦେଇ ପାଦରେ ଚଢିବାକୁ ପଡେ । ଟିକେ ପାହାଡ଼ ଚଢିବାକୁ କଷ୍ଟ ଲାଗେ ସିନା କିନ୍ତୁ ଚଢି ସାରିଲା ପରେ ଅପୂର୍ବ ଶାନ୍ତି ଦେଇଥାଏ ଏହି ସ୍ଥାନ । ପାହାଡ଼ ଉପରୁ ପ୍ରକୃତିର ମନୋରମ ଦୃଶ୍ୟ ଦେଖିଲେ ଯେକେହି ବି ଘଡିଏ ଅଟକି ଯିବ । ଆଉ ସେଠାରୁ ଆସିବାକୁ ମନ ହୁଏନି ।
ଏପରି ଏକ ମନ୍ଦିର ରହିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତର ବିରାମୁଣ୍ଡା ଗାଁ ନିକଟରେ । କଣ୍ଟାମାଳଠାରୁ ଖଲିଆପାଳି ରାସ୍ତାରେ ପ୍ରାୟ ୬ କିମି ଯିବାପରେ ପଡିଥାଏ ଏହି ମନ୍ଦିର । ବର୍ଷର ସବୁ ସମୟରେ ମନ୍ଦିରେ ଭିଡ଼ ଲାଗିଥାଏ । କିନ୍ତୁ ଶ୍ରାବଣ ମାସରେ ଅଧିକ ଭକ୍ତ ଓ କାଉଡ଼ିଆ ଏଠାକୁ ଦର୍ଶନ କରିବା ପାଇଁ ଆସନ୍ତି । ଏହି ମନ୍ଦିର ଦର୍ଶନ କଲେ ଅନେକ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରରୁ ପ୍ରତିବର୍ଷ ଶହ ଶହ ଭକ୍ତ ଆସିଥାନ୍ତି ।
ଲୋକଙ୍କ କହିବା ଅନୁସାରେ ବିଶେଶ୍ୱର ବାବାଙ୍କ ଆବିର୍ଭାବ ପୂର୍ବରୁ ଦେବଗଡ଼ ଅଞ୍ଚଳର ଜଣେ ସନ୍ୟାସୀ ସେହି ସ୍ଥାନରେ ତପସ୍ୟା କରୁଥିଲେ ଓ ଲୋକଙ୍କ ଦୁଃଖ କଷ୍ଟ ଦୂର କରୁଥିଲେ । ସେ ସିଦ୍ଧି ପାଇବା ପରେ କୁଆଡେ ଚାଲିଗଲେ କେହି ଜାଣି ପାରିଲେ ନାହିଁ । ଏଭଳି ଅନେକ ଇତିହାସ ରହିଛି ଏହି ସ୍ଥାନର । କିନ୍ତୁ ଏତେ ସବୁ ସୌନ୍ଦର୍ଯ୍ୟ ଥିଲେ ମଧ୍ୟ ଏହି ମନ୍ଦିରଟି ଅବହେଳିତ ଅବସ୍ଥାରେ ପଡିରହିଛି । ଯିବାକୁ ଭଲ ରାସ୍ତା ନାହିଁ କି ବିଦ୍ୟୁତ ବ୍ୟବସ୍ଥା ନାହିଁ । ସେହିପରି ଭକ୍ତଙ୍କ ପାଇଁ ରହିବା ପାଇଁ ମଧ୍ୟ ବ୍ୟବସ୍ଥା ନାହିଁ । ତେଣୁ ଭକ୍ତମାନେ ନିରାଶ ହୋଇଥାନ୍ତି । ତେବେ ମନ୍ଦିର ଅବ୍ୟବସ୍ଥା ସମ୍ପର୍କରେ କଣ୍ଟାମାଳ ବିଧାୟକଙ୍କୁ ପଚାରିବାରୁ ଏହି ସ୍ଥାନକୁ ଗରୁତ୍ୱ ଦେବେ ବୋଲି କହିଛନ୍ତି ।