ଆମ ସଂସ୍କୃତିରେ ରହିଛି ଅନେକ ପର୍ବପର୍ବାଣୀ । ଏହି ପର୍ବ ପର୍ବାଣୀ ମଧ୍ୟରୁ ଠାକୁରଙ୍କ ଚାପ ଖେଳ ଅନ୍ୟତମ । ପୂର୍ଣ୍ଣଗର୍ଭା ମହାନଦୀ ମଝିରେ ଭାଗବତ ଜନ୍ମ ଅବସରରେ ଭଗବାନ ଖେଳିଲେ ଚାପ ଖେଳ । ନିଆରା ପରମ୍ପରା ଅନୁଯାୟୀ ନଦୀ ମଝିରେ ଦୁଇଟି ନୌକାରେ ଚାପ ଖେଳିଛନ୍ତି ଭାଗବତ ଭଗବାନ । ୭ ଦିନ ଧରି ଭାଗବତ ମନ୍ଦିର ଏହି ନାମ କୀର୍ତ୍ତନ କରିବା ପରେ ସପ୍ତମ ଦିନରେ ନିଆରା ଭାବେ ବୌଦ୍ଧ ଜିଲ୍ଲାରେ ଏହି ଚାପ ଖେଳକୁ ପାଳନ କରିଛନ୍ତି ବୌଦ୍ଧ ସହରବାସୀ । ବୌଦ୍ଧ ଜିଲ୍ଲାରେ ପ୍ରତିବର୍ଷ ଭାଦ୍ରବ ମାସ ପୂର୍ଣ୍ଣମୀ ତିଥିକୁ ଭାଗବତ ଜନ୍ମ ଭାବେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ବୌଦ୍ଧ ସହରର ବିଭିନ୍ନ ଭାଗବତ ଟୁଙ୍ଗିରେ ମଧ୍ୟ ଭାଗବତ ଜନ୍ମ ପାଳନ କରାଯାଇଛି । ଏକ ନିଆରା ଢଙ୍ଗରେ ବୌଦ୍ଧରେ ଏହି ଉତ୍ସବ ପାଳନ କରାଯାଇଥାଏ । ସପ୍ତାହେ ପୂର୍ବରୁ ଭାଗବତ ମନ୍ଦିର ମାନଙ୍କରେ ଆରମ୍ଭ ହୋଇଥିବା ଭାଗବତ ପାଠ ସପ୍ତମ ଦିନରେ ସମାପନ ହୋଇଥାଏ l ଏହି ଅବସରରେ ବୌଦ୍ଧ ସହରର କେଉଟସାହି, ପୋଡାପଡା, ରାଜନପାଲି, ନୂଆସାହି ଭାଗବତ ମନ୍ଦିରରୁ ନାମ ସଂକୀର୍ତ୍ତନ କରି ରାଧାକୃଷ୍ଣଙ୍କ ପ୍ରତିମା ପାଲିଙ୍କିରେ ବସାଇ ସହର ପରିକ୍ରମା କରିଥିଲେ ପରେ ମହାନଦୀ ଚନ୍ଦ୍ରଚୂଡ଼ ଘାଟରେ ଏକତ୍ରିତ ହୋଇଥିଲେ ।
ସେଠାରେ ଦୁଇଟି ଡଙ୍ଗା ଯୋଡି ତିଆରି ହୋଇଥିବା ସୁସଜ୍ଜିତ ଚାପ ଉପରେ ପ୍ରଭୁଙ୍କ ପାଲିଙ୍କି ବସାଇ ମହାନଦୀ ଜଳରେ ଜଳକ୍ରୀଡା କରାଯାଇଥିଲା। ଏହି ସମୟରେ ସୁସଜ୍ଜିତ ଚାପରେ ଘଣ୍ଟ, ଶଙ୍ଖ, ହରିବୋଲ ଧ୍ୱନିରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହାକୁ ଚାପ ଖେଳ ମଧ୍ୟ କୁହାଯାଇଥାଏ । ସେହିପରି ମହାନଦୀରେ ଚାପ ଖେଳିବା ପରେ ହନୁମାନ ମନ୍ଦିର ଘାଟରେ ଚାପ ଲାଗିଥିଲା । ସେଠାରୁ ମହାପ୍ରଭୁଙ୍କୁ ପୁଣି ନାମ ସଂକୀର୍ତ୍ତନ କରି ସହରରେ ଥିବା ନିଜ ନିଜ ଭାଗବତ ଟୁଙ୍ଗିକୁ ଭଗବାନଙ୍କୁ ଅଣାଯାଇଥିଲା । ଜିଲାର ବିଭିନ୍ନ ଗାଁରେ ପବିତ୍ର ଭାଦ୍ରବ ପୁର୍ଣିମା ଅବସରରେ ଭାଗବତ ଜନ୍ମ ଉତ୍ସବ ପାଳିତ ହୋଇଛି l ଜିଲ୍ଲାର ବିଭିନ୍ନ ଗ୍ରାମରେ ନଦୀ ଓ ପୋଖରୀରେ ରାଧାକୃଷ୍ନଙ୍କ ଚଳନ୍ତି ପ୍ରତିମା ସହ ଭାଗବତ ବହି ବିମାନରେ ସ୍ଥାପନ କରି ଚାପ ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଚାପ ଖେଳ ଯୋଗୁଁ ସମଗ୍ର ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଚାପ ଖେଳ ଦେଖିବାକୁ ସହରର ମହାନଦୀ କୂଳରେ ଶହଶହ ଭକ୍ତଙ୍କ ସମାଗମ ହୋଇଥିଲା ।
ମହାପ୍ରଭୁଙ୍କ ଏହି ଅପୂର୍ବ ଦୃଶ୍ୟ ଦର୍ଶନ କରିବା ପାଇଁ ପୋଖରୀ କୂଳରେ ଶ୍ରଦ୍ଧାଳୁମାନେ ଅପେକ୍ଷା କରି ରହିଥାନ୍ତି । ଠାକୁରଙ୍କୁ ଭକ୍ତି ଭାବରେ ଭୋଗ ନୈବେଦ୍ୟ ଅର୍ପଣ କରି ବିଭୁ କୃପା ପାଇବା ପାଇଁ ଭକ୍ତମାନେ ମଥା ପାତି ପ୍ରଣତି ଜଣାଇଥାନ୍ତି । ଋତୁ ଚକ୍ରର ପ୍ରଭାବ ମଣିଷ ଉପରେ ଯେମିତି ପଡ଼େ ସମାନ ଭାବେ ଭଗବାନ ମଧ୍ୟ ଏହି ପ୍ରଭାବରୁ ବଞ୍ଚି ପାରନ୍ତି ନାହିଁ । ପରମ୍ପରାର ଏହି ନିଆରା ରୂପ ପ୍ରକୃତରେ ସ୍ମରଣଯୋଗ୍ୟ ।