ଓସ୍ତପୁର ଗାଁରେ ଆଜିବି ଦେଖିବାକୁ ମିଳୁଛି ସେହି ପୁରୁଣା ଦିନର ଭାଗବତ ଟୁଙ୍ଗି
କାକଟପୁର: ଓଡିଶାର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ । ପ୍ରତିଟି ଓଡିଆଙ୍କ ପ୍ରାଣ ଭାବରେ ମହାପ୍ରଭୁ ଜଗନ୍ନାଥ ଓଡିଆଘର ର ଠାକୁର ଘରେ ବିରାଜିତ ହୋଇଛନ୍ତି । ମହାପ୍ରଭୁ ଜଗନ୍ନାଥ ଯେମିତି ଓଡିଆଙ୍କ ଆରାଧ୍ୟ ସେହିପରି ଜଗନ୍ନାଥ ଦାସଙ୍କ ରଚିତ ଓଡିଆ ଭାଗବତ ମଧ୍ୟ ଓଡିଆ ମାନଙ୍କର ପ୍ରାଣ । ପ୍ରତିଟି ଓଡିଆ ଘରେ ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଓଡିଆ ଭାଗବତକୁ ଓଡିଆ ମାନେ ଆରାଧ୍ୟ ବୋଲି ମାନିଥାନ୍ତି ।
ସଞ୍ଜ ନଇଁଲେ ଗାଁ ମୁଣ୍ଡ ଭାଗବତ ଟୁଙ୍ଗିରୁ ଭାସିଆସୁଥିଲା ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ …ପଦୁ ଗଳୁଛି ମକରନ୍ଦ । ସେ ମକରନ୍ଦ ପାନ କରି ଭବୁ ତରିଲେ ବ୍ରଜନାରୀ । ଯାହା ଓଡିଆ ଲୋକମାନଙ୍କ ଚିନ୍ତା ଚେତନା ଆଉ ସାମାଜିକ ଜୀବନରେ ଗଭୀର ପ୍ରଭାବ ପକାଉଥିଲା । ଓଡିଆ ମଣିଷଟିଏ ଦିନସାରା ନିଜର କର୍ମ ସାରି ସଞ୍ଜ ବେଳକୁ ଭାଗବତ ଟୁଙ୍ଗିକୁ ଆସୁଥିଲା ଆଉ ସେହିଠାରେ ଭାଗବତ ପାଠ ଶୁଣି ଘରକୁ ଫେରୁଥିଲା ଏବଂ ଖାଇ ଶୋଇଯାଉଥିଲା ସକାଳର ସୁର୍ଯ୍ୟୋଦୟର ଅପେକ୍ଷାରେ । ଆଜି କିନ୍ତୁ ସମୟ ବଦଳି ଯାଇଛି ,ଗାଁ ମୁଣ୍ଡରେ ଆଉ ଦେଖିବାକୁ ମିଳୁନି ସେହି ଭାଗବତ ଟୁଙ୍ଗି କି ସେଠାରୁ ଆଉ ଶୁଭୁନି ‘ଦାସେ’ କଲମ କରିଥିବା ସେହି ଭାଗବତର ଛନ୍ଦାବଳି । ଗାଁ ଗାଁ ରେ ଆଜି ଗଢିଉଠିଛି କ୍ଳବଘର ସେହି କ୍ଲବ ଘର ମଧ୍ୟରୁ ଛୁଟି ଆସୁଛି ଆଧୁନିକ ଅଶାଳୀନ ସଙ୍ଗୀତର ଧୁନ ସାଙ୍ଗକୁ ଯୁବପିଢିଙ୍କର ଅଟ୍ଟହାସ୍ୟ । ସମୟ ବଦଳିଛି ତା ସାଙ୍ଗକୁ ବଦଳିଛି ଆମ ପରମ୍ପରାର ପରିଭାଷା । ଭାଗବତ ପଢିବାକୁ ଆଉ ସମୟ ହେଉନି, ସେହି ସମୟକୁ ଖାଇଯାଉଛି ଆଣ୍ଡ୍ରୋଏଡ ମୋବାଇଲ । ଆଙ୍ଗୁଠି ଅଗରେ ଦୁନିଆର ପ୍ରତିଟି କୋଣରେ ପହଞ୍ଚି ଯାଉଛନ୍ତି ଆଜିର ଯୁବପିଢି । କିନ୍ତୁ ହଜିଯାଇଥିବା ସେହି ପ୍ରାଚୀନ ପରମ୍ପରା ଚାଲିଯାଉଛି ଆମ ଠାରୁ ବହୁ ଦୂରକୁ ।
ଆମ ସମାଜରୁ ଅନେକ ପରମ୍ପରା ହଜି ହଜି ଯାଉଥିବା ବେଳେ ଆଜି ବି କେଉଁଠି ନା କେଉଁଠି ବଞ୍ଚି ରହିଛି ଆମର ସେହି ପୁରୁଣା ପରମ୍ପରା । ଅସ୍ତରଙ୍ଗ ନିକଟ ଓସ୍ତପୁର ଗାଁରେ ଆଜିବି ଦେଖିବାକୁ ମିଳୁଛି ସେହି ପୁରୁଣା ଦିନର ଭାଗବତ ଟୁଙ୍ଗି । ଓସ୍ତପୁର ଗାଁରେ ରହିଛି ବାସୁଦେବଙ୍କ ମନ୍ଦିର ଯାହା ପୂର୍ବରୁ ରହିଥିଲା ଭାଗବତ ଟୁଙ୍ଗି । ଦୀର୍ଘ ୧୫୦ ବର୍ଷ ତଳରୁ ଆଜି ପର୍ଯ୍ୟନ୍ତ ଏହି ଠାରେ ଦୈନନ୍ଦିନ ପାଠ ହେଉଛି ଓଡିଆ ଭାଗବତ । ପ୍ରଥମେ ଏକ କୁଡିଆ ଘରେ ଏହିଠାରେ ଭାଗବତ ପାଠ କରାଯାଉଥିବା ବେଳେ ସେଠାରେ ପରବର୍ତ୍ତି ସମୟରେ ଗ୍ରାମବାସୀ ଙ୍କ ଦ୍ଵାରା ନିର୍ମାଣ କରାଯାଇଛି ବାସୁଦେବ ମନ୍ଦିର । ସେହିଠାରେ ଆଜିବି ସଞ୍ଜ ନଇଁଲେ ଗାଁର ମୁରବି ବୟୋଜେଷ୍ଠ ମାନେ ଏକାଠି ହୁଅନ୍ତି , ଆଉ ଆରମ୍ଭ ହୁଏ ଓଡିଆ ଭାଗବତ ପାଠ ।
ଭାଗବତ ଏକ ଧର୍ମ ପୁସ୍ତକ ତାହାନୁହେଁ ତାହା ଭିତରେ ଲୁଚି ରହିଛି ଜୀବନ ବଞ୍ଚିବାର ମନ୍ତ୍ର । ସାମାଜିକ ଜୀବନ ଶୈଳୀ ରେ ଭାଗବତର ଜ୍ଞାନ ଅନେକ ସଂସ୍କାର ଆଣିବାର ସହାୟକ ହେଉଥିଲା । ଆଗରୁ ଲୋକମାନଙ୍କ ମଧ୍ୟରେ ଘଟୁଥିବା ମନମାଳିନ୍ୟକୁ ଭାଗବତ ଟୁଙ୍ଗି ଗ୍ରାମୀଣ କଚେରୀ ଭାବରେ ଭାଗବତ ପଣ୍ଡାଙ୍କ ଧାର୍ମିକ ନ୍ୟାୟ ପ୍ରକ୍ରିୟାରେ ଅନେକ ଛୋଟ ମୋଟ ସମସ୍ୟାର ସମାଧାନ କରିପାରୁଥିଲା । ଆଜି ସେ ସମୟ ନାହିଁ ସତ କିନ୍ତୁ ଓସ୍ତପୁର ଗାଁରେ ରହିଥିବା ଭାଗବତ ଟୁଙ୍ଗିରେ ଆଜିବି ସେହି ଭାଗବତ ପାଠ ଶୁଣିବାକୁ ମିଳୁଛି । ତେବେ ଆଧ୍ୟାତ୍ମିକ ଚିନ୍ତା ଆଉ ଚେତନା ରେ ବିଶ୍ଵାସ ରଖୁଥିବା ଗ୍ରାମୀଣ ମଣିଷ ମାନଙ୍କ ବିଶ୍ବାସ ରେ ଭାଗବତର ସେହି ଛାନ୍ଦ ଭିତରେ ନିର୍ଗତ ହେଉଛି ଭାବର ଅମ୍ବୃତ ଧାରା |