ମା’ ଗଜଲକ୍ଷ୍ମୀଙ୍କ ମେଲାଣି ଉତ୍ସବରେ ଦୁଲୁକିଲା ନବରଙ୍ଗପୁର ଝରିଗାଁ

ଉମରକୋଟ: ହିନ୍ଦୁ ଧର୍ମରେ ମା’ ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ବିଶ୍ୱାସ କରାଯାଏ ଯେ ଯେଉଁମାନଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଥାଏ ସମୋନଙ୍କ ଜୀବନରେ କୌଣସି ସମସ୍ୟା ଆସେ ନାହିଁ । ମା’ ଲକ୍ଷ୍ମୀଙ୍କୁ ଧନ, ସୁଖ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ପୂଜା କରାଯାଏ ।
ତେବେ ମହାମାୟାଙ୍କୁ ମେଲାଣି ପରେ ଏବେ ମା’ ଗଜଲକ୍ଷ୍ମୀଙ୍କୁ ଦିଆଯାଇଛି ମେଲାଣି । ଧନଧାନ୍ୟ ଓ ଐଶ୍ୱର୍ଯ୍ୟର ଦେବୀ ମା’ଗଜଲକ୍ଷ୍ମୀ । ମା’ଙ୍କ ଆବାହନ ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ବିଭିନ୍ନ ସହର । ରଙ୍ଗୀନ ଆଲୋକମାଳା ସହ ପୂଜା ମଣ୍ଡପ ଗୁଡ଼ିକରେ ହୋଇଥିଲା ସାଜସଜା ।
ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ସଦର ମହକୁମାରେ ଚାଲିଥିବା ମା’ ଗଜଲକ୍ଷ୍ମୀଙ୍କୁ ଖୁବ ଧୁମ ଧାମରେ ମେଲାଣି ଦିଆଯାଇଛି । ମେଲାଣି ଉତ୍ସବରେ ବିଭିନ୍ନ ପ୍ରକାରର ପାରମ୍ପରିକ ନୃତ୍ୟ, ବିଭିନ୍ନ ବାଦ୍ୟବାଜଣାର ସହ ପଟୁଆର ସହିତ ଗାଁ ବୁଲେଇ ମା’ଙ୍କୁ ମେଲାଣି ଦିଆଯାଇଥିଲା । ଏହି ସମୟରେ ଝରିଗାଁ ଦୁଲୁକିଉଠିଥିଲା ।
ଏହି ଭସାଣ ଉତ୍ସବରେ ମୁଖ୍ୟ ଆକର୍ଷଣ ପାଲଟିଥିଲା ଆନ୍ଧ୍ରପ୍ରଦେଶ କାକିନାଡ଼ା ଗାଁର କାଳୀନୃତ୍ୟ ଏବଂ କାନ୍ତାରାନୃତ୍ୟ, ତାସହ କଳାହାଣ୍ଡିର ମହିଳା ସଂକୀର୍ତ୍ତନ, ଗୁରୁଚାନ୍ଦ ହରିଚାନ୍ଦଙ୍କ ହରିବୋଲ ଡାଙ୍କା ବାଜା, ସ୍ଥାନୀୟ ଅଞ୍ଚଳର ଢେମସା, ବିଭିନ୍ନ ଅଞ୍ଚଳର ଆଖଡା ନୃତ୍ୟ ସହ ସ୍ଥାନୀୟ କଳାକାରଙ୍କ ଦ୍ୱାରା ପରିବେଷିତ କାଟାପ୍ପା ଦୃଶ୍ୟ ମଧ୍ୟ ।
୨୦୧୦ରେ ପ୍ରଥମେ ଝରିଗାଁର ଯୁବକମାନେ ଗଜଲକ୍ଷ୍ମୀ ପୂଜା ଆରମ୍ଭ କରିଥିଲେ । ଚଳିତବର୍ଷ ୧୫ବର୍ଷ ପୂର୍ତ୍ତି ହୋଇଛି । ଭସାଣ ଉତ୍ସବରେ ଭିଡକୁ ଦୃଷ୍ଟିରେ ରଖି ଝରିଗାଁ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପୂଜା କମିଟି ସଦସ୍ୟ ଓ ଗ୍ରାମବାସୀ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ ।
ମହାମାୟାଙ୍କୁ ମେଲାଣି ପରେ ଗଜଲକ୍ଷ୍ମୀ ରୂପରେ ଧରାବତରଣ କରିଥିଲେ ମା’ ଗଜଲକ୍ଷ୍ମୀ । ମା’ ଗଜଲକ୍ଷ୍ମୀଙ୍କ ମେଲାଣି ପରେ ଏବେ ଧରାବତରଣ କରିବେ ମା’ କାଳୀ । ତେବେ ଗଜଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଥିଲା ନବରଙ୍ଗପୁର । ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳାରେ ସଜେଇ ହୋଇଥିଲା ବିଭିନ୍ନ ଅଞ୍ଚଳ । ତେବେ ପୂଜାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।