କେଉଁଠି ବିଶ୍ୱଶାନ୍ତି ମହାଯଜ୍ଞ ତ, କେଉଁଠି ଅଷ୍ଟପ୍ରହରୀ ନାମଯଜ୍ଞରେ ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ

ଯାଜପୁର ଟାଉନ/ରେଢାଖୋଲ : ଯାଜପୁର ବ୍ଲକ ଉପର ବରୁହାଁ ସର୍ବ ମଙ୍ଗଳାଙ୍କ ପୀଠରେ ୭୦ ତମ ବାର୍ଷିକୋତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି । ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞ ଦେଖିବାକୁ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଦୈନିକ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ସହ ରାତ୍ରରେ ଗ୍ରାମବାସୀଙ୍କ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।
ଗତ ୧୩ତାରିଖରେ କଳସ ଯାତ୍ରା ନାମ ସଙ୍କୀର୍ତନ ଆରମ୍ଭ ହୋଇ ଆଜି ଯଜ୍ଞର ପୂର୍ଣ୍ଣାହୂତି ଅନୁଷ୍ଠିତ ହୋଇଥିଲା । ବାଦଲ ମହାପାତ୍ରଙ୍କ ନେତୃତ୍ୱରେ ବିଚିତ୍ର ପ୍ରଧାନଙ୍କ ସମେତ ସର୍ବମଙ୍ଗଳା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ମହାଯଜ୍ଞ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ମାଆ ମହିମା ସମ୍ପର୍କରେ ଜାଣିବା ପରେ ପ୍ରତିବର୍ଷ ଯଜ୍ଞରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ସେହିପରି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ସାନ ରେଙ୍ଗାଲୀ ସ୍ଥିତ ଭାଗବତ ଗୀତା ଅଧ୍ୟୟନ ଆଶ୍ରମରେ ବ୍ରହ୍ମ ମୁହୂର୍ତ୍ତରେ ଅଷ୍ଟପ୍ରହର ନାମଯଜ୍ଞ ଶୁଭାରମ୍ଭ ହୋଇଯାଇଛି । ଆଶ୍ରମର ମହନ୍ତ ବାବା ପରୀକ୍ଷିତ ଦାସ ଏବଂ ବାବା ହରିବୋଲ ଦାସଙ୍କ ଉଦ୍ୟମ ଓ ନିକଟସ୍ଥ ତନ୍ତଗାଡ,ସାନ ରେଙ୍ଗାଲୀ,ହରିପୁର ଓ ତୁମ୍ବାମାଳ ଗ୍ରାମବାସୀଙ୍କ ମିଳିତ ସହଭାଗିତାରେ ଅନୁଷ୍ଠିତ ଏହି ନାମଯଜ୍ଞ ଉତ୍ସବ ଚଳିତବର୍ଷ ବେଶ୍ ଧୁମ୍ ଧାମ୍ ରେ ଆୟୋଜନ ହୋଇଥିଲା ।
ବୁଧବାର ସକାଳୁ ଏକ ଆଧ୍ୟାତ୍ମିକ ପରିବେଶରେ କଳସ ଯାତ୍ରା ଉତ୍ସବ ସମ୍ପନ୍ନ ହୋଇଥିଲା।ଗୁରୁବାର ପ୍ରତ୍ୟୁଷରୁ ନାମାରମ୍ଭ ହୋଇଥିଲା । ଆକର୍ଷଣୀୟ ସାଜସଜ୍ଜା ଓ ରଙ୍ଗ ବେରଙ୍ଗର ଆଲୁଅରେ ଝଲସୁଥିବା ଯଜ୍ଞମଣ୍ଡପ ଓ ଆଶ୍ରମ ପରିସର ସାଧୁସନ୍ଥ,ଭକ୍ତ ଓ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ପରିପୂର୍ଣ୍ଣ ହୋଇ ଉଠିଥିଲା । ଆଖପାଖ ଅଞ୍ଚଳର ପ୍ରାୟ ୨୫ ଟି ସଙ୍କୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରି ଅହୋରାତ୍ର ହରିନାମ ଗାନ କରିଥିଲେ । ରେଙ୍ଗାଲୀ ଗ୍ରାମର ଭାଗବତ କର୍ମୀ ପତ୍ନୀଙ୍କ ସହ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବାବେଳେ ପଣ୍ଡିତ ମୁରଲୀଧର ହୋତା, କୃଷ୍ଣଚନ୍ଦ୍ର ହୋତା ପୂଜାର୍ଚ୍ଚନା କରିଥିଲେ ।
ନାମଯଜ୍ଞ କମିଟି ସଭାପତି ଶ୍ରୀକର ଭୋଇ, ସମ୍ପାଦକ ଦୁର୍ଯ୍ୟୋଧନ ସାହୁ ଓ କୋଷାଧ୍ୟକ୍ଷ ନରୋତ୍ତମ ପ୍ରଧାନଙ୍କ ପରିଚାଳନାରେ ସମସ୍ତ କାର୍ଯ୍ୟକ୍ରମ ସୂଚାରୁ ରୁପେ ସମ୍ପାଦନ କରିଥିଲେ । ହିନ୍ଦୁ ପରମ୍ପରା ସଂସ୍କୃତି ଅବର୍ଣ୍ଣନୀୟ । ସେଥି ମଧ୍ୟରେ ଓଡିଶାରେ ରହିଛି ୧୨ ମାସରେ ୧୩ ପର୍ବ । ପ୍ରତ୍ୟେକ ପ୍ରଥା ପରମ୍ପରା, ପୂଜା ପାଠ ପଛରେ ରହିଛି ଅନେକ କୀମ୍ବଦନ୍ତି । ଯାହା ଆମ ମନରେ ଈଶ୍ୱର ବିଶ୍ୱାସକୁ ଆଜି ଯାଏ ସୁଦୃଢ କରି ରଖିଛି ।