ନିଆରା ଢଙ୍ଗରେ ମହାଆଡମ୍ବର ସହକାରେ ପାଳନ ହେଲା ଆଦିବାସୀଙ୍କ ଇଷ୍ଟଦେବତା ବୁଢାଦେଓଙ୍କ ଗାଦି ଯାତ୍ରା

ନୂଆପଡା: ନୂଆପଡା ଜିଲ୍ଲାର ବିଭିନ୍ନ ଦେବାଦେବୀଙ୍କ ମଧ୍ୟରେ ଆଦିବାସୀମାନଙ୍କ ଇଷ୍ଟଦେବତା ବୁଢାଦେଓ ହେଉଛନ୍ତି ଅନ୍ୟତମ । ପ୍ରତିବର୍ଷ ପୌଷ ମାସ ଶୁକ୍ଲପଞ୍ଚମୀ ତିଥିରେ ଆଦିବାସୀମାନେ ନିଜର ଈଷ୍ଟଦେବତା ବୁଢାଦେଓଙ୍କ ଗାଦି ଯାତ୍ରାକୁ ବହୁ ଜାକଜମକରେ ପାଳନ କରିଆସୁଛନ୍ତି । ଚଳିତବର୍ଷ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଖମତରାଇ ଗାଁ ସ୍ଥିତ ନିରାକାର ବୁଢାଦେଓଙ୍କ ପୀଠରେ ଗାଦି ଯାତ୍ରାକୁ ଆଦିବାସୀ ସଂପ୍ରଦାୟର ଲୋକମାନେ ବେଶ ନିଆରା ଢଙ୍ଗରେ ପାଳନ କରିଛନ୍ତି । ଏଥିରେ ନୂଆପଡା ଜିଲ୍ଲା ସମେତ ପଡୋଶୀ ଛତିଶଗଡ ରାଜ୍ୟର ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷ ବୁଢାଦେଓଙ୍କ ଗାଦିଯାତ୍ରାରେ ସାମିଲ ହୋଇ ବୁଢାଦେଓଙ୍କ ଆଶୀର୍ବାଦ ନେବା ସହ ନିଜର ପାରମ୍ପରିକ ନୃତ୍ୟ ଗୀତରେ ବେଶ ଝୁମିଥିଲେ ।

ନୂଆପଡା ଜିଲ୍ଲାର ଖଡିଆଳଠାରୁ ମାତ୍ର ୧୦କି.ମି ଦୂରତାରେ ରହିଛି ଖମତରାଇ ଗାଁ । ଏହା ଏକ ଆଦିବାସୀ ବହୁଳ ଗାଁ ଅଟେ । ଖମତରାଇ ଗାଁର ଇଷ୍ଟଦେବତା ହେଉଛନ୍ତି ବୁଢାଦେଓ । ପ୍ରତିବର୍ଷ ପୈାଷ ଶୁକ୍ଲ ପଂଚମୀ ତିଥିରେ ଖଡିଆଳ ଅଂଚଳର ୮୪ଟି ଗାଁର ସୋମ ବଂଶୀୟ ଆଦିବାସୀ ଗଣ୍ଡ ସଂପ୍ରଦାୟର ଲୋକମାନେ ଇଷ୍ଟଦେବତା ବୁଢାଦେଓଙ୍କୁ ଶୋଡଷ ଉପଚାରରେ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରିଥାନ୍ତି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଖମତରାଇ ଗାଁର ଝାଙ୍କର ଓ ପୂଜକମାନେ ବୁଢାଦେଓଙ୍କ ମନ୍ଦିରରେ ବାଜାଗାଜା ବଜେଇବା ସହ ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା କରିଥିଲେ । ଏହା ପରେ ବୁଢାଦେଓଙ୍କ ମୁଖ୍ୟ ଶିରାଙ୍କ ଦେହରେ ଇଷ୍ଟଦେବତା ପରମଶ୍ରୀ ବୁଢାଦେଓ ଆବିର୍ଭାବ ହୋଇଥିଲେ । ଏହାପରେ ମହିଳାମାନେ ବୁଢାଦେଓଙ୍କୁ ଅରୁଆ ଚାଉଳ ଓ ହଳଦୀରେ ବନ୍ଦାପନା କରି ଅଶୀର୍ବାଦ କାମନା କରିଥିଲେ । ଏଥର ବୁଢାଦେଓଙ୍କ ଗାଦି ଯାତ୍ରାରେ ନୂଆପଡା ଜିଲ୍ଲା ସମେତ ପଡୋଶୀ ବଲାଙ୍ଗୀର ଓ କଲାହାଣ୍ଡି ଜିଲା ସହ ଛତିଶଗଡ ଅଞ୍ଚଳରୁ ବହୁ ଆଦିବାସୀଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।

ଚଳିତବର୍ଷ ଖଡିଆଳ ବ୍ଲକ ଖମତରାଇ ଗାଁରେ ଇଷ୍ଟଦେବତା ବୁଢାଦେଓଙ୍କ ଗାଦି ଯାତ୍ରା ୧୫ବର୍ଷରେ ପଦାର୍ପଣ କରିଛି । ଏ ବର୍ଷ ପୈାଷମାସ ଶୁକ୍ଲପକ୍ଷ ଚତୁର୍ଥୀଠାରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ଷଷ୍ଠି ଯାଏ ଦୀର୍ଘ ତିନି ଦିନ ଧରି ଗାଦିଯାତ୍ରା ଚାଳିବ । ଖମତରାଇ ଗାଁରେ ପାରମ୍ପରିକ ନୀତି ଅନୁସାରେ ବୁଢାଦେଓଙ୍କ ଗାଦିଯାତ୍ରାକୁ ଧୁମଧାମ୍‌‍ର ସହ ପାଳନ କରାଯାଉଛି । ବୁଢାଦେଓଙ୍କ ଯାତ୍ରା ହେବାର ମାସେ ପୂର୍ବରୁ ଖମତରାଇ ଗାଁର ଆଦିବାସୀମାନେ ନିଜର ପରିବାର ତଥା ବନ୍ଧୁବାନ୍ଧବମାନଙ୍କୁ ନିମନ୍ତ୍ରଣ ଦେଇଥାନ୍ତି । ନିମନ୍ତ୍ରଣ ପାଇବା ପରେ ପରିବାର ତଥା ବନ୍ଧୁବାନ୍ଧବମାନେ ଖମତରାଇ ଗାଁକୁ ଆସି ବୁଢାଦେଓଙ୍କ ଗାଦି ଯାତ୍ରାରେ ସାମିଲ ହୋଇଥାନ୍ତି । ବିଶେଷ କରି ଏହି ଯାତ୍ରାରେ ଆଦିବାସୀ ମହିଳାମାନେ ଯୋଗ ଦେଇ ଇଷ୍ଟଦେବତା ବୁଢାଦେଓଙ୍କ ନିକଟରେ ପୂଜା ଅର୍ଚ୍ଚନା କରିବା ସହ ହଳଦୀ ତେଲ ସମର୍ପଣ କରି ଆଶୀର୍ବାଦ କାମନା କରିଥାନ୍ତି ।

temple

ସେହିଭଲି ମାନସିକଧାରୀ ଭକ୍ତମାନେ ମଧ୍ୟ ନିଜର ମନସ୍କାମନା ପୂରଣ ପାଇଁ ବୁଢାଦେଓଙ୍କ ପୀଠରେ କୁକୁଡା ଓ ବୋଦା ବଳି ମଧ୍ୟ ଦେଇଥାନ୍ତି । ଏହି ଯାତ୍ରାରେ ଆସିଥିବା ସମସ୍ତ ଲୋକଙ୍କ ପାଇଁ ଭୋଜି ଭାତର ଆୟୋଜନ କରାଯାଇଥିବା ବେଳେ ରାତ୍ରୀ ସମୟରେ ମନୋରଞ୍ଜନ ପାଇଁ ନୃତ୍ୟଗୀତର ଆସର ଜମିଥାଏ । ଏହି ଅବସରରେ ବୁଢାଦେଓ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ନବରଙ୍ଗପୁରର ପୂର୍ବତନ ସାଂସଦ ରମେଶ ଚନ୍ଦ୍ର ମାଝି ମୁଖ୍ୟ ଅତିଥି ଭାବେ ଯୋଗେଇଥିବା ବେଳେ ଛତିଶଗଡର ପୂର୍ବତନ ବିଧାୟକ ଗୋବର୍ଦ୍ଧନ ମାଝିଙ୍କ ସମେତ ବହୁ ଆଦିବାସୀ ସାମାଜିକ ନେତୃବୁନ୍ଦମାନେ ଯୋଗଦେଇ ଆଦିବାସୀଙ୍କ କଳା,ସଂସ୍କୃତି ଓ ପରମ୍ପରାର ପୁନଃରୁଦ୍ଧାର କରିବା ନେଇ ଆଲୋଚନା କରିଥିଲେ ।

ଚଳିତବର୍ଷ ନୂଆପଡା ଜିଲ୍ଲା ଖମତରାଇ ଗାଁଠାରେ ବୁଢାଦେଓଙ୍କ ୧୫ତମ ଗାଦି ଯାତ୍ରାକୁ ବହୁ ଧୁମଧାମରେ ପାଳନ କରାଯାଉଛି । ଏଥିରେ ନୂଆପଡା ଜିଲ୍ଲା ସମେତ ପଡୋଶୀ ଛତିଶଗଡର ହଜାର ହଜାର ଆଦିବାସୀମାନେ ଏକତ୍ରୀତ  ହୋଇ ବୁଢାଦେଓଙ୍କ ଗାଦି ଯାତ୍ରାକୁ ବହୁ ଉତ୍ସାହ ଓ ଉଦ୍ଧୀପନାର ସହ ପାଳନ କରିଥିବାରୁ ଆଦିବାସୀଙ୍କ ମଧ୍ୟରେ ଏକତା ଓ ଭାତୃଭାବ ସୃଷ୍ଟି ହୋଇଛି ।