ଭାଦ୍ରବ ମାସର ପ୍ରତି ବୁଧବାରରେ ହୋଇଥାଏ ବୁଧେଇ ଓଷା, ଖୁବ ସ୍ୱତନ୍ତ୍ର ଏହାର ପରମ୍ପରା

ଆମ ଓଡ଼ିଶାରେ ଅନେକ ପରମ୍ପରା ରହିଛି । ଏଥିରେ ଅନେକ ନୂଆ ପରମ୍ପରା ସୃଷ୍ଟି ହେଉଥିଲେ ମଧ୍ୟ ପୁରୁଣା ପରାମ୍ପରାକୁ ପାସୋରୀ ହେଉନାହିଁ । ତେବେ ସେଥିମଧ୍ୟରୁ ଏମିତି ଏକ ପର୍ବ ହେଉଛି ବୁଧେଇ ଓଷା ବା ବୁଧିବାମନ ଓଷା । ଯାହାକୁ ମହିଳାମାନେ ପାଳନ କରିଥାନ୍ତି । ପୁରୀ ଜିଲ୍ଲା ରଘୁରାଜପୁର ଗ୍ରାମର ମହିଳାମାନେ ଏକାଠି ହୋଇ ପାଳନ କରିଛନ୍ତି ଏହି ଓଷା । କଲ୍ୟାଣମୟୀ ମା’ ବୁଧେଇ । ଅଭୟ ପଣତତଳେ ରଖୁ ସଭିଙ୍କୁ । ସକଳ ମଙ୍ଗଳ ହେଉ ପରିବାରର । ଧନ ଜନ ଗୋପ ଲକ୍ଷ୍ମୀରେ ପୁରି ଉଠୁ ଘର ।

ଏତିକି ଶୁଭ ମନାସି ଆମ ଓଡ଼ିଆ ଘରର ମା’ମାନେ ପବିତ୍ର ଭାଦ୍ରବ ମାସ ପ୍ରତି ବୁଧବାର ଦିନ ପାଳିଥାନ୍ତି ବୁଧେଇ ଓଷା । ପୁରୀ ଜିଲ୍ଲା ରଘୁରାଜପୁର ଗାଁରେ ମଧ୍ୟ ଏହି ଓଷା ଦେଖିବାକୁ ମିଳେ । ଖୁବ୍ ଉତ୍ସାହ ଓ ଉଦ୍ଦିପନାର ସହିତ ମହିଳାମାନେ ଏହି ଓଷାକୁ ପାଳନ କରିଥାନ୍ତି । ଲୋକ ମୁଖରେ ବୁଧେଇ ଓଷା ନାଁରେ ପରିଚିତ ହେଲେ ମଧ୍ୟ ଏହାକୁ ଅନେକ ବୁଧି ବାମନ ଓଷା ବୋଲି କହିଥାନ୍ତି । ତେବେ ଏହି ବୁଧେଇ ଓଷା ବିଧିର ଖୁଦୁରୁକୁଣି ଓଷା ସାଙ୍ଗରେ କିଛିଟା ସାମଞ୍ଜସ୍ୟ ରହିଛି ।

ଖୁବ୍ ନିଷ୍ଠାର ସହିତ ପାଳିତ ହୁଏ ଏହି ଓଷା । ଏଥିପାଇଁ ଭାଦ୍ରବ ମାସର ପ୍ରତି ବୁଧବାର ସକାଳୁ ସକାଳୁ ହିଁ ଆରମ୍ଭ ହୋଇଯାଏ ପୂଜା ପ୍ରସ୍ତୁତି । ସଂଗ୍ରହ ହୁଏ ଭଳିକି ଭଳି ଫୁଲ । ଫୁଲ ତୋଳା ସରିବା ପରେ ଓଷା ପାଳିଥିବା ସ୍ତ୍ରୀ ଲୋକମାନେ ଗାଁ ପୋଖରୀରେ ବୁଡ଼ ପକାନ୍ତି । ଏହାପରେ ବାଲୁଙ୍କା ସ୍ଥାପନ ପରମ୍ପରା ଅନୁଷ୍ଠିତ ହୁଏ । ପୂଣ୍ୟତୟା ଭାର୍ଗବୀ ନଦୀରୁ ବାଲି ଆଣି ପିଣ୍ଡ କରାଯାଇଥାଏ । ସେଥିରେ ସାରୁପତ୍ର ବାଉଁଶପତ୍ର ଅପମାରଙ୍ଗ ସହିତ ବିଭିିନ୍ନ ଫୁଲ ଏବଂ ଦୁବ ବରକୋଳି ପତ୍ର ସଜାଇ ପୂଜାର୍ଚ୍ଚନା କରାଯାଇଥାଏ ।

ବାଲୁଙ୍କା ପରମ୍ପରା ଶେଷ ହେବା ପରେ ମହିଳାମାନେ ଘରକୁ ଫେରିଥାନ୍ତି । ଏହାପରେ ସଂଧ୍ୟାରେ ମା’ ବୁଧେଇଙ୍କ ପ୍ରତୀକ ତିଆରି ଆରମ୍ଭ ହୁଏ । ଚିକ୍କଣ କରି ଶିଳରେ ଖଣ୍ଡ ହଳଦି ବଟାଯାଇଥାଏ । ଗୋଟିଏ ଶିଳ ଓ ଶିଳ ପୁଆରେ ବଟା ହଳଦିକୁ ଲେପନ କରାଯାଇଥାଏ । ଏହା ପରେ ସେଥିରେ କଉଡ଼ି ଖଞ୍ଜି ପ୍ରସ୍ତୁତି ହୁଏ ଦଧିବାମନଙ୍କ ବିଗ୍ରହ । ଆଖି କାନ ନାକ ଏବଂ ପାଟିର ପ୍ରତୀକକୁ ସେଥିରେ ଲଗାଯାଇ ମା’ ବୁଧେଇଙ୍କୁ ପ୍ରସ୍ତୁତ କରାଯାଇଥାଏ । ସଞ୍ଜ ନଇଁବା ପରେ ଆରମ୍ଭ ହୁଏ ମା’ଙ୍କର ବିଶେଷ ପୂଜାର୍ଚ୍ଚନା । ପୂଜା ସ୍ଥାନରେ ଏକାଠି ହୁଅନ୍ତି ସାରା ଦିନ ଉପବାସ ପାଳିଥିବା ସ୍ତ୍ରୀ ଲୋକମାନେ ।

ଖଇ ଚୁଡ଼ା ନଡ଼ିଆ କଦଳୀ କୋରା କାକୁଡ଼ି ପିଜୁଳି ଠାରୁ ଆରମ୍ଭ କରି ବିଭିନ୍ନ ଜାତିର ଫଳମୂଳ ବଢାଯାଏ ମା’ଙ୍କ ଲାଗି । ବୋଲାଯାଏ ବୁଧେଇ ଓଷା ବ୍ରତର କଥା । ବ୍ରତ କଥା ଶେଷ ହେବା ପରେ ହୁଏ ମା’ଙ୍କର ପୂଚାର୍ଚ୍ଚନା । ତା’ ପରେ ସମସ୍ତେ ପ୍ରସାଦ ପାଇଥାନ୍ତି । ଭାଦ୍ରବ ମାସ ବୁଧବାର ସବୁରେ ବୁଧେଇ ଓଷାର ଏହି ପରମ୍ପରା କହେ ଘର ପରିବାର ଲାଗି ଓଡ଼ିଆ ଘରଣୀର କଥା । ଆଧୁନିକତା ଭିତରେ ବି ପରିବାର ପାଇଁ ହଜିଯାଇନି ଓଡ଼ିଆଣୀର ମମତା ଆଉ ଭାବ ପ୍ରବଣତା ।

You might also like