ଶ୍ରୀ ଖାଟୁ ଶ୍ୟାମଙ୍କ ଭକ୍ତିରେ ଝୁମିଲେ ଶ୍ରଦ୍ଧାଳୁ, ଧୁମଧାମରେ ପାଳନ ହେଲା ତୃତୀୟ ମହୋତ୍ସବ

ଅନୁଗୋଳ: ଅନୁଗୋଳରେ ଶ୍ରୀ ଖାଟୁ ଶ୍ୟାମଙ୍କ ଭକ୍ତିରେ ଝୁମିଲେ ସହସ୍ରାଧିକ ଶ୍ରଦ୍ଧାଳୁ । ଧୁମଧାମର ସହ ପାଳନ ହେଲା ତୃତୀୟ ମହୋତ୍ସବ । ଅନୁଗୋଳର ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ ଲାଡ଼ଲେ ଖଟୁ ୱାଲେକେ ଗ୍ରୁପ ପକ୍ଷରୁ ସ୍ଥାନୀୟ ସଭା ଘରେ ଭଗବାନ ଶ୍ରୀ ଖାଟୁ ଶ୍ୟାମ ବାବାଙ୍କ ତୃତୀୟ ମହୋତ୍ସବ ମହା ଆଡମ୍ବର ସହକାରେ ସମାପ୍ତ ହୋଇଛି । କୋଲକାତାର ସୁନାମଧନ୍ୟ କଣ୍ଠଶିଳ୍ପୀ ଶୀତଲ ଚଣ୍ଡକ ଶର୍ମା ଓ ବିବେକ ଶର୍ମାଙ୍କ ତାଳରେ ତାଳ ମିଶାଇ ମହିଳା ଶ୍ରଦ୍ଧାଳୁ ମାନେ ନୃତ୍ୟ ପରିବେଷଣ କରିଥିଲେ ।

ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଭାଇ କଳାକାରଙ୍କୁ ସ୍ୱାଗତ କରିଥିଲେ । ଭଗବାନ ଶ୍ରୀ ଖାଟୁ ଶ୍ୟାମ ବାବାଙ୍କ ପ୍ରତିକୃତି, ପାଦୁକା ସୁସଜ୍ଜିତ ରଥ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଏହାପରେ ଶ୍ରଦ୍ଧାଳୁ ମାନେ ଅନ୍ନ ପ୍ରସାଦ ସେବନ କରିଥିଲେ । ହିନ୍ଦୁ ଧର୍ମର ଶ୍ରୀକୃଷ୍ଣଙ୍କ କଳିଯୁଗର ଅବତାର ଭାବେ ଭଗବାନ ଖାଟୁ ଶ୍ୟାମ ବାବା ରୂପରେ ପୂଜିତ ହୋଇ ଆସୁଛନ୍ତି ବୋଲି ଆୟୋଜକ ପ୍ରକାଶ କରିଛନ୍ତି । ବାବା ଖାଟୁ ଶ୍ୟାମଙ୍କ ନାଁ ଶୁଣିଲେ ଭକ୍ତଙ୍କ ମନରେ ଅଦ୍ଭୁତ ଶିହରଣ ଖେଳିଯାଏ । କାରଣ ଶ୍ୟାମ ବାବା ଭକ୍ତର ସମସ୍ତ ମନୋବାଞ୍ଚା ପୂରଣ କରନ୍ତି ।

ବାବା ଖାଟୁ ଶ୍ୟାମ ଭଗବାନ ଶ୍ରୀକୃଷ୍ଣଙ୍କ ଅବତାର ବୋଲି ବିଶ୍ୱାସ କରାଯାଏ । ବାବା ଖାଟୁ ଶ୍ୟାମ ପାଣ୍ଡବଙ୍କ ବଂଶଜ ତଥା ଭୀମଙ୍କ ନାତି ଏବଂ ଘଟୋତ୍କଚଙ୍କ ପୁଅ । ବାବାଙ୍କ ମନ୍ଦିର ରାଜସ୍ଥାନର ସିକର ଜିଲ୍ଲାରେ ଅବସ୍ଥିତ, ଯେଉଁଠାରେ ଖାଟୁ ଶ୍ୟାମଙ୍କୁ ପ୍ରତ୍ୟେହ ପୂଜା କରାଯାଏ । ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଏଠାକୁ ବାବାଙ୍କ ଦର୍ଶନ ପାଇଁ ଆସନ୍ତି ।  ଏପଟେ ଏହି ଉତ୍ସବରେ ୟୁଟ୍ୟୁବ ଇଂଫ୍ଲୁଏନ୍ସର ଏବଂ ବ୍ଲଗର କଲିକତାର ଉଜ୍ବଳ କେଡ଼ିଆ, କ୍ରିଷ୍ଣା ନୃତ୍ୟ ନାଟିକା, ରାଜୁ ପଦାର ବାଦ୍ୟଗ୍ରୁପ ଏବଂ ଦିୱାନା ଧମାଲ ଗ୍ରୁପ ନୃତ୍ୟ ନାଟିକା ଏବଂ ଭକ୍ତି ସଂଗୀତ ପରିବେଷଣ କରିଥିଲେ ।

ବାବା ଶ୍ୟାମଙ୍କ ଏହି କାର୍ଯ୍ୟକ୍ରମରେ ଶହ ଶହ ଭକ୍ତଙ୍କ ଭିଡ଼ ଲାଗିଥିଲା । ଲୋକମାନେ ଆନନ୍ଦ ମନରେ ବାବାଙ୍କ ଭଜନରେ ମଗ୍ନ ହୋଇ ଯାଇଥିଲେ ଏବଂ ଭଜନ ସନ୍ଧ୍ୟାକୁ ଉପଭୋଗ କରିଥିଲେ ଏଠାକାର ସ୍ଥାନୀୟ ବାସିନ୍ଦା । ତେବେ ଯାହା ସୂଚନା ମିଳିଛି କି, ଉତ୍ସବକୁ ଅନୁଗୋଳର ଉପସ୍ଥାପିକା ମୁସ୍କାନ ଗୁପ୍ତା ପରିଚାଳନା କରିଥିବା ବେଳେ ପୂଜା ଅଗ୍ରୱାଲ ଓ ପୂଜା ଫୋଗଲା ପ୍ରମୁଖ ସହ ଉପସ୍ଥାପିକ ଭାବେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦୀପକ ଅଗ୍ରୱାଲ, ଗୌରବ ଅଗ୍ରୱାଲ, ଶ୍ରୀଧର ଅଗ୍ରୱାଲ, ଆଦିତ୍ୟ ଫୋଗଲା, ଜିତେନ୍ଦ୍ର ମୋଦି, ପ୍ରୀତମ ତିୱାରୀ, ଆଶୁତୋଷ ମୀରାନିଆ, ପ୍ରତୀକ ଅଗ୍ରୱାଲ, ଦୀପକ ଅଗ୍ରୱାଲ ଏବଂ ମୋହିତ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ।