ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ଣ ହେଲା ଚକଅଖ ଡେରା ନୀତି, ଜମିଲା ଭକ୍ତଙ୍କ ଭିଡ

ପରମ୍ପରା ମୁତାବକ ମହାପ୍ରଭୁଙ୍କ ଭଉଁରୀ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ରରେ ସମ୍ପର୍ଣ୍ଣ ହୋଇଛି ତିନି ରଥର ଚକଅଖ ଡେରା ନୀତି । ଶ୍ରୀମନ୍ଦିରରୁ ପୂଜାପଣ୍ଡା ସେବକମାନେ ଶ୍ରୀଜୀଉଙ୍କ ଆଜ୍ଞାମାଳ ରଥ ଖଳାକୁ ବିଜେ କରାଇବା ପରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ ଲେଖାଏଁ ଅଖ ଡେରା ଯାଇଥିଲା । ଏହି ଚକ ଅଖ ଡେରା ନିତୀ ସମ୍ପର୍ଣ୍ଣ ପରେ ଏଵେ ରଥ ନିର୍ମାଣର ଅନ୍ୟାନ୍ୟ କାର୍ଯ୍ୟ ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ରଥଖଳାରେ ସମ୍ପାଦିତ ହୋଇଛି ଚକାଡେରା ନୀତି । ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଏକ ପଟୁଆରରେ ଆଜ୍ଞାମାଳ ଶ୍ରୀନଅରକୁ ଅଣାଯାଇଥିଲା ।

ଏହାପରେ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶକ୍ରମେ ଭୋଇ ସେବାୟତମାନେ ୩ ରଥର ଅଖରେ ୨ଟି ଲେଖାଏଁ ଚକକୁ ସଂଯୋଗ କରି ପ୍ରଥମ ହରିବୋଲ ପକାଇଥିଲେ । ଏହାପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳକୁ ରଥ ଚକ ଉପରେ ରଖି ଚକଡେରା କାମକୁ ଅନୁକୂଳ କରିଥିଲେ । ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ, ଭଉଁରୀ ତିଥିରେ ପ୍ରଥମ ଚକଅଖ ସଂଯୋଗ କରାଯାଇଛି । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଦ୍ରୁତ ଗତିରେ ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ ।

ସେପଟେ ଭକ୍ତଙ୍କ ଭିଡ ଓ ଶୃଙ୍ଖଳିତ ନୀତିକାନ୍ତି ପାଇଁ ପୋଲିସ ତରଫରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ତିନି ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ସହ ଆଜ୍ଞାମାଳ ବିଜେ ସମୟରେ ସମସ୍ତ ନୀତିକାନ୍ତି ଶୃଙ୍ଖଳିତ ଢଙ୍ଗରେ ସମାପନ କରାଯାଇଥିଲା । ଏହାପରେ ଚକଅଖ ଡେରାଯିବା ପୂର୍ବରୁ ତିନିରଥର ଦୁଇଟି ଲେଖାଏଁ ଚକ ରଥଖଳାରୁ ଆସି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରହିବା ପରେ ସେଥିରେ ପାଣିଆଆପଟ ସେବକଙ୍କ ଦ୍ବାରା ପାଣି ଢଳାଯାଇ କମାର ସେବକଙ୍କ ଦ୍ବାରା ପନ୍ଧାରୀରେ ଯୋଖିଆ ବାଡିଆ ଅନୁକୂଳ ହୋଇଥିଲା ।

ପରେ ଅଖରେ ପୋଲାଙ୍ଗ ତେଲ ବୋଳା ହୋଇ ଆଜ୍ଞାମାଳ ବିଜେ କରାଯାଇ ଚକ ଅଖ ଡେରା ନୀତି ଅନୁଷ୍ଠିତ ହୋଇଥିଲା । ଅନ୍ୟପଟେ ରଥଖଳାରେ ପ୍ରାୟତଃ ୩୦ଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥନିର୍ମାଣ କାର୍ଯ୍ୟ ଶେଷ ହେଵ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି । ତେବେ ମହାପ୍ରଭୁଙ୍କ ଏହି ଚକଅଖ ଡେରା ନୀତି ଦେଖିବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ଏହାକୁ ଦେଖି ଭକ୍ତ ଶ୍ରଦ୍ଧାଳୁ ବେଶ୍ ଖୁସି ପ୍ରକଟ କରିଛନ୍ତି । ଆଗାମୀ ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ୪୨ ଗୋଟି ଚକର ନିର୍ମାଣ କାର୍ଯ୍ୟ ଶେଷ ହେବାର ପରମ୍ପରା ରହିଥିବା ବେଳେ ଆସନ୍ତା ସ୍ନାନପୁର୍ଣିମା ତିଥିରେ ତିନି ରଥର ଚାରି ନାହାକା ଉଠିବାର ବିଧିବିଧାନ ରହିଛି ।

You might also like