ମା’ ଶାରଳାଙ୍କ ଚନ୍ଦନଯାତ୍ରା, ନୌକାରେ ମା’ଙ୍କୁ ଦେଖିବା ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ଜଗନ୍ନାଥ ସଂସ୍କୃତିରେ ଦେବାଦେବୀଙ୍କ ମାନବୀୟ ଲୀଳାରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ପ୍ରତ୍ୟକ ଦେବାଦେବୀଙ୍କ ପୀଠରେ ଚନ୍ଦନଯାତ୍ରା ପରମ୍ପରା ଦେଖିବାକୁ ମିଳିଥାଏ । ସେହିଭଳି ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ବାସିନୀ ମା'ଶାରଳାଙ୍କ ପୀଠରେ ଚାଲିଛି ଚନ୍ଦନଯାତ୍ରା ।

ଜଗନ୍ନାଥ ସଂସ୍କୃତିରେ ଦେବାଦେବୀଙ୍କ ମାନବୀୟ ଲୀଳାରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଓ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ପ୍ରତ୍ୟକ ଦେବାଦେବୀଙ୍କ ପୀଠରେ ଚନ୍ଦନଯାତ୍ରା ପରମ୍ପରା ଦେଖିବାକୁ ମିଳିଥାଏ । ସେହିଭଳି ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ବାସିନୀ ମା’ଶାରଳାଙ୍କ ପୀଠରେ ଚାଲିଛି ଚନ୍ଦନଯାତ୍ରା । ଅକ୍ଷୟ ତୃତୀୟାରୁ ଆରମ୍ଭ ହୋଇ ଏହି ଚନ୍ଦନଯାତ୍ରା ୨୧ଦିନ ବ୍ୟାପି ଚାଲିଥାଏ । କୌଣସି ଦେବୀ ପୀଠରେ ଚନ୍ଦନ ଯାତ୍ରା ନଥିବା ବେଳେ ମା’ ଶାରଳାଙ୍କ ପୀଠରେ ଏହା ଏକ ନିଆରା ପରମ୍ପରା ।
ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବା ପାଇଁ ମା’ଶାରଳା ଚନ୍ଦନ ପୁଷ୍କରିଣୀରେ ନୌକା ବିହାର କରିବା ସହ ପୁଷ୍କରିଣୀ ମଝି ଚନ୍ଦନ କୁଣ୍ଡିରେ ବିଶ୍ରାମ କରିବାର ପରମ୍ପରା ରହିଆସିଛି । ସକାଳୁ ସକାଳୁ ମା’ଶାରଳାଙ୍କ ମଙ୍ଗଳ ଆଳତି, ମାର୍ଜନା, ଅଭଡା ଲାଗି, ବାଳଧୂପ ପରି ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥାଏ । ମଧ୍ୟାହ୍ନରେ ମା’ଶାରଳାଙ୍କ ଚଳନ୍ତି ପ୍ରତିମା ମଦନମୋହନ ବେଶରେ ମନ୍ଦିର ବେଢା ପରିକ୍ରମା କରିବା ସହ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରି ଘଣ୍ଟଘଣ୍ଟା, ଭେରୀତୂରୀ,ବାଜାବାଣ ରୋଷଣୀରେ ଚନ୍ଦନ ପୁଷ୍କରିଣୀକୁ ଯାତ୍ରା କରିଥାନ୍ତି ।
ଚନ୍ଦନ ପୁଷ୍କରିଣୀ ଗଣେଶ ମନ୍ଦିରରୁ ମା’ଶାରଳାଙ୍କୁ ନୌକାରେ ବସାଇ ସେବାୟତମାନେ ବାଦ୍ୟ ଧ୍ୱନି ସହ ଗୀତ ଗୋବିନ୍ଦ ଗାଇ ନୌକା ବିହାର କରାଇବାର ଅପୂର୍ବ ଦୃଶ୍ୟକୁ ଶତାଧିକ ଭକ୍ତ ଶ୍ରଦ୍ଧାଳୁ ପ୍ରତ୍ୟହ ଉପଭୋଗ କରୁଛନ୍ତି । ମା’ଶାରଳା ଅକ୍ଷୟ ତୃତୀୟା ଦିନ ଠାରୁ ପ୍ରତେକ ଦିନ ମଧ୍ୟାହ୍ନରେ ଗୋଟିଏ ଘେରା ଲେଖାଏଁ ନୌକା ବିହାର କରି ଚନ୍ଦନ ପୁଷ୍କରିଣୀରେ ବିଶ୍ରାମ ନେଇ ରାତିରେ ନୌକା ବିହାର କରି ମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି । ସୂର୍ଯ୍ୟକୁ ପୃଥିବୀ ପରିକ୍ରମା କରିବା ପରି ପୁଷ୍କରିଣୀ ମଝି ମନ୍ଦିରକୁ ୨୧ଦିନରେ ୨୧ଘେରା ପ୍ରଦକ୍ଷଣା କରିବାର ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳେ ।
ପ୍ରଥମେ ମନ୍ଦିରରେ ମା’ଙ୍କୁ ଚନ୍ଦନ ଲାଗି କରାଯାଏ ଓ ପରେ ସେବାୟତ ଓ ଭକ୍ତମାନେ ପରସ୍ପର ଚନ୍ଦନ ଲଗା ଲଗି ହୋଇଥାନ୍ତି । ଏହି ପରମ୍ପରା ବହୁ କାଳରୁ ପ୍ରଚଳିତ ଅଛି । ମା’ଶାରଳା ପରମବୈଷ୍ଣବୀ ପ୍ରତ୍ୟେକ ଅମାବାସ୍ୟା ତିଥିରେ ମା’ ଜଗନ୍ନାଥଙ୍କ ବେଶ ଧାରଣ କରିଥାନ୍ତି । ମା’ଶାରଳାଙ୍କୁ ତୁଳସୀ ଓ ବେଲପତ୍ର ଲାଗି କରାଯାଉଥିବା ବେଳେ ମା’ଙ୍କ ଚଳନ୍ତି ପ୍ରତିମା ମଦନମୋହନ ବେଶରେ ନୌକା ବିହାର କରିଥାନ୍ତି । ଚନ୍ଦନଯାତ୍ରାରେ ମା’ଶାରଳାଙ୍କୁ ଦର୍ଶନ କଲେ ଭକ୍ତଙ୍କର ସମସ୍ତ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
ଚଳିତ ବର୍ଷ କୈବର୍ତ ସମାଜ ପକ୍ଷରୁ ପ୍ରଦତ୍ତ ନୂତନ ନୌକାରେ ମା’ଙ୍କୁ ନୌକା ବିହାର କରାଯାଉଛି । ମା’ଶାରଳାଙ୍କ ପୀଠରେ ଅକ୍ଷୟ ତୃତୀୟା ଠାରୁ ଦିନ ଓ ରାତି ଦୁଇ ଓଳା ୨୧ଦିନ ବ୍ୟାପି ଚନ୍ଦନଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି । ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ବନ୍ଦୋବସ୍ତ କରାଯାଇଛି । ଭକ୍ତ ମାନେ ମା’ଙ୍କ ଦର୍ଶନ କରି ବେଶ ଆନନ୍ଦିତ ଅଛନ୍ତି । ଓଡିଶାର ପୁଅରପଲ୍ଲୀରୁ ଭକ୍ତ ମାନେ ଛୁଟି ଆସୁଛନ୍ତି ମାଙ୍କୁ ଟିକେ ଦର୍ଶନ କରିବା ପାଇଁ ଓ ନୌକାରେ ଦେଖିବା ପାଇଁ ।