ଏକାଦଶୀରେ ସାକ୍ଷୀଗୋପାଳସ୍ଥିତ ଗୋପିନାଥ ଦେବଙ୍କ ପାଖେ ଚୁଡ଼ା ଘଷା ଲାଗି କଲେ ଭକ୍ତ

ପିପିଲି: ପବିତ୍ର ବଡ଼ ଏକାଦଶୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଗୋପିନାଥ ଦେବଙ୍କ ମନ୍ଦିର ପରିସର ହୋଇ ଉଠିଥିଲା ଚଳଚଞ୍ଚଳ । ଭକ୍ତମାନେ ମନ୍ଦିର ବେଢାରେ ଚୁଡ଼ା ଘଷା ଭୋଗ କରି ଠାକୁରଙ୍କୁ ଅର୍ପଣ କରିଥିଲେ । କାହିଁ କେଉଁ ଅମଳରୁ ଏହି ପରମ୍ପରା ଚାଲିଆସୁଅଛି । ଗ୍ରାମାଞ୍ଚଳର ଲୋକମାନେ ସେମାନଙ୍କ ଜମିରେ ପ୍ରଥମ ଅମଳ ହୋଇଥିବା ଧାନରୁ ଚୁଡ଼ା ପ୍ରସ୍ତୁତ କରି ଏବଂ ବାରିରୁ କମଳା କଦଳୀ ଆଣି ପ୍ରଭୁ ଗୋପୀନାଥଙ୍କ ନିକଟରେ ଭୋଗ ନୈବେଦ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରିଥାନ୍ତି ।

ଏ ହେଉଛି ସେହି ପ୍ରସିଦ୍ଧ ଗୋପିନାଥ ଦେବଙ୍କର ମନ୍ଦିର । ମନ୍ଦିର ପରିସର ହୋଇପଡ଼ିଛି ଲୋକାରଣ୍ୟ । ଭକ୍ତଙ୍କ ଗହଳି ଚହଳିରେ ଉଠୁଛି ପଡୁଛି ମନ୍ଦିର ପରିସର । କାହିଁ କେତେ ଦୂର ଦୂରାନ୍ତରରୁ ଶ୍ରଦ୍ଧାଳୁମାନେ ଛୁଟି ଆସିଛନ୍ତି ଠାକୁରଙ୍କୁ ଦର୍ଶନ କରିବା ପାଇଁ । କାରଣ ଦିନ ଥିଲା ଏକାଦଶୀର । ଏହି ଦିନରେ ଠାକୁରଙ୍କୁ ଚୁଡ଼ା ଘଷା ଭୋଗ ଅର୍ପଣ କଲେ ବେଶ୍ ପୁଣ୍ୟ ଅର୍ଜନ ମିଳିଥାଏ ବୋଲି ବିଶ୍ୱାସ ରହିଛି ଶ୍ରଦ୍ଧାଳୁଙ୍କର ।

ଏକାଦଶୀରେ ବହୁ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଚୁଡ଼ା, ଗୁଡ଼, ନଡ଼ିଆ, କମଳା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫଳମୂଳ ସାଥିରେ ଆଣି ପହଁଚିଥିଲେ ମନ୍ଦିର ବେଢା ପରିସରରେ । ସେବାୟତଙ୍କ ଦ୍ୱାରା କରାଯାଇଥିଲା ଚୁଡ଼ା ଘଷା ଭୋଗର କାର୍ଯ୍ୟକ୍ରମ । ଭକ୍ତମାନେ ପବିତ୍ର ଏକାଦଶୀରେ ଠାକୁରଙ୍କୁ ଚୁଡ଼ା ଘଷା ଭୋଗ ଅର୍ପଣ କରିବାର ପରମ୍ପରା ରହିଛି । ତେବେ ଏହି ପରମ୍ପରା ବାପ ଜେଜେ ଅମଳରୁ ରହି ଆସିଥିବାର ଭକ୍ତମାନେ କହିଛନ୍ତି ।

ଭକ୍ତମାନେ କେବଳ ଯେ ଚୁଡ଼ା ଘଷା ପାଇଁ ଏଠାରେ ସାମିଲ ହୋଇଥାନ୍ତି ତାହା ନୁହେଁ ଝାଞ୍ଜ ମୃଦଙ୍ଗ ସାଥିରେ ଆଣି ମନ୍ଦିର ଚାରିପାଖରେ ନାମ ସଂକିର୍ତନ କରିଥାନ୍ତି । ହରିନାମରେ ସୃଷ୍ଟି ହୋଇଥାଏ ଏକ ଭାବ ଭକ୍ତିମୟ ପରିବେଶ । ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସବୁଠୁ ନିଆରା ।  ତେବେ ଠାକୁରଙ୍କ ପ୍ରତି ଭକ୍ତମାନଙ୍କର ରହିଥିବା ଏହି ପରମ୍ପରା ଆଗାମୀ ଦିନରେ ଭକ୍ତଙ୍କୁ ଭଗବାନ ପ୍ରତି ଆହୁରୀ  ଅଧିକ ଆକର୍ଷିତ କରିବ ନିହାତୀ ।

 

You might also like