ନୟାଗଡର ଜଙ୍ଗଲ ଭିତରୁ ମହାପ୍ରଭୁଙ୍କ ପାଇଁ ଦାନ୍ତକାଠି ନେଇ ଆସନ୍ତି ଏହି ଭକ୍ତ

ନୟାଗଡ: ଭାବର ଠାକୁର ପ୍ରଭୁ ଜଗନ୍ନାଥ। ଓଡ଼ିଆଙ୍କ ମଉଡମଣୀ । ପ୍ରଭୁଙ୍କୁ ଭାବରେ ଡାକିଲେ ପ୍ରଭୁ ଡାକ ଶୁଣନ୍ତି । ପ୍ରଭୁଙ୍କ ଆଲୗକିକ ଲୀଳା ନିରନ୍ତର। ନୟାଗଡ ଜ଼ିଲ୍ଲା ନୂଆଗାଁ ବ୍ଲକ ମହୀପୁର ଗାଁର ଧୀରେନ୍ଦ୍ର କୁମାର ସାହୁ । ବୃତ୍ତିରେ ଜଣେ ସରକାରୀ ଶିକ୍ଷକ । ୨୦୦୫ ଓ ୨୦୦୬ ମସିହାରେ ସେ ଅଣ୍ଟା ରୋଗରେ ପୀଡିତ ହୋଇଥିଲେ ।
ବିଭିନ୍ନ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇଥିଲେ ମଧ୍ୟ ଭଲ ହୋଇନଥିଲେ। ଦିନେ ତାଙ୍କ ଭାଇ ସାଙ୍ଗରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଯାଇଥିଲେ । ବାଇଶି ପାହାଚ ଚଢିବା ସମୟରେ ଅଣ୍ଟାରେ କଷ୍ଟ ହୋଇଥିଲା । ସେଠାରୁ ଫେରି ଆସି ଅରୁଣ ସ୍ତମ୍ଭ ପାଖରେ କାନ୍ଧିଥିଲେ । ସେଠାରେ ଜଣେ ସେବାୟତ ଲୋକନାଥ ଦଇତାପତି ଦେଖି ସବୁ କଥା ପଚାରି ବୁଝିଥିଲେ । ତାଙ୍କୁ ମନ୍ଦିର ଭିତରେ ଥିବା ନୀଳମାଧବ ମନ୍ଦିର ନିକଟକୁ ଯାଇଥିଲେ । ସେଠାରେ ପ୍ରଭୁଙ୍କ ଲାଗି ହୋଇଥିବା ଛଡା ଚନ୍ଦନ ଓ କରାଳ ଚନ୍ଦନ ଦେଇଥିଲେ । ତାହାକୁ ପାଇ ସେ ଆରୋଗ୍ୟ ଲାଭ କରିଥିଲେ ।
ଏଭଳି ସେ ବାରମ୍ବାର ପୁରୀ ଯାଉଥିଲେ। ପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଲାଗୁଥିବା ଚନ୍ଦନକୁ ସଂଗ୍ରହ କରି ଧରି ଆସୁଥିଲେ । ଦିନେ ମନ୍ଦିର ଭିତରେ ସେବାୟତ ଭିତରଜନୁ ମହାପାତ୍ରଙ୍କ ସହିତ ଦେଖାହୋଇଥିଲା । ସେଠାରେ ଧୀରେନ୍ଦ୍ରଙ୍କୁ ତାଙ୍କ ପରିଚୟ ପଚାରି ବୁଝିଥିଲେ । ସେ କହିଥିଲେ ପ୍ରଭୁଙ୍କ ପ୍ରତେକ ଦିନ ଦାନ୍ତ ଘସା ସେବା କରାଯାଉଛି । ମାସକୁ ଥରେ ଆସିବ ଓ ପ୍ରଭୁଙ୍କର ପାଇଁ ଦାନ୍ତକାଠି ଧରି ଆସିବ।
ସେହିଦିନ ଠାରୁ ସେ ଦାନ୍ତକାଠି ସେବାରେ ନିୟୋଜିତ ହୋଇଛନ୍ତି। ପରମ୍ପରା ରହିଛି ନୟାଗଡ ଜ଼ିଲ୍ଲା ଦଶପଲ୍ଲା ଜଙ୍ଗଲରୁ କାଠ ଗଲେ ପ୍ରଭୁଙ୍କର ଘୋଷଯାତ୍ର ପାଇଁ ରଥ ନିର୍ମାଣ ହୋଇଥାଏ । ତାହାକୁ ନେଇ ନୟାଗଡ ଜ଼ିଲ୍ଲା ବାସି ଗର୍ବ ଅନୁଭବ କରନ୍ତି । ନୟାଗଡ ଜ଼ିଲ୍ଲା ପାହାଡ଼ ଜଙ୍ଗଲ ଘେରା ଅଂଚଳ । ମହୀପୁର ନିକଟରେ ଜଙ୍ଗଲ ଘେରି ରହିଛି । ଜଙ୍ଗଲ ସଭାପତିଙ୍କ ସହଯୋଗରେ ଧୀରେନ୍ଦ୍ର ସାହୁ ଓ କିଛି ସହଯୋଗୀ ଜଙ୍ଗଲକୁ ଯାଆନ୍ତି । ମୁତୁରି ଗଛ ଲତା ସଦୃଶ୍ୟ । ମୁତୁରି ଗଛକୁ କାଟି ଆଣି ସେଥିରୁ ଦାନ୍ତକାଠି କାଟନ୍ତି । ସେହି ଦାନ୍ତକାଠିକୁ ନେଇ ଜଗନ୍ନାଥଙ୍କ ଅମୁଣିଆ ଘରେ ନେଇ ରଖନ୍ତି।
ମହାପ୍ରଭୁ ଜଗନ୍ନାଥଙ୍କ ନୀତିକ୍ରାନ୍ତିରେ ସ୍ୱତନ୍ତ୍ରତା ରହିଛି । ଷାଠିଏ ପଉଠି କଥା ହେଉ ବା ବାର ମାସରେ ତେର ଯାତ୍ରା କଥା ହେଉ । ପ୍ରଭୁଙ୍କ ଚାଲିଛି ମାନବୀୟ ଲୀଳା । ସାଧାରଣ ବ୍ୟକ୍ତି ସକାଳୁ ଉଠିଲେ ଯେଉଁଭଳି ଦାନ୍ତ ଘସୁଛନ୍ତି ପ୍ରଭୁଙ୍କ ପ୍ରତେକ ଦିନ ଦାନ୍ତ ଘସା ନୀତି ଚାଲିଛି । ନୟାଗଡ ଜ଼ିଲ୍ଲା ନୂଆଗାଁ ବ୍ଲକ ମହୀପୁର ଗାଁ ର ଧୀରେନ୍ଦ୍ର କୁମାର ସାହୁ । ୨୦୦୯ ମସିହାରୁ ପ୍ରଭୁ ଜଗନ୍ନାଥଙ୍କ ଦାନ୍ତକାଠି ସେବାରେ ନିୟୋଜିତ ହୋଇଛନ୍ତି।