ବାପ ଘରୁ ଶାଶୂ ଘରକୁ ଗଲାବେଳେ ଝିଅ ଯୌତୁକ ଭାର ନେଉଥିବା ପ୍ରଥା କେଉଁ ପୁରାତନ କାଳରୁ ରହିଆସିଛି । ସେହିଭଳି ରାୟଗଡା ସହରର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ପାଇଁ ଭାର ପଠାଇବା ଭଳି ଏକ ନିଆରା ପରମ୍ପରା ସବୁ ବର୍ଷ ଶ୍ରାବଣ ମାସରେ ଦେଖିବାକୁ ମିଳିଥାଏ । ଏହା ଶୁଣିବାକୁ ଖୁବ ନିଆରା ଲାଗିପାରେ କିନ୍ତୁ ଏହା ସତରେ ଦେଖିବାକୁ ମିଳିଛି ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣିଙ୍କ ଠାରେ ।
ଶ୍ରଦ୍ଧାଳୁମାନେ ଭାରରେ ମିଠା, ଆରିସା, କାକରା, ଲଡ଼ୁ, କଦଳି, ରସଗୋଲା ଭଳି ବିଭିନ୍ନ ପ୍ରକାର ମିଠା ପିଠା, ସିନ୍ଦୂର, ଚନ୍ଦନ, ହଳଦୀ, ଶାଢ଼ୀ, ଚୁଡ଼ି, କଜଳ ଏବଂ ସୁନା ଅଳଙ୍କାର ଭେଟି ଦେଇ ମାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି । କେଉଁ ପୁରାତନ କାଳରୁ ମାଙ୍କୁ ଯୌତୁକ ଭାର ଦେବା ଦ୍ଵାରା ଭଲ ଚାଷ ଅମଳ, ବାଣିଜ୍ୟରେ ଉନ୍ନତି ସହ ଗ୍ରାମର ବିକାଶ ହୋଇଥାଏ ବୋଲି ମାନ୍ୟତା ରହିଆସିଛି । ରାୟଗଡ଼ା ସହର ସ୍ଥିତ ନେହେରୁ ନଗରର ତେଲୁଗୁ ସମ୍ପ୍ରଦାୟର ୧୫୦ ରୁ ୨୦୦ ମହିଳାମାନେ ଖାଲି ପାଦରେ ନଗର ପରିକ୍ରମା କରିଥିଲେ ।
ବାଜ ବାଜଣା ସହିତ ମୁଣ୍ଡରେ ଭୋଗ ଧରି ଶ୍ରଦ୍ଧାର ସହ ଚାଲି ଚାଲି ଯାଇଥିଲେ । ପ୍ରଥମେ ଗ୍ରାମ ଦେବୀ ମା’ ବୋରଦାଲାପାଲମାଙ୍କ ନିକଟରେ ଭୋଗ ନୈବେଦ୍ୟ ଦେଇ ପହଞ୍ଚିଥିଲେ ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣୀଙ୍କ ନିକଟରେ । ସେଠାରେ ସାଥିରେ ନେଇଥିବା ଭୋଗକୁ ଅର୍ପଣ କରିଥିଲେ । ତେବେ ଆଷାଢ଼ ଶେଷ ଓ ଶ୍ରାବଣ ଆରମ୍ଭରେ ମା’ଙ୍କୁ ଏଭଳି ଭୋଗ ଦେବାର ପ୍ରଥା ରହିଛି । ଭୋଗ ରାଗ ସହ ନୈବେଦ୍ୟ ଦେଇ ମାଙ୍କ କରୁଣା ମନାସିଥାନ୍ତି ଭକ୍ତମାନେ ।