କୈବର୍ତ୍ତ ସମାଜର ଇଷ୍ଟ ଦେବୀ ମା’କାଳିଜାଇଙ୍କ ନୂତନ ମନ୍ଦିର ପ୍ରତିଷ୍ଠା, ଜମିଥିଲା ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼
ଟାଙ୍ଗୀ : ଗାଁ ଦାଣ୍ଡରେ ପଡ଼ିଛି ଭଳିକି ଭଳି ଚିତା ସାଙ୍ଗକୁ ସମସ୍ତଙ୍କ ଦୁଆରରେ ସାମ୍ନା ରେ ରହିଛି ପୂର୍ଣ୍ଣ କୁମ୍ଭ । ଶଗଡ଼ିରେ ବିରାଜମାନ ହୋଇଛନ୍ତି କୈବର୍ତ୍ତ ସମାଜର ଇଷ୍ଟ ଦେବୀ ମା’ କାଳିଜାଇ । ଭକ୍ତଗଣ ମା’ଙ୍କୁ ଟାଣି ଟାଣି ନେଉଛନ୍ତି ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ । ଆଗେ ଆଗେ ଚାଲିଛି ହରିନାମ ସାଙ୍ଗକୁ ନାମ ସଂକୀର୍ତ୍ତନ । ହଜାର ହଜାର ସଖ୍ୟକ ପିଲା ଠାରୁ ବୁଢ଼ା ନାମ ସଂକୀର୍ତ୍ତନରେ ବିଭୋର ହୋଇ ନାଚୁଛନ୍ତି ଗାଁ ଦାଣ୍ଡରେ । ଏହା ହିଁ ବୟାନ କରୁଛନ୍ତି କର୍ମମୟ ଜୀବନରୁ ଟିକିଏ ସମୟ ବହାର କରି ଭଗବାନଙ୍କ ନାମ ଉଚ୍ଚାରଣ କରିବାରେ ରହିଛି ଆତ୍ମତୃପ୍ତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଳକ ମଙ୍ଗଳାଯୋଡି ପଂଚାୟତର କୈବର୍ତ୍ତ ସମାଜ ଗ୍ରାମରେ ମା’ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି ।
ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ପୂର୍ବ ଦିଗକୁ ଘେରି ରହିଥିବା ଚିଲିକା ହ୍ରଦ । ସେହି ଚିଲିକା ହ୍ରଦ ଉପରେ ହଜାର ହଜାର ମତ୍ସଜୀବୀ ନିର୍ଭର କରି ନିଜର ଜୀବିକା ନିର୍ବାହ କରନ୍ତି । ଅକାତ କାତ ପାଣି ମଧ୍ୟରେ ଏକା ସାହା ଭରଷା ମା’ କାଳିଜାଇ । ତାଙ୍କରି ନାମଙ୍କୁ ସ୍ମରଣ କରି ନୌକାରେ ମାଛ ମାରିବା ସହ ପର୍ଯ୍ୟଟକଙ୍କୁ ନୌବିହାର କରାନ୍ତି ନାଉରିଆ । ଏଣୁ ଚିଲିକା ମଧ୍ୟରେ ଅବସ୍ଥିତ ମା’ଙ୍କ ମୂଳ ମନ୍ଦିରରୁ ବାନା ଆଣି ନିଜ ଗ୍ରାମରେ ମା’ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଛି ।
ସେଥିପାଇଁ କିଏ ଫୁଲ ମାଳ ଗୁନ୍ଥି ଦେଉଛି ତ କିଏ ଗାଁ ଦାଣ୍ଡରେ ଚିତା ଆଙ୍କୁଛି, ପୁଣି କିଏ ମା’ଙ୍କ ପ୍ରସାଦ ପାଇଁ ପରିବା କାଟୁଛି । ପୁଣି କିଏ ଶଗଡ଼ିକୁ ସଜେଇ ଦେଉଛି । ସେପଟେ ବ୍ରାହ୍ମଣ ପଣ୍ଡିତମାନଙ୍କ ଦ୍ୱାରା ହୋମ ଯଜ୍ଞ କରାଯାଉଛି । ସମସ୍ତେ ନିରୋଗ ରହିବା ସହିତ ଏକ ସୁସ୍ଥ ସମାଜ ଗଠନ କରି ସମସ୍ତଙ୍କ ମଧ୍ୟରେ ଭାଇଚାରା ବଜାୟ ରଖିବା ପାଇଁ ଏଠି ଏକାଠି ହୋଇ ସମସ୍ତ କାର୍ଯ୍ୟକୁ ସୂଚାରୁ ରୁପେ ସଂପାଦନ କରୁଛନ୍ତି । ଏହାକୁ ଦେଖିବା ପାଇଁ ଆଖ ପାଖ ଅଞ୍ଚଳର ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥିଲା । ସତରେ ଆମ ରାଜ୍ୟ ଓଡ଼ିଶାରେ ବି ଭିନ୍ନ ଭିନ୍ନ ପରମ୍ପରା ରୀତି ନୀତି ଦେଖିବାକୁ ମିଳିଥାଏ । ଆଉ ସବୁଠୁ ବଡ଼ କଥା ହେଉଛି ଗାଁ ମାନଙ୍କରେ ଦେଖାଯାଏ ଭିନ୍ନ ପୂଜା ପାଠ ହୋମ, ଯଜ୍ଞ ଇତ୍ୟାଦି ।