ଧର୍ମଗଡ : ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ସବୁଠୁ ନିଆରା । ତେବେ ଏହି ପରିପେକ୍ଷୀରେ ଭିନ୍ନ ଏକ ସଂସ୍କୃତିରେ ପାଳିତ ହୋଇଯାଇଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମ୍ବପାଣିର ଇଷ୍ଟ ଦେବ ପ୍ରଭୁ ବୁଢ଼ା ରାଜାଙ୍କ ବାର୍ଷିକ ଦଶହରା ପର୍ବ ।କଳାହାଣ୍ଡି ଜିଲ୍ଳାରେ ସବୁ ଆଡେ଼ ଆଶ୍ୱିନ ମାସରେ ଦଶହରା ଶେଷ ହେଇଥିବାବେଳେ ଏହି ଦଶହରା କିନ୍ତୁ ଆଶ୍ୱିନ ପୂର୍ଣ୍ଣିମା ଅର୍ଥାତ କୁମାର ପୂର୍ଣ୍ଣିମା ପରେ ପଡୁଥିବା ଶନିବାର ଦିନ ହୋଇଥାଏ ।
କିମ୍ବଦନ୍ତୀ ଅନୁସାରେ ପ୍ରଭୁ ବୁଢ଼ା ରାଜାଙ୍କ ଦଶହରାରେ ପ୍ରଥମେ ଆଖପାଖ ଅଞ୍ଚଳର ଦେବଦେବୀଙ୍କୁ ନିମନ୍ତ୍ରଣ କରାଯାଏ ଓ ତାଙ୍କ ଲାଠି ଗାଁ ଗହନ୍ତିଆଙ୍କ ଘରେ ପହଁଚିଥାଏ । ଏହାପରେ ଗାଁ ଗାହନ୍ତିଆଙ୍କ ଘରୁ ଏକ ବିରାଟ ଲାଠି ଶୋଭାଯାତ୍ରା ବାହାରି ପ୍ରଭୁ ବୁଢ଼ା ରାଜାଙ୍କ ମନ୍ଦିରରେ ପହଞ୍ଚିଥାଏ । ଏହାପରେ ମନ୍ଦିରରେ ପୂଜାର୍ଚ୍ଚନା ହୋଇଥାଏ ।
କଳାହାଣ୍ଡିର ଇଷ୍ଟ ଦେବ ହୋଇଥିବା ହେତୁ ଏଠି ପଡ଼ୋଶୀ ଛତିଶଗଡ଼, ନୂଆପଡା, ନବରଙ୍ଗପୁର ,କୋରାପୁଟ ତଥା କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣରୁ ଭକ୍ତ ଓ ମାନସିକଧାରୀଙ୍କ ଭିଡ ଲାଗିଥାଏ ଓ ମାନସିକଧାରୀ ପାର୍ଶ୍ୱଦେବଦେବୀଙ୍କୁ ବଳି ଦେଇଥାନ୍ତି । ବିଶ୍ଵାସ ଓ ଭାବନାର ପ୍ରତୀକ ବୁଢା ରାଜା ହୋଇଥିବାବେଳେ ପୂର୍ବ ସରକାର ଏହି ମନ୍ଦିରର ସୁନ୍ଦର କାରୁକାର୍ଯ୍ୟ ଭୋଗମଣ୍ଡପ ଓ ପାରିପାର୍ଶ୍ୱିକ ବିକାଶ ପାଇଁ ୮୦ଲକ୍ଷ ଟଙ୍କା ପ୍ରଦାନ କରିଥିଲେ ।
ବିଶ୍ଵାସ ଓ ଭକ୍ତିର ପ୍ରତୀକ ପ୍ରଭୁ ବୁଢା ରାଜା । ଲୋକଙ୍କ ଆକର୍ଷଣ ପାଇଁ ଏଠି ସନ୍ଧ୍ୟାରେ ଆୟୋଜିତ ହୋଇଥାଏ ସାଂସ୍କୃତିକ ସନ୍ଧ୍ୟା । ବିଭିନ୍ନ ପ୍ରାନ୍ତରରୁ ଲୋକକଳା, ବଜାସାଲ, ଢ଼ାପ୍, ଘୁମୁରା ଆଦି ନୃତ୍ୟ ପରିବଷଣ ହୋଇଥାଏ । ସେ ଯାହା ହେଉନା କାହିଁକି କାହିଁ ଆବାହମାନ କାଳରୁ ଏହି ଦଶହରା ପାଳିତ ହେଉଥିବାବେଳେ ଏହି ଦଶହରା ଅଞ୍ଚଳ ପାଇଁ ଭାଇଚାରା ସୃଷ୍ଟି କରିଥାଏ ।