ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ମା’ଗଜଲକ୍ଷ୍ମୀ ପୂଜା, ଜାଣନ୍ତୁ ଏହାର ଇତିହାସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଏକ ଗଡ଼ଜାତ ଅଞ୍ଚଳ ଏଠି ରାଜା ମହାରାଜା ମାନେ ରାଜୁତି କରୁଥିଲେ । ରାଜରାଜୁଡ଼ା ସମୟରୁ ଏହି ଜିଲ୍ଲାରେ ଧନଦାତ୍ରୀ, ଐଶ୍ୱର୍ଯ୍ୟଦାୟୀନି ମା’ ଗଜଲକ୍ଷ୍ମୀଙ୍କର ପୂଜା ହୋଇଆସୁଛି । ଏହି ପୂଜା ଅତି ନିଷ୍ଠାର ସହିତ ଓ ପରମ୍ପରା ଅନୁଯାୟୀ ନୀତିକାନ୍ତିରେ ସମ୍ପନ୍ନ ହୋଇଥାଏ । ଏହି ପୂଜାକୁ ରାଜା, ପ୍ରଜା ଓ ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଭାଇଚାରାରେ ଆନନ୍ଦ ଉଲ୍ଲାସର ସହିତ ଆୟୋଜନ କରାଯାଇଥାଏ । ପାହାଡ଼ ପର୍ବତ ଘେରା ଐତିହ୍ୟ, ସଂସ୍କୃତି କରୁଥିବା ଏହି ଜିଲ୍ଲାର ଗାରିମାଙ୍କୁ ବଜାୟ ରଖିବାକୁ ଏବେ ରାଜୁଡ଼ା ଶାସନ ହୁଏତ ନାହିଁ କିନ୍ତୁ ଏବେବି ପୂଜାରେ ରାଜ ପରିବାରର ସଂପୃକ୍ତି ରହିଛି । ଜିଲ୍ଲା ପ୍ରଶାସନ, ପୋଲିସ୍ ପ୍ରଶାସନ, ମିଳିତ ପୂଜା କମିଟି ଏବଂ ୩୮ ଟି ପୂଜା ମଣ୍ଡର କର୍ମକର୍ତ୍ତା ମାନେ ଏକାଠି ହୋଇ ସଭା ସମିତି କରି ପୂଜାକୁ ଅଧିକରୁ ଅଧିକ ଆକର୍ଷଣୀୟ ଓ ଶାନ୍ତି , ଶୃଙ୍ଖଳା ସହ ପାଳନ କରିଥାନ୍ତି ।
ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ପ୍ରତିବର୍ଷ ପବିତ୍ର କୁମାର ପୂର୍ଣ୍ଣମୀ ତିଥିରେ ଆରମ୍ଭ ହୋଇଥାଏ । ପୂଜା ଆରମ୍ଭ ହେବା ପରେ ଚଳଚଞ୍ଚଳ ହୋଇଥାଏ ଢେଙ୍କାନାଳ ସହର । ମା’ଙ୍କର ମୃଣ୍ମୟୀ ମୂର୍ତ୍ତି ବିଭିନ୍ନ ପୂଜା ମଣ୍ଡପରେ ୧୧ ଦିନ ଧରି ପୂଜା ପାଇଥାନ୍ତି । ମା’ ଐଶ୍ୱର୍ଯ୍ୟମୟୀ , ଧନଦାତ୍ରୀ ଧରାପୃଷ୍ଠାକୁ ଧରାବତରଣ କରି ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ମା’ ଗଜଲକ୍ଷ୍ମୀଙ୍କର ପୂଜାକୁ ନେଇ ବିଭିନ୍ନ ଆଲୋକ ତୋରଣରେ ସଜେଇ ହୋଇ ସ୍ୱର୍ଗର ଇନ୍ଦ୍ରପୁରୀ ଭଳି ଭ୍ରମ ସୃଷ୍ଟି କରିଥାଏ । ଆଲୋକ ତୋରଣ ସାଙ୍ଗକୁ ସୁନ୍ଦର ସାଜ ସଜାରେ ଝଲସୁଛି ସାରା ସହର । ଚଳିତବର୍ଷ ମହାବୀର ବଜାର ପୂଜା କମିଟିର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ସମାରୋହ ବା ପ୍ଳାଟିନମ ଜୁବୁଲି ପାଳନ କରିଛି । ସେଥିପାଇଁ ମହାବୀର ବଜାର ଏଥର ପଞ୍ଜାବ ଅମୃତସରର ସ୍ଵର୍ଣ୍ଣ ମନ୍ଦିର ଡିଜାଇନରେ ସୁଉଚ୍ଚ ତୋରଣ ନିର୍ମାଣ କରିଛି । ମା’ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ରୁପା ଚାନ୍ଦି ମେଢ଼ ସୁନା ମୁକୁଟ , ସୁନା , ରୁପା ଗହଣାରେ ଆଭୂଷିତ ହୋଇ କମନୀୟ ରୁପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି ।ଚଳିତ ବର୍ଷ ୧୬ତାରିଖରୁ ପୂଜା ଆରମ୍ଭ ହୋଇ ୧୧ଦିନ ବ୍ୟାପି ଚାଲିବ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ସହରରେ ୩୮ ଗୋଟି ପୂଜା ମଣ୍ଡପରେ ମା’ଙ୍କୁ ଆରାଧନା କରାଯାଇ ପୂଜାର୍ଚ୍ଚନା କରାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।ଅନୁକୂଳ ପାଗ ଥିବାରୁ ୮ମ ଦିନ ପର୍ଯ୍ୟନ୍ତ ଲୋକ ମାନକର ଗହଳି ବଢ଼ିଚାଲିଥିଲା ।
ଇତିହାସ ପୃଷ୍ଠାରୁ ଜଣାଯାଏ ୧୯୨୩ ମସିହାରେ ପଞ୍ଜିଆ ସାହି ଏବେର ମହାବୀର ବଜାରରୁ ବ୍ରଜ କିଶୋର ପଟ୍ଟନାୟକ ତାଙ୍କର ବନ୍ଧୁ ଦେବର୍ତ୍ତା ସାହି ମୀନା ବଜାରର ଗତିକୃଷ୍ଣ ପଟ୍ଟନାୟକଙ୍କ ମିଶି ପ୍ରଥମେ ଲକ୍ଷ୍ମୀ ପୂଜା ଆରମ୍ଭ କରିଥିଲେ । ସେତେ ବେଳେ ମନୋରଞ୍ଜନ ପାଇଁ ରାସଦଳ , ସଂକିର୍ତ୍ତନ ମଣ୍ଡଳୀ, ପାଲା, ଦଣ୍ଡ ନୃତ୍ୟ, ଦାସ କାଠିଆ ଆଦି ନୃତ୍ୟ ପରିବେଷଣ କରେଇଥାନ୍ତି । ପରେ ଦ୍ଵିତୀୟ ପୂଜା ମଣ୍ଡପ ଭାବେ ୧୯୨୫ ମସିହାରେ ଦେବର୍ତ୍ତା ସାହି ବା ମୀନା ବଜାର ଠାରେ ଗତିକୃଷ୍ଣ ପଟ୍ଟନାୟକ ନିଜେ ଜଣେ ମୃର୍ତ୍ତି କାରିଗର ହୋଇଥିବାରୁ ନିଜ ହାତରେ ମା’ଙ୍କର ମୂର୍ତ୍ତି ପ୍ରସ୍ତୁତ କରି ଦ୍ୱିତୀୟ ଲକ୍ଷ୍ମୀ ପୂଜା ଆରମ୍ଭ କଲେ । ଏହି ୨ଟି ପୂଜା ମଣ୍ଡପରେ ପୂଜା କିଛି ବର୍ଷ କରିବା ପରେ ପ୍ରଜା ମଣ୍ଡଳ ଆନ୍ଦୋଳନ ଯୋଗୁ ପରବର୍ତ୍ତି ସମୟରେ ମା’ଙ୍କର ପୂଜା ବନ୍ଦ ହୋଇଗଲା ।
ପରେ ୧୯୪୧ ମସିହାରୁ ପୁଣି ମୀନା ବଜାର ଠାରେ ନଟବର ଦେବତ୍ତା ଜଣେ ବ୍ୟବସାୟୀ ବ୍ୟକ୍ତିଗତ ଭାବେ ୧୯୪୧ , ୧୯୪୨ ଦୁଇର୍ଷ ପୂଜା କରିବା ପରେ ୧୯୪୩ ରୁ ମୀନା ବଜାର ସାର୍ବଜନୀନ ପୂଜା ହୋଇ ସେତେବେଳର ରାଜା ଉପାଧି ଦେଇଥିଲେ । ଯାହା ଏବେ ଶ୍ରୀ ଶ୍ରୀ ମଉଡ଼ମଣୀ ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ ଭାବେ ୧ନଂ ପୂଜା ପ୍ରତିଷ୍ଠାନ ଭାବେ ପ୍ରତିଷ୍ଠା ଲାଭ କରି ଏହି ପୂଜା ୮୧ ବର୍ଷରେ ପଦାର୍ପଣ କରି ପ୍ରତ୍ୟେକ ବର୍ଷ ମା’ ଅନ୍ନଦାତ୍ରୀଙ୍କୁ ପରମ୍ପରା ଓ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରି ଆସୁଛନ୍ତି । ପରବର୍ତ୍ତି ସମୟରେ ବିଭିନ୍ନ ସାହି, ବଜାର ପକ୍ଷରୁ ମା’ଙ୍କ ପୂଜା କରାଗଲା । ଆଜି ବି ସେହି ପରମ୍ପରା ଅନୁଯାୟୀ ମା’ ବିମାନ ଯୋଗେ ପୂଜା ମଣ୍ଡପ ଯାଉନଥିଲେ ମଧ୍ୟ ସମସ୍ତ ମେଢ଼ ଭାଷାଣୀ ଉତ୍ସବ ଦିନ ରାଜ ବାଟି ଦେଇ ଯିବାର ପରମ୍ପରା ରହିଆସିଛି ।
ଚଳିତ ବର୍ଷ ଏହି ମେଳାକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର , ସାଂସଦ ରୁଦ୍ର ନାରାୟଣ ପଣୀ , ଜିଲ୍ଲା ପାଳ ଉଦଘାଟନ କରିଥିଲେ । ଏହି ଲକ୍ଷ୍ମୀ ପୂଜାରେ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ , ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା , କ୍ରିଡ଼ା ଓ ଓଡିଶା ଭାଷା ସାହିତ୍ୟ ସଂକୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଭିନ୍ନ ପୂଜା ମଣ୍ଡପ ବୁଲି ମା’ଙ୍କୁ ଦର୍ଶନ ଓ ଆଳତୀ କରିବା ପ୍ଳାଟିମନ ଜୁବୁଲି ଉତ୍ସବରେ ଯୋଗଦାନ କରି ଥିଲେ ମା’ଙ୍କୁ ଦର୍ଶନ ଓ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ବୁଲି ସୁନ୍ଦର ସାଜସଜା ଓ ଆଲୋକ ତୋରଣ ଦେଖି ବିମୋହିତ ହୋଇ ଥିବା ପ୍ରକାଶ କରିଥିଲେ ।
ଢେଙ୍କାନାଳ ଲକ୍ଷ୍ମୀ ପୂଜା ରାଜ୍ୟ ଓ ରାଜ୍ୟ ବାହାରେ ସୁନାମ ଅର୍ଜନ କରିପାରିଛି । ମା’ଙ୍କୁ ଲକ୍ଷ , ଲକ୍ଷ ଶ୍ରଦ୍ଧାଳୁ ଭକ୍ତ ଦର୍ଶନ କରି କୃତାର୍ଥ ହେବା ସହ ମାଙ୍କର ସାନିଧ୍ୟ ଲାଉ କରିଥାନ୍ତି । ସହରର ସମସ୍ତ ଘରେ, ଘରେ, ବନ୍ଧୁ ବାନ୍ଧବ ମାନେ ଆସି ପହଞ୍ଚିଥାନ୍ତି । ଆନନ୍ଦ ସହ ପିଠା, ମିଠା ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଏକାଠି ଖାଇ ଆନନ୍ଦିତ ହୋଇଥାନ୍ତି । ପରିବାର ଓ ବନ୍ଧୁବାନ୍ଧବ ସହ ପୂଜା ମଣ୍ଡପ ବୁଲି ମା’ଙ୍କୁ ଦର୍ଶନ କରିବା ସହ ସୁନ୍ଦର ସୁନ୍ଦର ଆଲୋକ, ସୁଉଚ୍ଚ ତୋରଣ ଦେଖି ଖୁସି ହେବା ସହ ଯାତ୍ରାରେ ବିଭିନ୍ନ ଦୋଳିର ମଜା ଉଠାଇ ଥାନ୍ତି । ଏଠାରେ ପଡୁଥିବା ମେଳାରେ ରାଜ୍ୟ ରାଜ୍ୟ ବାହାରର ଷ୍ଟଲ ପଡିବା ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପ୍ରସିଦ୍ଧି ଲାଭ କରିଥିବା ଜିନିଷ ଲାଗିଥାଏ । ନିଜ ନିଜ ମନ ପସନ୍ଦର ଜିନିଷ କ୍ରୟ କରିବା ସହ ପରିବାର ବନ୍ଧୁ ବାନ୍ଧବଙ୍କ ସହ ମିଶି ଖାଦ୍ୟ ମେଳାରୁ ଖାଦ୍ୟ ଖାଇ ମଜା ଉଠାଇଥାନ୍ତି ।