ବାରିପଦା: ଚାଲିଛି ବାରିପଦାର ପ୍ରସିଦ୍ଧ ଜଗଧାତ୍ରୀ ମେଳା । ଉତ୍ସବମୁଖର ହୋଇ ଉଠିଛି ବାରିପଦା ସହର । ଆକର୍ଷଣୀୟ ତୋରଣ ସାଙ୍ଗକୁ ମେଳାରେ ଖୋଲାଯାଇଥିବା ୩୫୦ ରୁ ଅଧିକ ଷ୍ଟଲ ହଜାର ହଜାର ଲୋକଙ୍କୁ ପ୍ରତିଦିନ ଆକୃଷ୍ଟ କରିପାରିଛି ।
ପୁରୀ ପରେ ଦ୍ଵିତୀୟ ଶ୍ରୀକ୍ଷେତ୍ର ଭାବେ ବାରିପଦା ବିଶ୍ଵ ଦରବାରରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । କେବଳ ରଥଯାତ୍ରା ନୁହେଁ ଗତ ଦୁଇ ଦଶନ୍ଧି ଧରି ବିନା ସରକାରୀ ପ୍ରୋତ୍ସାହନରେ ଆୟୋଜିତ ହେଉଥିବା ଜଗଧାତ୍ରୀ ମେଳା ବାଲିଯାତ୍ରାର ସମକକ୍ଷ ହୋଇପାରିଛି ।
୧୯୫୩ ମସିହାରୁ ଜଗତଜନନୀ ମା’ ଜଗଧାତ୍ରୀଙ୍କ ପୂଜା ଆରମ୍ଭ ହୋଇ କ୍ରମଶଃ ଏକ ବୃହତ ମେଳାର ରୂପ ନେଇଥିବା ବାରିପଦା ସହର ଭଞ୍ଜପୁର ସ୍ଥିତ ଜଗଧାତ୍ରୀ ମେଳା ଏବେ ବିଶ୍ଵ ପ୍ରସିଦ୍ଧ ଐତିହାସୀକ ବାଲିଯାତ୍ରାର ସମକକ୍ଷ ହୋଇପାରିଛି । ଗତ ୧୩ ତାରିଖରୁ ଆରମ୍ଭ ହୋଇଛି ଜଗତଜନୀ ମା’ ଜଗଧାତ୍ରୀଙ୍କ ପୂଜା ସହ ଜଗଧାତ୍ରୀ ମେଳା । ଚଳିତ ବର୍ଷ ନେପାଳର ଜାନକୀ ମନ୍ଦିର ସଦୃଶ୍ୟ ସୁସଜ୍ଜିତ ତରୋଣ ଲୋକଙ୍କୁ ଆଧିକ ଆକୃଷ୍ଟ କରିଛି । ଦ୍ଵିପହରରୁ ଆରମ୍ଭ କରି ମଧ୍ୟ ରାତ୍ର ପର୍ଯ୍ୟନ୍ତ ମେଳାର ମଜା ଉଠାଉଛନ୍ତି ଲୋକେ । ଯାହକି କେବଳ ମୟୁରଭଞ୍ଜ ନୁହେଁ ପୋଡଶୀ ରାଜ୍ୟ ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ ସହିତ ବିଦେଶୀ ମାନଙ୍କୁ ମଧ୍ୟ ମେଳାକୁ ଆକୃଷ୍ଟ କରିଥାଏ ।
ହସ୍ତଶିଳ୍ପରୁ ଆରମ୍ଭ କରି କୂଟୀର ଶିଳ୍ପ, ଖେଳନାରୁ ଆରମ୍ଭ କରି ପୋଷାକ ଆଉ ତା ସହିତ ଘରକରଣା ଜିନଷର ପସରା ମେଲିଛି ଏଠି ଏବଂ ବିଭିନ୍ନ ରକମର ଦୋଳି କୁନିକୁନି ପିଲାଙ୍କୁ ଟାଣି ଆଣିଥିଲା ମେଳାକୁ । ସଂସ୍କୃତିର ସହର ବାରିପଦାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅବା ବାଦ ପଡିଥାନ୍ତା କିପରି । ଝୁମର ଆଦିବାସୀ ଲୋକକଳା, ପାଲା ସାଙ୍ଗକୁ ସ୍ଥାନୀୟ କଳାକାରଙ୍କ କଳା ପ୍ରଦର୍ଶନ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରତ୍ୟକ ହଜାର ହଜାର ଲୋକଙ୍କୁ ଆକର୍ଶିତ କରିଛି ଏହି ଜଗଧତ୍ରୀ ମେଳା ।
ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ବ୍ୟବସାୟୀ ମାନେ ମଧ୍ୟ ବେଶ ଉତ୍ସାହିତ ଅଛନ୍ତି । ବ୍ୟବସାୟ ପୂର୍ବ ବର୍ଷ ଭଳି ହେଉଥିବା କହିଛନ୍ତି ବ୍ୟବସାୟୀ । ଅନ୍ୟପଟେ ଆୟୋଜକ ମାନେ ମଧ୍ୟ ବିନା ସରକାରୀ ପ୍ରତ୍ସାହନରେ ଏଭଳି ମେଳା ଆୟୋଜନ କରି ମୟୁରଭଞ୍ଜ ଜିଲ୍ଲାକୁ ସ୍ଵତନ୍ତ୍ର ପରିଚୟ ଦେଇଥିବାରୁ ବେସ ଗର୍ବିତ । ଲୋକକଳା, ସଂସ୍କୃତି ଏବଂ ବାଣିଜ୍ୟର ତ୍ରିବେଣୀ ସଂଗମ ବାରିପଦା ସହରରେ ଆୟୋଜିତ ହେଉଥିବା ଜଗଧାତ୍ରୀ ମେଳା ଗତ ଦୁଇ ଦଶନ୍ଧି ଧରି ମନରୋଞ୍ଜନର ଖୋରାକ ଯୋଗାଇ ଆସୁଛି ।