ଭକ୍ତଙ୍କୁ କନ୍ଦାଇଲେ ମା’ ଠାକୁରାଣୀ

ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଶେଷ ଦିନରେ ଶାଶୂଘର ଫେରିଲେ ମା', ବିଦାୟ ବେଳେ କାନ୍ଦିଲେ ଭକ୍ତ

କାନ୍ଦିଲେ ଦେବୀ ମା’ , କାନ୍ଦିଲେ ଶ୍ରଦ୍ଧାଳୁ । ବିଦାୟ ବେଳରେ କେହି କାହାକୁ ଦୂରେଇବାକୁ ଚାହୁଁ ନଥିଲେ । ୨୧ ଦିନର ଯାତ୍ରା ସାରି ବାପଘରୁ ନିଜ ଆସ୍ଥାନ କୁ ଫେରିଯାଉଥିଲେ ମା ‘ । ଆଗେ ଆଗେ ମା’ଙ୍କ ଘଟ ଧରି ଯାଉଥିବା ମାନସିକଧାରୀ କାନ୍ଦୁଥିବା ବେଳେ ମା’ ଙ୍କୁ ବିଦାୟ ଦେଉଥିବା ଶ୍ରଦ୍ଧାଳୁ ମାନେ ମଧ୍ୟ ନିଜ କୋହ ସମ୍ଭାଳି ନପାରି ଲୁହ ଗଡାଉଥିଲେ । ଏଭଳି ଏକ ହୃଦୟ ବିଦାରକ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା ଗଂଜାମ ଜିଲ୍ଲା ଭଂଜନଗର ଐତିହାସିକ ଠାକୁରାଣୀ ଯାତ୍ରାର ଶେଷ ଦିନରେ । ମା’ ଙ୍କ ବିଦାୟ ବେଳର ବିରଳ ଦୃଶ୍ୟ । ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଭାବମୟ ଏବଂ ଭକ୍ତିମୟ ପରିବେଶ । ଗଂଜାମ ଜିଲ୍ଲା ଭଂଜନଗର ଠାକୁରାଣୀ ଯାତ୍ରାର ଶେଷ ଦିନରେ ଦେଖିବାକୁ ମିଳିଥିଲା ଏଭଳି କିଛି ଅଲୌକିକ ଘଟଣା । ଯାହା ଶକ୍ତି ଆରାଧନାର ନିଆରା ଉଦାହରଣ ପାଲଟିଛି ।

ଗତ ମେ ୩ ତାରିଖରୁ ଆରମ୍ଭ ହୋଇଥିଲା ଭଂଜନଗର ଠାକୁରାଣୀ ଯାତ୍ରା । ଭଂଜନଗରର ଅଧିଷ୍ଠାତ୍ରୀ ଦେବୀ ମା’ ଠାକୁରାଣୀ ଏବଂ ଭଂଜପୀଠ କୁଲାଡ଼ ର ଅଧିଷ୍ଠାତ୍ରୀ ଦେବୀ ମା’ ବାଗଦେବୀ ଙ୍କୁ ନିମନ୍ତ୍ରଣ କରି , ଅସ୍ଥାୟୀ ପୀଠରେ ବିଜେ କରାଯାଇଥିଲା । ବିଶ୍ରାମ ଦିନ ବ୍ୟତୀତ ଘଣ୍ଟ ,ମୃଦଙ୍ଗ, ବାଜା ,ବାଣ, ପଟୁଆରରେ ସାହିକୁ ସାହି ପରିକ୍ରମା କରି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେଇଥିଲେ ମା’ ।

ଯାତ୍ରାର ଉଦଯାପନୀ ସନ୍ଧ୍ୟାରେ ବିଶେଷତ୍ଵ ଥିଲା “ଭେଟଯାତ୍ରା” । ପ୍ରଥମ ଥର ପାଇଁ ମା’ ଠାକୁରାଣୀ ଏବଂ ମା’ବାଗଦେବୀ ଙ୍କ ମଧ୍ୟରେ ଭେଟ ଏବଂ ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ । ଉଭୟ ମା’ଙ୍କୁ ଯାତ୍ରା କୁ ଆମନ୍ତ୍ରଣ ପରେ , ଗୋଟିଏ ସ୍ଥାନରେ ଏବଂ ଅଲଗା ଅଲଗା ଅସ୍ଥାୟୀ ପୀଠରେ ବିଜେ ହୋଇଥିଲେ । ନଗର ଭ୍ରମଣ ଯାତ୍ରା ବି କରିଥିଲେ । କିନ୍ତୁ କେହି କାହାରିକୁ ମୁହାଁ ମୁହିଁ ଭେଟ ହୋଇନଥିଲେ । ସହର ଶେଷ ଭାଗରେ ଥିବା ଭେଟ ପଡ଼ିଆରେ , ମା’ ଠାକୁରାଣୀ ଏବଂ ମା’ ବାଗଦେବୀ ଙ୍କ “ଭେଟଯାତ୍ରା” ହେବାପରେ , ଶୋକାକୁଳ ପରିବେଶ ଭିତରେ ବିଦାୟ ନେଇଥିଲେ ମା’ ଓ ଶ୍ରଦ୍ଧାଳୁ । ଯାହା ଓଡ଼ିଶାର ଅନ୍ୟ ଠାକୁରାଣୀ ଯାତ୍ରା ଠାରୁ ସମ୍ପୂର୍ଣ୍ଣ ନିଆରା ଏବଂ ଭାବମୟ । ଏବେ ଅପେକ୍ଷା ପୁଣି ତିନିବର୍ଷକୁ ।ବ୍ରିଟିଶ ଶାସନ ସମୟରୁ ଆରମ୍ଭ ହୋଇ ଆସୁଛି ତତ୍କାଳୀନ ଘୁମୁସର କୁହାଯାଉଥିବା ଆଜିର ଏହି ଭଂଜନଗର ର ଠାକୁରାଣୀ ଯାତ୍ରା । କୁହାଯାଏ , ଘୁମୁସର ର ଐତିହ୍ୟ , ସ୍ବାଭିମାନ, ବୀରତ୍ବ , ଭକ୍ତି ଓ ବିଶ୍ବାସର ପ୍ରତୀକ ସ୍ଵରୂପ ରହିଆସିଛି , ଏହି ଠାକୁରାଣୀ ଯାତ୍ରା । ଯାହା ଆଜି ପର୍ଯ୍ୟନ୍ତ ପ୍ରତି ତିନି ବର୍ଷରେ ଥରେ , ପାରମ୍ପରିକ ନୀତିରେ ପାଳିତ ହୋଇ ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.