ସ୍ତମ୍ବ ପୂଜାର ପ୍ରତୀକ, ଘୁମୁସରର ପାରମ୍ପରିକ କୃଷିଭିତ୍ତିକ ପର୍ବ “ନଳ ବାଉଁଶ ଯାତ୍ରା”

ଭଞ୍ଜନଗର: ସ୍ତମ୍ବ ପୂଜାର ପ୍ରତୀକ, ଘୁମୁସରର ପାରମ୍ପରିକ କୃଷିଭିତ୍ତିକ ପର୍ବ, “ନଳ ବାଉଁଶ ଯାତ୍ରା” । କେଉଁ ଆବାହମାନ କାଳରୁ ପାଳନ କରାଯାଉଥିବା ଏହି ସାମୁହିକ ପର୍ବ ଦେଖିବାକୁ ମିଳୁଛି, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ପାଲକଷଣ୍ଢା ଗାଁରେ । କିଭଳି ଓ କାହିଁକି ପାଳନ କରାଯାଏ, ଏହି ପର୍ବ ଆସନ୍ତୁ ଜାଣିବା।
ଏଠି “ବାଉଁଶ” ପାଲଟି ଯାଇଛି, ଠାକୁରାଣୀ । ତିନିଜଣ ଭକ୍ତଙ୍କ ଅଣ୍ଟାରେ, ନଳ ବାଉଁଶ । ଚାଙ୍ଗୁବାଦ୍ୟର ତାଳେ ତାଳେ ଚାଲିଛି, ଗାଁ ପରିକ୍ରମା । ପୂଜା ପାଉଛନ୍ତି, ଭକ୍ତଙ୍କ ଦୁଆରେ । ବିଶ୍ୱାସ ରହିଛି, ଠାକୁରାଣୀଙ୍କ ପ୍ରତୀକ “ବାଉଁଶ” କୁ ପୂଜାକଲେ, ଫସଲରେ ରୋଗ-ପୋକ ଲାଗିବ ନାହିଁ । ଭଲ ବର୍ଷା ହେବ ଏବଂ ପ୍ରଚୁର ଫସଲ ଅମଳ ହେବ । ଏହାସହ ଗୃହ ପାଳିତ ପଶୁ ମାନେ ନିରୋଗ ରହିବେ । ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ଗ୍ରାମବାସୀ, ଅଞ୍ଚଳବାସୀ ଏବଂ ବିଶ୍ୱ ବାସୀଙ୍କ ମଙ୍ଗଳ ହେବ ବୋଲି, ବିଶ୍ୱାସ ରହିଛି । ଏହି ଲକ୍ଷ୍ୟ ନେଇ, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମବାସୀ ପାଳନ କରି ଆସୁଛନ୍ତି “ନଳ ବାଉଁଶ” ଯାତ୍ରା ।
ଗାଁ କାର୍ଜୀ, କରଣ , ନାଇକ, ପାଇକ ଓ ସେବାୟତଙ୍କ ମିଳିତ ସହଯୋଗରେ ଆୟୋଜିତ ଏହି ପର୍ବକୁ, ପୀଢ଼ି ପରେ ପୀଢ଼ି ପାଳନ କରି ଆସୁଛନ୍ତି । ପ୍ରତ୍ୟେକ ବର୍ଷ ଭାଦ୍ରବ ମାସରେ ଜନ୍ମାଷ୍ଟମୀ ପରେ ପରେ, ସୋମବାର ଦିନ ଆୟୋଜିତ ହୁଏ ନଳ ବାଉଁଶ ଯାତ୍ରା । ଗାଁରେ ଥିବା, କରଣ ପରିବାରର ଘର ଆଗରେ ପୂଜାର୍ଚ୍ଚନା ସରିବା ପରେ, ବାଉଁଶ ଠାକୁରାଣୀଙ୍କୁ ଗାଁ ପରିକ୍ରମା କରାଯାଏ । ଗାଁର ସମସ୍ତ ଜନସାଧାରଣ ଏବଂ ପାଖ-ପଡୋଶୀ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏକାଠି ହୁଅନ୍ତି ।
ନଳ ବାଉଁଶ ଯାତ୍ରା ପାଳନ ଏବଂ ଆୟୋଜନ ପଛରେ ଯାହାବି ପରମ୍ପରା ଥାଉନା କାହିଁକି, ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ଗାଁରେ ଭାଇଚାରା ବଜାୟ ରହିବା । ଯାହାର ଉଦାହରଣ ହେଉଛି, ପାଲକଷଣ୍ଢା ଗାଁର ଏହି “ବାଉଁଶ” ଯାତ୍ରା । ଶକ୍ତି ଉପାସନାର ପ୍ରତୀକ ସ୍ଵରୂପ ଏହି ନଳ ବାଉଁଶ ଯାତ୍ରା, ଏକ ଅନନ୍ୟ ପର୍ବ । ଯାହା ପ୍ରକୃତି ଓ ପରିବେଶକୁ ପୂଜା କରିବାର, ନୂଆଁ ପରମ୍ପରା ସୃଷ୍ଟି କରିଛି ।