ରଘୁନାଥଙ୍କ ଯାତ୍ରାରେ ଲାଗି ହୁଏ ଅଲଣା ଜାଉକୁ ଚୁଡ଼ା ଘଷା ଭୋଗ, ବିଶ୍ୱାସ ରହିଛି ନିଃସନ୍ତାନ ମହିଳାଙ୍କ ହୁଏ ସନ୍ତାନ ପ୍ରାପ୍ତି

ପିପିଲି: ପ୍ରତି ବର୍ଷ ପୁରୀ ଜିଲ୍ଲା ପିପିଲି ସ୍ଥିତ ତେଇଶପୁର ଗାଁରେ ଆୟୋଜିତ ହୋଇଥାଏ ଠାକୁର ରଘୁନାଥଙ୍କ ଯାତ୍ରା । ପୌଷ ମାସରୁ ଏକ ମାସ ଧରି ପାଳିତ ହୋଇଥାଏ ଏହି ପର୍ବ । ମକର ସଂକ୍ରାନ୍ତି ପରେ ଉଦଯାପିତ ହୋଇଥାଏ । ଏଠାରେ ଠାକୁରଙ୍କ ନିକଟରେ ଲାଗି ହୋଇଥାଏ ଅଲଣାଜାଉ ଓ ଚୁଡ଼ା ଘଷା ଭଳି ବିଭିନ୍ନ ପ୍ରକାରର ଭୋଗ । ଏହି ସମୟରେ ନିଃସନ୍ତାନ ମହିଳାମାନେ ପାଣିରେ ବୁଡ଼ି ଗୁଆ ନଡ଼ିଆ ପାଇଲେ ସନ୍ତାନ ପ୍ରାପ୍ତି ହେଉଥିବା ଲୋକ ବିଶ୍ୱାସ ରହିଛି । ଏହି ଅବସରରେ ଅତି ଶ୍ରଦ୍ଧାରେ ଭକ୍ତ ଠାକୁରଙ୍କ ପାଖରେ ବାଢି ଦେଇଥିଲେ ନୈବେଦ୍ୟ ।
ବିଶେଷ କିଛିର ଆୟୋଜନ ନାହିଁ କି ଆବଶ୍ୟକତା ବି ନାହାଁ । ଅନ୍ତରର ଶ୍ରଦ୍ଧା ଓ ଭକ୍ତିରେ ଚାଉଳ, ନଡ଼ିଆ ଓ ଗୁଡ଼ରେ ପ୍ରସ୍ତୁତ ଏଇ ଅଲଣା ଜାଉ ବି ଭଗବାନଙ୍କ ପାଖରେ ପାଲଟି ଯାଇଛି ମହାର୍ଘ୍ୟ । ପ୍ରତି ବର୍ଷ ଚୈତ୍ର ମାସଠାରୁ ଏକ ମାସ ଧରି ତେଇଶପୁର ଠାରେ ଆୟୋଜିତ ହୋଇଥାଏ ଏହି ଯାତ୍ରା । ଉଦଯାପନ ଦିନ ଠାକୁରଙ୍କ ନିକଟରେ ଲାଗି ହୋଇଥାଏ ଏହି ଅଲଣା ଜାଉ ଭୋଗ ।
ଧନୁ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇ ମାସାଧିକ ଯାଏ ପାଳିତ ହେଉଥିବା ଏହି ଯାତ୍ରା ସମୟରେ ମାନସିକଧାରୀମାନେ ମାସେ କାଳ ଠାକୁର ରଘୁନାଥଙ୍କ ପାଇଁ ବ୍ରତ ରଖିଥାନ୍ତି ଓ ଶେଷଦିନ ଉଦଯାପନ କରିଥାନ୍ତି । ଗାଁ ଦାଣ୍ଡରେ ଥିବା ଚଉରା ମୂଳରେ ଚାରି ଗୋଟି ମାଟି ପିଣ୍ଡୁଳାକୁ ରଖି ତା’ ଉପରେ ଚାରି ଗୋଟି କାଠିକୁ ପୋତି ଚାନ୍ଦୁଆ ଟଣାଯିବା ପରେ ମଝିରେ ଠାକୁର ରଘୁନାଥଙ୍କ ପ୍ରତୀକ ଭାବରେ କଦଳୀ ଗଛକୁ ରଖି ତା ସହିତ ବେତ ବନ୍ଧା ଯାଇଥାଏ ।
ତାଆଗରେ ମାନସିକଧାରୀମାନେ ଗୁଆ ରଖି ମାସାଧିକ କାଳ ପୂଜାର୍ଚ୍ଚନା କରିଥାନ୍ତି । ଏହା କରିବା ଦ୍ୱାରା ସେମାନଙ୍କ ମାନସିକ ପୂରଣ ହୋଇଥାଏ ବୋଲି ସେମାନଙ୍କ ବିଶ୍ୱାସ ରହିଛି । ସେହି ବିଶ୍ୱାସ ଆଧାରରେ ଏହି ପୂଜାକୁ କରିଥାନ୍ତି । ଯୁଗ ଯୁଗ ଧରି ବିଶ୍ୱାସ ଶ୍ରଦ୍ଧା ଓ ଭକ୍ତିରେ ତେଇଶପୁର ଠାରେ ପାଳିତ ହୋଇ ଆସୁଛି ଏହି ରଘୁନାଥଙ୍କ ଯାତ୍ରା ।