ବାର ମଧ୍ୟରେ ଶ୍ରେଷ୍ଠ ବାର ହେଉଛି ସୋମବାର । କାରଣ ଏହା ହେଉଛି ପ୍ରଭୁ ଶିବଙ୍କ ବାର । ସମସ୍ତ ପ୍ରକାର ବ୍ୟାଧିର ନାଶକ ହେଉଛନ୍ତି ମହାଦେବ ଶିବ । ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ତେଣୁ ଆଜି ମଧ୍ୟ ରାଜ୍ୟର ଅନେକ ଶୈବ ପୀଠ ଲୋକାରଣ୍ୟ ହୋଇପଡିଛି । ଅନୁଗୋଳ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆଠମଲ୍ଲିକର ସି୍ଧେଶ୍ୱର ପୀଠରେ ହଜାର ହଜାର ବୋଲବମ ଭକ୍ତ ମହାଦେବଙ୍କୁ କରୁଛନ୍ତି ଜଲଲାଗି । ଆରମ୍ଭ ହୋଇଯାଇଛି ଶ୍ରାବଣ ମାସ । ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି ।
ଏହା ବର୍ଷର ସବୁଠାରୁ ପବିତ୍ର ମାସ ଭାବରେ ବିବେଚନା କରାଯାଏ । ପ୍ରଭୁ ଶିବ ଭୋଳାନାଥଙ୍କର ଏହି ମାସ ହେଉଛି ଅତି ପ୍ରିୟ । ପୌରାଣିକ ମାନ୍ୟତା ଅନୁଯାୟୀ, ଶ୍ରାବଣ ମାସରେ ମାତା ପାର୍ବତୀ ସୋମବାର ଦିନ ପ୍ରଭୁ ଶଙ୍କରଙ୍କୁ ସ୍ୱାମୀ ରୂପେ ପାଇବା ପାଇଁ ଉପବାସ କରିଥିଲେ ଏବଂ ଏହି ମାସରେ କଠୋର ତପସ୍ୟା ମଧ୍ୟ କରିଥିଲେ । ଏହି ତପସ୍ୟା ହେତୁ ଭଗବାନ ଶିବ ମାତା ପାର୍ବତୀଙ୍କୁ ତାଙ୍କର ଅର୍ଦ୍ଧାଙ୍ଗିନୀ ଭାବରେ ଗ୍ରହଣ କରିଥିଲେ । ଏହି କାରଣରୁ ଭଗବାନ ଶିବଙ୍କ ପାଇଁ ଏହି ମାସ ଅତ୍ୟନ୍ତ ପ୍ରିୟ ଅଟେ ।
ସେହିଭଳି ବିଶ୍ୱାସ ରହିଛି ଏହି ଶ୍ରାବଣ ମାସରେ ପ୍ରଭୁ ଶିବଙ୍କ ମସ୍ତକରେ ଜଳାଭିଷେକ କଲେ ଭକ୍ତଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ପୁଣି କେବଳ ଏହି ଶ୍ରାବଣ ମାସରେ ହିଁ ପ୍ରଭୁ ଭୋଳାନାଥଙ୍କ ଉପରେ ପ୍ରତ୍ୟକ୍ଷ ଭାବରେ ପାଣି ଢାଳି ପାରନ୍ତି ତାଙ୍କ ଭକ୍ତ । ତେଣୁ ଭକ୍ତମାନେ ଘଣ୍ଟା ଘଣ୍ଟା ଅପେକ୍ଷା କରି ବ୍ୟାରିକେଡ଼ରେ ଆସି ଲାଇନରେ ଛିଡା ହୋଇ ଜଳଲାଗି କରିଛନ୍ତି । ମନ୍ଦିର ପ୍ରଶାସନ ତରଫରୁ ଭକ୍ତଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ‘ବୋଲବମ ହର ହର ବମ, ଭୋଳା ବାବା ପାର କରେଗା’ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ସାରା ମନ୍ଦିର ପରିବେଶ ।
ତେବେ ଏହି ଜଳାଭିଷେକ ନେଇ ରବିବାର ଠାରୁ ପୀଠରେ ଲାଗିଥିଲା ବୋଲବମ ଭକ୍ତଙ୍କ ଭିଡ । ଭକ୍ତମାନେ କାନ୍ଧରେ ଜଳଭାର ନେଇ ଚାଲି ଚାଲି ପୀଠକୁ ପ୍ରବେଶ କରିଥିଲେ । କାଉଡ଼ିଆମାନେ ପ୍ରଭୁଙ୍କ ନିକଟରେ ଜଳାଭିଷେକ କରିବା ପାଇଁ ଲମ୍ବା ଲାଇନରେ ଛିଡା ହୋଇଥିଲେ । ରାତି ପ୍ରାୟ ୨ ଟାରୁ ମନ୍ଦିର ଖୋଲିବା ପରେ ଭକ୍ତ ମାନେ ଆଠମଲ୍ଲିକର ଦେଉଳଝରିର ପ୍ରଭୁ ସିଧେଶ୍ୱର ବାବାଙ୍କ ଦର୍ଶନ କରିବା ସହ ଜଳାଭିଷେକ କରିଛନ୍ତି । ବାବା ସି୍ଧେଶ୍ୱରଙ୍କ ରହିଛି ଅନେକ ମହିମା । ଦେଉଳଝରିର ଏହି ଶୈବ ପୀଠରେ ରହିଛି ଉଷ୍ମ ପ୍ରଶ୍ରବଣ ଯାହାକି କୁହାଯାଏ ଏହି ପାଣିରେ ଗାଧୋଇଲେ ସମସ୍ତ ପାପ ଧୋଇ ହୋଇଯାଇଥାଏ ।