ଆରଡ଼ି ବାବା ଆଖଣ୍ଡଳମଣିଙ୍କ ପୀଠରେ ଗୀତା ମହାଯଜ୍ଞ ଆରମ୍ଭ

ଚାନ୍ଦବାଲି : ଓଡ଼ିଶା ବିବିଧ ପରମ୍ପରାର ରାଜ୍ୟ । ଯେଉଁଠି ପାଳିତ ହୁଏ ବାର ମାସରେ ତେର ପର୍ବ । କେବଳ ହିନ୍ଦୁ କାହିଁକି ଏଠାରେ ମୁସଲମାନ ତଥା ଖ୍ରୀଷ୍ଟିୟାନ ଧର୍ମର ପର୍ବକୁ ମଧ୍ୟ ବଡ଼ ଆନନ୍ଦ ଉଲ୍ଲାସରେ ପାଳନ କରାଯାଏ । ତେବେ ହିନ୍ଦୁ ଧର୍ମରେ ତ ଅନେକ ଦେବଦେବୀ, ଆଉ ତା ସହ ଯୋଡ଼ି ହୋଇ ରହିଛି ବିଭିନ୍ନ ପର୍ବ ପର୍ବାଣି । ତେବେ ବର୍ତ୍ତମାନ ସମାଜରେ ବୁଡି ଯାଉଥିବା ଶ୍ରୀ ମଦ୍ ଭାଗବତ, ଶ୍ରୀ ମଦ୍ ଗୀତା , ଶ୍ରୀ ରାମଚରିତ ମାନସ , ମହାଭାରତ ଭଳି ଅନେକ ଗ୍ରନ୍ଥର କଥାମୃତକୁ ବଞ୍ଚାଇ ରଖିବା ପାଇଁ ସାଧୁ ସନ୍ଥ ମାନେ ଅନେକ ପ୍ରୟାସ ଆରମ୍ଭ କରିଛନ୍ତି ।

ତେବେ ପ୍ରତ୍ୟେକ ଗାଁର ଶେଷ ମୁଣ୍ଡରେ ତ ଭାଗବତ ଟୁଙ୍ଗୀ ରହିଥାଏ । ଯେଉଁଠିକି ପ୍ରତି ସନ୍ଧ୍ୟାରେ ଭାଗବତ ପାଠ କରାଯାଏ । ଏହାକୁ ଶୁଣିବା ପାଇଁ ଗାଁର ପ୍ରତ୍ୟେକ ଲୋକ ଯାଇଥାନ୍ତି । ତେବେ ଏସବୁ ସହରାଞ୍ଚଳରେ ଦେଖିବାକୁ ମିଳେ ନାହିଁ । ଯେହେତୁ ଅଧିକାଂଶ ଲୋକ ଏବେ ସହରରେ ରହୁଛନ୍ତି ତେଣୁ ଲୋକମାନେ ଭାଗବତ ମହାପୁରାଣ ପ୍ରତି ବିମୁଖ ହେଉଛନ୍ତି । ଏହି ପୁଣ୍ୟ ଗ୍ରନ୍ଥର ପ୍ରଚାର ପ୍ରସାର ପାଇଁ ପ୍ରୟାସ ଜାରି ରହିଥିବାବେଳେ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ପୀଠରେ ଗୀତା ଜୟନ୍ତୀ ଅବସରରେ ସପ୍ତଦିନ ବ୍ୟାପି ଶ୍ରୀମଦ ଭାଗବତ ଗୀତା ମହାଯଜ୍ଞ ଗତକାଲି ଠାରୁ ଆରମ୍ଭ ହୋଇଛି ।

ଏହି ଅବସରରେ ମହାଯଜ୍ଞରେ ସାମିଲ ଥିବା ଛଅ ଜଣ ସେବାୟତ ରୀତିନୀତି ଅନୁସାରେ ପୀଠରେ ଥିବା ଶିବ ଗଙ୍ଗା ପୁଷ୍କରିଣୀରେ କଳସ ପୂଜା କରି ଘଟ ସ୍ଥାପନ କରିଥିଲେ । ପରେ ପୂଜା ଆରମ୍ଭ ହୋଇଥିଲା । ସନ୍ଧ୍ୟାରୁ ବିଶ୍ଵର କଲ୍ୟାଣ ଉଦେଶ୍ୟରେ ମହାଯଜ୍ଞ ଆରମ୍ଭ ହୋଇଥିଲା । ସମ୍ପୂର୍ଣ୍ଣ ରୀତିନୀତି ଓ ବିଧି ବିଧାନ ଅନୁସାରେ ସମ୍ପନ୍ନ ହେଉଛି ଶ୍ରୀମଦ ଭାଗବତ ଗୀତା ମହାଯଜ୍ଞ । ଏହି ଅବସରରେ ଜମୁଛି ଭକ୍ତଙ୍କ ଗହଳି । ଏହି ପୁଣ୍ୟ ଗ୍ରନ୍ଥର କଥା ଶୁଣି ଭଗବାନଙ୍କ ଆଶିଷ ଭିକ୍ଷା କରୁଛନ୍ତି ଭକ୍ତମାନେ ।

ଆହୁରୀ ପଢନ୍ତୁ :ମହାପୁରୁଷ ଯଶୋବନ୍ତ ଗୋସ୍ୱାମୀଙ୍କ ମହାପ୍ରାଣାୟ ଦିବସ ସହ ପବିତ୍ର ଓଢଣ ଷଷ୍ଠୀ ପାଳିତ