ଅନୁଷ୍ଠିତ ହେଲା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ସୃଷ୍ଟି ହୋଇଛି ଖୁବ ଭକ୍ତିମୟ ପରିବେଶ

କଥାରେ ଅଛି ବିଶ୍ୱାସେ ମିଳଇ ହରି, ତର୍କେ ବହୁଦୂର । ଯେଉଁଠି ବିଶ୍ୱାସ ଅଛି ସେଠି ଭଗବାନ ଅଛନ୍ତି , ନଚେତ୍ ସବୁ ମନ୍ଦିରକୁ ପଥର ବୋଲି ଭାବିଥାନ୍ତେ । ଆମ ଓଡ଼ିଶାରେ ମଧ୍ୟ ଏମିତି କିଛି ମନ୍ଦିର ରହିଛି ଯେଉଁଠି ରହିଛି ଅନେକ ଅଲୌକିକ ଶକ୍ତି ଓ ଭକ୍ତଙ୍କ ଅଗାଢ ବିଶ୍ୱାସ । ସେହିଭଳି ନିକଟରେ ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ପେରୁପାଙ୍ଗ ଗାଁରେ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ଏଠାରେ ବହୁ ବର୍ଷ ପରେ ନିର୍ମାଣ ହୋଇଛି ହନୁମାନଙ୍କ ମନ୍ଦିର । ଏନେଇ ଗାଁର ସବୁ ଲୋକ ବେଶ୍ ଖୁସି ଅଛନ୍ତି । ଦୀର୍ଘ ଚାରି ଦିନ ଧରି ଏହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲୁ ରହିଥିଲା । ବିଭିନ୍ନ ରୀତି ନୀତି ଅନୁଯାୟୀ ହୋମଯଜ୍ଞ ଓ ପୂଜାପାଠ ଚାଲିଥିବା ବେଳେ ମନ୍ଦିରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଆମ ହିନ୍ଦୁ ଧର୍ମରେ ପ୍ରଭୁ ହନୁମାନଙ୍କ ମହତ୍ୱ ଖୁବ ଅଧିକ ।
ତାଙ୍କର ପୂଜା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ସେ ପ୍ରଭୁ ରାମଙ୍କର ମଧ୍ୟ ଅତ୍ୟନ୍ତ ପ୍ରିୟ ଥିଲେ । କୁହାଯାଏ ଯେ ହନୁମାନଜୀ ଅମର ଏବଂ ସେ ପୃଥିବୀର କୌଣସି ନା କୌଣସି ସ୍ଥାନରେ ଏବେ ମଧ୍ୟ ଉପସ୍ଥିତ ଅଛନ୍ତି । ଯେଉଁଠାରେ ରାମାୟଣ ପାଠ କରାଯାଏ, ହନୁମାନଜୀ ନିଶ୍ଚିତ ଭାବରେ ସେଠାରେ ଉପସ୍ଥିତ ରହିଥାନ୍ତି । ହନୁମାନଙ୍କ ରଥ ଗାଁ ପରିକ୍ରମା କରିବା ପରେ ମନ୍ଦିର ଭିତରକୁ ପ୍ରବେଶ କରାଯାଇଥିଲା । ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ବଡ଼ ଆକାରରେ ହୋମଯଜ୍ଞ ବି କରାଯାଇଥିଲା ।
ଏଥିସହ ନାମ ସଙ୍କୀର୍ତ୍ତନ ଓ ପୂର୍ଣ୍ଣାହୁତି କରାଯାଇଥିଲା । ପରମ ରାମ ଭକ୍ତ ହନୁମାନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ହଜାର ହଜାର ଭକ୍ତମାନେ ଏକତ୍ରିତ ହେବା ସହ ହରିବୋଲ, ହୁଳହୁଳି ଧ୍ବନିରେ କମ୍ପିଉଠିଥିଲା ପୁରା ପରିବେଶ । ପ୍ରଭୁ ହନୁମାନଙ୍କ ମନ୍ଦିରର ସୁନ୍ଦର ପ୍ରତିମୂର୍ତ୍ତିକୁ ମନଭରି ଉପଭୋଗ କରୁଛନ୍ତି ଶ୍ରଦ୍ଧାଳୁ । ପ୍ରଭୁ ହନୁମାନଙ୍କ ଦର୍ଶନ ପାଇଁ ଏବେ ଛୁଟିଛି ଶ୍ରଦ୍ଧାଳୁଙ୍କ ସୁଅ । ଏନେଇ ଏଠାରେ ସୃଷ୍ଟି ହୋଇଛି ଖୁବ ଆଧ୍ୟାତ୍ମିକ ପରିବେଶ ।