ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶକୁ ଶ୍ରୀ ଜଗନ୍ନାଥଙ୍କର ରାଧାଦାମୋଦ ବେଶ

ପୁରୀ: ଜୟ ଜଗନ୍ନାଥ ଧ୍ୱନିରେ ପୁରପଲ୍ଲୀ ମୁଖରିତ । ସାରା ରାଜ୍ୟରୁ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଛନ୍ତି ଭକ୍ତ। କାହିଁକି ନା ଚାଲିଛି ମହାପବିତ୍ର କାର୍ତ୍ତିକ ମାସ । ଧର୍ମ ମାସ କାର୍ତ୍ତିକ । ସନାତନ ଧର୍ମରେ କାର୍ତ୍ତିକ ମାସର ଖାସ୍‌ ମହତ୍ତ୍ୱ ରହିଛି । ତେଣୁ ଏହି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଏହି ପବିତ୍ର ମାସରେ ଜମିଛି ଭକ୍ତଙ୍କର ପ୍ରବଳ ଭିଡ । ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବା ଲାଗି ଭକ୍ତଙ୍କ ସୁଅ ଛୁଟିଛି । ସାଧାରଣ ଦିନ ଅପେକ୍ଷା କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଅଧିକ ଭିଡ ଜମୁଛି ।

ତେବେ ଆଜି ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ଅନୁଷ୍ଠିତ ହୋଇଯାଇଛି । ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯାଇଛି । ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବାବେଳେ ଏହି ବେଶରେ ହରି ଅର୍ଥାତ୍ ବିଷ୍ଣୁଙ୍କ ଓ ହର ଅର୍ଥାତ୍ ଶିବଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହୋଇଛି । ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଛନ୍ତି ।

କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ପର ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ଯେଉଁଦିନ ସୋମବାର ପଡେ, ସେହିଦିନ ରତ୍ନସିଂହାସନରେ ଅଧିଷ୍ଠିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଓ ଶୁକ୍ଳ ଦଶମୀ ମଧ୍ୟରେ ଦୁଇଟି ସୋମବାର ପଡୁଥିବାରୁ ଆଜି ଏବଂ ଆସନ୍ତା ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶ ସଜ୍ଜିତ କରାଯିବ ।

କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ପୁଷ୍ପାଳକ ସେବକମାନେ ବଡ଼ଠାକୁରଙ୍କୁ ହରିହର ବେଶରେ ଏବଂ ଶ୍ରୀଜଗନ୍ନାଥଙ୍କୁ ରାଧାଦାମୋଦର ବେଶରେ ସଜ୍ଜିତ କରିଛନ୍ତି । ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ହରିହର ବେଶ ସାଙ୍ଗକୁ ଶ୍ରୀଜଗନ୍ନାଥଙ୍କର ରାଧାଦାମୋଦର ବେଶ ଦେଖି ଭକ୍ତ ଆତ୍ମତୃପି ଲାଭ କରିଛନ୍ତି ।

radhadamodar

କାର୍ତ୍ତିକ ମାସରେ ପ୍ରଭୁ ବିଷ୍ଣୁଙ୍କର ନାମ ଦାମୋଦର ହୋଇଥିବାରୁ ଏହାକୁ ରାଧା ଦାମୋଦର ବେଶରେ ନାମକରଣ କରାଯାଇଛି । ଏହି ବେଶରେ ଫୁଲ ନିର୍ମିତ ଗୁଣା, ଚିତା ଓ ଅଧରମାଳା ସହ ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଠାକୁର ମାନଙ୍କୁ ଲାଗି କରାଯାଇଥାଏ । ଏଥି ସହ ଶ୍ରୀଜଗନ୍ନାଥ ଓ ବଳଭଦ୍ର ତ୍ରିକଚ୍ଛ ପରିଧାନ କରିବା ସହ ଦୁଇ ହସ୍ତରେ ସୁବର୍ଣ୍ଣ ନଳୀ ଭୁଜ, ତ୍ରିମୁଣ୍ଡିରେ ବାଉଁଶ ପାତିଆ ଓ କନାରେ ନିର୍ମିତ ଚୂଳ, ଚୂଳର ଅଗ୍ରଭାଗରେ ରୂପା ଚନ୍ଦ୍ରିକା, କର୍ଣ୍ଣଦେଶରେ କୁଣ୍ଡଳ, କଟିଦେଶରେ ଓଡ଼ିଆଣୀ କମରପଟି, କଣ୍ଠରେ ସୁବର୍ଣ୍ଣ ଘାଗଡ଼ା ମାଳି, କପାଳରେ ତିଳକ, ଚନ୍ଦ୍ର ସୂର୍ଯ୍ୟ ଏବଂ ରାମାନନ୍ଦୀ ଚିତା ଇତ୍ୟାଦି ସୁବର୍ଣ୍ଣ ଅଳଙ୍କାରରେ ଶ୍ରୀଜୀଉ ଭୂଷିତ ହୋଇଥାନ୍ତି । ମସ୍ତକରେ ଡଡ଼ଗି ସହିତ ବିଭିନ୍ନ ପ୍ରକାର ପୁଷ୍ପ ଅଳଙ୍କାର, ସୁବର୍ଣ୍ଣ ଅଳଙ୍କାର ସହ ପାଟଶାଢ଼ୀ, ଫୁଟା, ଶିରି କପଡ଼ା, ପହରଣ, ବଳା, ଅଧରବଳା ଓ ଉତ୍ତରୀୟ ବସ୍ତ୍ର ମଧ୍ୟ ଲାଗି ହୁଏ ।

ଏପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ଭିଡ ନିୟନ୍ତ୍ରଣ ଲାଗି ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳିଙ୍କ ସମେତ ଶ୍ରୀମନ୍ଦିରରେ ସାଧାରଣ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

 

You might also like