ସମ୍ପର୍ଣ୍ଣ ହେଲା ହେରାପଞ୍ଚମୀ ନୀତି, ଅଭିମାନିନୀ ମାଆ ଲକ୍ଷ୍ମୀ ଭାଙ୍ଗିଲେ ମହାପ୍ରଭୁଙ୍କ ରଥ

ପ୍ରଭୁଙ୍କ ଲୀଳାଖେଳା ଅପାର । ଜନ୍ମବେଦୀକୁ ଆସି ଅନେକ ଲୀଳା କରିଥାନ୍ତି ମହାପ୍ରଭୁ । ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀ ଜୀଉ ମାନେ ଜ୍ବରରେ ପୀଡିତ ହୋଇ ୧୫ ଦିନ ପାଇଁ ଅଣସର ଘରେ ରୁହନ୍ତି । ଏହି ସମୟରେ ଚାଲେ ଅଣସର ନୀତିକାନ୍ତି । ଫଳମୂଳ, ଔଷଧ ମୁଲିକା ଖାଇ ସୁସ୍ଥ ହେବା ପରେ ମହାପ୍ରଭୁ ନବଯୌବନ ଦର୍ଶନରେ ଦେଖା ଦିଅନ୍ତି ମହାପ୍ରଭୁ । ଏହା ପରେ ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ନବଦିନାତ୍ମକ ଯାତ୍ରାରେ ମାଉସୀ ଘରକୁ ବାହାରିଥାନ୍ତି ମହାପ୍ରଭୁ ।

ଶ୍ରୀ ଗୁଣ୍ଡିଚା ଯାତ୍ରାରେ ସାଙ୍ଗରେ ଭାଇଭଉଣୀଙ୍କୁ ନେଇ ଯାଉଥିବାରୁ ଅଭିମାନ କରନ୍ତି ମା’ ଲକ୍ଷ୍ମୀ । ଯାହାର ଦୃଷ୍ଟାନ୍ତ ହେଉଛି ହେରାପଞ୍ଚମୀ । ଆଉ ଏହି ରଥଯାତ୍ରାରେ ହେରା ପଞ୍ଚମୀ ନୀତିର ଏକ ବିଶେଷ ମହତ୍ତ୍ୱ ରହିଛି । ଗତକାଲି ବିଳମ୍ୱିତ ରାତିରେ ପରମ୍ପରା ମୁତାବକ ମହାପ୍ରଭୁଙ୍କର ପବିତ୍ର ହେରାପଞ୍ଚମୀ ଭେଟ ନୀତି ଅନୁଷ୍ଠିତ ହୋଇଛି । ଯାହାକି ତିନି ଠାକୁରଙ୍କ ମାଉସୀମା ମନ୍ଦିରରେ ରହଣି କାଳରେ ଭକ୍ତଙ୍କ ପାଇଁ ସବୁଠୁ ଆକର୍ଷଣୀୟ ।

ମହାପ୍ରଭୂ ଜନ୍ମବେଦୀକୁ ବୁଲିବାକୁ ଆସିଥିବା ବେଳେ ସାଙ୍ଗରେ ଭାଇ ଓ ଭଉଣୀକୁ ଧରି ଅସିଥିବା ବେଳେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ଆଣିନାହାନ୍ତି । ଏହି କାରଣ ପାଇଁ ମା ଲକ୍ଷ୍ମୀ ଶ୍ରୀ ମନ୍ଦିରରୁ ବିମାନରେ ବାହାରି ମାଉସୀମା ମନ୍ଦିର ପହଁଚି ମହାପ୍ରଭୂଙ୍କୁ ଫେରାଇବାକୁ ଉଦ୍ୟମ କରିଥିଲେ । ମାତ୍ର ମହାପ୍ରଭୂ ନ ଫେରିବାରୁ ଲକ୍ଷ୍ମୀ ଠାକୁରାଣୀ ରାଗିଯାଇ ମହାପ୍ରଭୂଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗି ଶ୍ରୀ ମନ୍ଦିରକୁ ଫେରିଯାଇଥିଲେ । ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଏଭଳି ରାଗ ରୁଷାକୁ ନେଇ ଅନୁଷ୍ଠିତ ହୋଇଥାଏ ଏହି ହେରା ପଞ୍ଚମୀ ଭେଟ ।

ଗତକାଲି ରାତି ପ୍ରାୟ ୧୧ ଟା ସମୟରେ ଏହି ନୀତି ଆରମ୍ଭ ହୋଇ ରାତି ପ୍ରାୟ ଗୋଟାଏରେ ଶେଷ ହୋଇଥିଲା । ତେବେ ମହାପ୍ରଭୁଙ୍କ ରଥଯାତ୍ରାରେ ସବୁଠାରୁ ନିଆରା ପରମ୍ପରା ହେଉଛି ହେରା ପଞ୍ଚମୀ ଭେଟ । ଏଭଳି ଏକ ନିଆରା ପରମ୍ପରାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେସ୍‌‍ ଉତ୍ସାହ ପରିଲକ୍ଷିତ ହୋଇଛି ।

You might also like