ନିଆରା ରଥଯାତ୍ରା: ଏଠି କାଠର ରଥ ନୁହେଁ ବରଂ ଅଟୋରେ ବସି ଗାଁ ପରିକ୍ରମା କରନ୍ତି ମହାପ୍ରଭୁ

ଭଞ୍ଜନଗର: ବିଶ୍ଵନିଅନ୍ତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ ସବୁଠି ଭକ୍ତିମୟ ପରିବେଶ । ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ପିଲାଠୁ ବୟସ୍କ ସମସ୍ତଙ୍କ ଭିତରେ ଦେଖିବାକୁ ମିଳିଛି ଆଧ୍ୟାତ୍ମିକ ଚେତନା । କିଏ ଅଭାବରେ ହେଉ କିମ୍ବା କିଏ ବର୍ଣ୍ଣାଢ଼୍ୟ ଢଙ୍ଗରେ ହେଉ, ଭକ୍ତିର ସହ ଯିଏ ଯେଉଁଠି ଡାକିଲା, ସେଇଠି ମିଳିଥାଏ ମହାପ୍ରଭୁଙ୍କ ଅପାର କରୁଣା । ଏମିତି ଏକ ନିଆରା ରଥଯାତ୍ରା ଦେଖିବାକୁ ମିଳିଛି ।
ଯେଉଁଠି ନଥିଲା କାଠର ରଥ, କି’ ଡାହୁକର ଡାକ । ଅଟୋରେ ବିଜେ କଲେ, ଆଉ ଭକ୍ତଙ୍କ ହରିବୋଲ ଡାକରେ ଗାଁ ପରିକ୍ରମା କଲେ । ରଥଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଏମିତି ଏକ ନିଆରା ଯାତ୍ରା ନଜରକୁ ଆସିଥିଲା, ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ମାଧବରିଡା ଗାଁରେ । ନିକଟସ୍ଥ ଆନିକଟ୍ କୁ ଲାଗିର ହିଥିବା ତ୍ରିବେଣୀ ଆଶ୍ରମ ମନ୍ଦିରରେ, ଗତ ପ୍ରାୟ ୨୦ ବର୍ଷ ଧରି ପୂଜା ପାଇ ଆସୁଛନ୍ତି, ପ୍ରଭୁ ଶ୍ରୀଜଗନ୍ନାଥ । ପ୍ରତ୍ୟେକ ବର୍ଷ ରଥଯାତ୍ରାରେ, ସଂଧ୍ୟାରେ ମହାପ୍ରଭୁଙ୍କୁ ଅଟୋରେ ବସାଇ, ମାଧବରିଡା ଗାଁ ପରିକ୍ରମା କରାଯାଏ ।
ଗାଁର ପ୍ରତ୍ୟେକ ଘର ଆଗରେ ପୂର୍ଣ୍ଣ କୁମ୍ଭ ସଜେଇ ହୋଇଥାଏ । ମାଉସୀ ମାଁ ମନ୍ଦିର ନଥିବାରୁ, ଗାଁ ପରିକ୍ରମା ପରେ, ପୁଣି ମନ୍ଦିରକୁ ଆସନ୍ତି ମହାପ୍ରଭୁ ।ଗତ ୨୯ ବର୍ଷ ପୂର୍ବେ, ଆଶ୍ରମ ଦେଇ ଯାଇଥିବା ବଡନଦୀ ବନ୍ୟା ପାଣିରେ ମହାପ୍ରଭୁଙ୍କ ବିଗ୍ରହ ଭାସିଭାସି ଯାଉଥିବା ବେଳେ, ନିକଟସ୍ଥ ବଙ୍କା ଗ୍ରାମର ଜଣେ ମହିଳା ଉଧାର କରିଥିଲେ ।
ପରେ ମାଧବରିଡା ତ୍ରିବେଣୀ ଆଶ୍ରମରେ, ମହାପ୍ରଭୁଙ୍କୁ ବିଜେ କରାଇଥିଲେ । ପ୍ରଥମେ ପ୍ରଥମେ ରଥଯାତ୍ରା ସମୟରେ ଶ୍ରୀ ଜଗନ୍ନାଥଙ୍କୁ ଶଗଡ଼ରେ ବିଜେ କରି ଯାତ୍ରା ହେଉଥିଲା । ପରବର୍ତ୍ତୀ ସମୟରେ ଆଉ ଶଗଡ଼ ବ୍ୟବସ୍ଥା ନହେବାରୁ ଗତ କିଛିବର୍ଷ ହେଲା ଅଟୋରେ ବିଜେକରି, ଯାତ୍ରା ଆୟୋଜନ କରୁଛନ୍ତି, ଆଶ୍ରମର ସାଧୁସନ୍ଥ ଓ ଗ୍ରାମବାସୀ କାଠର ବ୍ୟବସ୍ଥା ନ ହେବାରୁ, ରଥଟିଏ ହୋଇ ପାରୁନଥିବା କହିଛନ୍ତି ଆଶ୍ରମର ମଠାଧୀଶ ଏବଂ ଗ୍ରାମବାସୀ । ସବୁ ପରେ ବି ବ୍ୟତିକ୍ରମ ବ୍ୟବସ୍ଥା, ଭକ୍ତିଭାବନାକୁ ଅଟକାଇ ପାରିନାହିଁ ବୋଲି ଗ୍ରାମବାସୀ ପ୍ରତିକ୍ରିୟା ରଖିଛନ୍ତି ।
ଯେମିତି ହେଉ, କାଠର ରଥ ଟିଏ ହେଉ । ସରକାରୀ କିମ୍ବା ବେସରକାରୀ ସହାୟତାରେ ରଥଟିଏ ନିର୍ମାଣ ହୋଇଗଲେ, ପ୍ରଭୁଙ୍କୁ ଆଉ ଏମିତି ଅଟୋରେ ବିଜେ କରି, ପରିକ୍ରମା କରିବାକୁ ପଡ଼ିବ ନାହିଁ ବୋଲି, ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ମାନେ ନିବେଦନ କରିଛନ୍ତି ।