ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ଧାର୍ମିକ ମହତ୍ତ୍ୱ ରହିଛି । କିନ୍ତୁ ଚଳିତ ବର୍ଷ ଯେଉଁ ଶ୍ରାବଣ ମାସ ପଡିଛି ଏହା ଏକ ଦୁର୍ଲଭ ଯୋଗ ବୋଲି ପଣ୍ଡିତମାନେ ମତ ଦେଇଛନ୍ତି । ବିଶ୍ୱାସ ରହିଛି ଏହି ଶ୍ରାବଣ ମାସରେ ପ୍ରଭୁ ଶିବଙ୍କ ମସ୍ତକରେ ଜଳାଭିଷେକ କଲେ ଭକ୍ତଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ସେହିଭଳି ଏହି ଶ୍ରାବଣ ମାସ ଦୀର୍ଘ ୭୨ ବର୍ଷ ପରେ ପଡିଥିବାରୁ ପ୍ରତି ସୋମବାର ଦିନ ଶୈବପୀଠମାନଙ୍କରେ କାଉଡ଼ିଆଙ୍କର ପ୍ରବଳ ଭିଡ ମଧ୍ୟ ପରିଲକ୍ଷିତ ହେଉଛି ।
ସେହିଭଳି ଏହି ଶ୍ରାବଣ ମାସରେ ବାବା କାମେଶ୍ଵର ମହାଦେବଙ୍କ ପୀଠରେ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କର ଭିଡ ଜମୁଛି । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ଓ ମାର୍ଶାଘାଇ ବ୍ଲକ ମଧ୍ୟ ସ୍ଥଳର ଜିରାଳ ଗ୍ରାମରେ ଶ୍ରୀ ଶ୍ରୀ ବାବା କାମେଶ୍ବର ମହାଦେବ ବିଜେ କରିଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ମନ୍ଦିରର ଇତିହାସ ଏବଂ କିଭଳି ଏହି ଶୈବପୀଠର ନାମ କାମେଶ୍ୱର ହେଲା ତାହା ବିଷୟରେ ଜଣାଇବୁ । କାହିଁ କେଉଁ କାଳରୁ ବାବା କାମେଶ୍ଵର ଏହି ଠାରେ ବିରାଜିତ ହୋଇଛନ୍ତି ।
ପରେ ଏହିଠାରେ ମା’ ପାର୍ବତୀଙ୍କ ମନ୍ଦିର ନିର୍ମାଣ କରି ମାଙ୍କୁ ସ୍ଥାପନା କରିଛନ୍ତି ସମାଜ ସେବି ଦିଲ୍ଲୀପ ନାୟକ । କିମ୍ବଦନ୍ତୀ ରହିଛି ଭକ୍ତମାନଙ୍କର ମନସ୍କାମନା ପୂରଣ କରିଥାନ୍ତି ବୋଲି ବାବାଙ୍କ ନାଁ ହେଉଛି କାମେଶ୍ଵର । ବାବା କାମେଶ୍ଵରଙ୍କ ମହିମା ଅପାର ଏହି ପୀଠରେ ବର୍ଷକ ବାରମାସ ଶହଶହ ଶ୍ରଦ୍ଧାଳୁ ମାନଙ୍କର ଭିଡ ଲାଗି ରହିଥାଏ । ବିଶେଷ କରି ପ୍ରତ୍ୟେକ ବର୍ଷ ଶ୍ରାବଣ ମାସର ସୋମବାରରେ ହଜାର ହଜାର କାଉଡିଆ ଭକ୍ତ ବାବାଙ୍କଠାରେ ଜଳାଭିଷେକ କରିବା ପାଇଁ ଅନେକ ଦୂର ଦୂରାନ୍ତରୁ ଛୁଟି ଆସିଥାନ୍ତି ।
ଯିଏ ଯାହା ମାନସିକ କରି ଆସିଥାଏ ଅଚିରେ ବାବା ତା’ର ମନୋସ୍କାମନା ପୂରଣ କରିଥାନ୍ତି । ଦୁର ଦୁରାନ୍ତରରୁ ହେଉ ଅବା ଜିଲ୍ଲା ବାହାରୁ ପ୍ରତ୍ୟକ ଦିନ ଅନେକ ଭକ୍ତମାନେ ଏହି ପୀଠକୁ ଆସିଥାନ୍ତି । ଏହି ବର୍ଷ ହଜାର ହଜାର ସଂଖ୍ୟାରେ କାଉଡିଆ ଭକ୍ତମାନେ ପାଣି ନେଇ ବାବାଙ୍କ କାମେଶ୍ଵରଙ୍କ ନିକଟରେ ପହଞ୍ଚି ମହାଦେବଙ୍କର ଜଳାଭିଷେକ କରିଛନ୍ତି । ବିଶେଷ କରି ଚଳିତ ବର୍ଷ ବହୁତ ପରିମାଣରେ ମହିଳା ଭକ୍ତ ଜଳାଭିଷେକ କରୁଥିବାର ଦେଖିବାକୁ ମିଳିଛି ।
କିନ୍ତୁ ବିଡମ୍ବନାର ବିଷୟ ଏହି ପୀଠ ପର୍ଯ୍ୟଟନସ୍ଥଳୀ ଭାବରେ ମାନ୍ୟତା ପାଇଥିଲେ ବି ପୀଠକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ । ଏନେଇ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଟ୍ରଷ୍ଟର କର୍ମକର୍ତ୍ତା ଏବଂ ଶ୍ରଦ୍ଧାଳୁମାନେ ଏହି ଶୈବପୀଠକୁ ଯିବା ଆସିବା ପାଇଁ ଏକ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି । ତେଣୁ ପ୍ରଶାସନ ଶୀଘ୍ର ଏକ ରାସ୍ତା ନିର୍ମାଣ କରିଲେ ଶ୍ରଦ୍ଧାଳୁମାନେ ଉପକୃତ ହୋଇପାରନ୍ତେ ।